ବାଜପେୟୀଙ୍କ ରେକର୍ଡ ଭାଙ୍ଗିଲେ ନମୋ, ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସବୁଠୁ ଅଧିକ କାର୍ଯ୍ୟକାଳ

1 min read

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ନାଁରେ ଆଉ ଏକ ରେକର୍ଡ କରିଛନ୍ତି । ଆଜି ପିଏମ୍ ମୋଦି ଭାରତୀୟ ଇତିହାସରେ ସବୁଠୁ ଲମ୍ବା ସମୟ ଧରି ଚତୁର୍ଥ ପ୍ରଧାନମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି । ଏହା ପୂର୍ବରୁ ଏହି ତାଲିକାରେ କଂଗ୍ରେସର ଥିବା ୩ ଜଣ ପ୍ରଧାନମନ୍ତ୍ରୀ ଥିଲେ । ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ମୋଦି ନିଜ ନାଁରେ ଏହି ରେକର୍ଡ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଧରି କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଏହି ତାଲିକାର ଅଟଳ ବିହାରୀ ବାଜପେୟୀଙ୍କ ନାଁ ରହିଛି । ବାଜପେୟୀ ତାଙ୍କର ସମସ୍ତ କାର୍ଯ୍ୟକାଳ ମିଶାଇ ୨୨୬୮ ଦିନ ଦେଶର ସେବା କରିଥିଲେ । ଆଜି ପିଏମ୍ ମୋଦି ଏହାକୁ ଅତିକ୍ରମ କରିଛନ୍ତି ।

ତେବେ ଦେଶରେ ସବୁଠୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ଭାବେ ପଣ୍ଡିଚ ଜବାହର ଲାଲ ନେହରୁ କାର୍ଯ୍ୟ କରିଥିଲେ । ଏହି ତାଲିକାରେ ଇନ୍ଦିରା ଗାନ୍ଧୀ ଓ ମନମୋହନ ସିଂହଙ୍କ ନାମ ମଧ୍ୟ ରହିଛି । ଦେଶର ଚତୁର୍ଥ ପ୍ରଧାନମନ୍ତ୍ରୀ ଭାବେ ମୋଦି ଏହି ରେକର୍ଡର ଅଧିକାରୀ ହେବା ସହ ଦେଶର ଭାର ସମ୍ଭାଳିଛନ୍ତି ।

ଅଗଷ୍ଟ ୧୫ରେ ଆଉ ଏକ ରେକର୍ଡ

ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ଉତ୍ତୋଳନରେ ମଧ୍ୟ ଆଉ ଏକ ରେକର୍ଡ ସୃଷ୍ଟି ହେବ । ଅଗଷ୍ଟ ୧୫ରେ ଲାଲକିଲାରେ ପିଏମ୍ ମୋଦି ସପ୍ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିବେ । ଏଥିସହ ସର୍ବାଧିକ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବାରେ ମୋଦି ଚତୁର୍ଥ ପ୍ରଧାନମନ୍ତ୍ରୀ ହେବେ ।

ଲାଲକିଲ୍ଲାରେ ସର୍ବାଧିକ ତ୍ରିରଙ୍ଗା ଉତ୍ତୋଳନ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ୍ ନେହରୁଙ୍କ ନାମରେ ରହିଛି । ଏହାପରେ ଦ୍ୱିତୀୟରେ ରହିଛନ୍ତି ଇନ୍ଦିରା ଗାନ୍ଧି, ତୃତୀୟରେ ମନମୋହନ ସିଂହଙ୍କ ନାମ ରହିଛି । ତେବେ, ପଣ୍ଡିତ ନେହରୁ ଲଗାତାର ୧୭ଥର ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଥିଲେ । ଯେତେବେଳେ କି ଇନ୍ଦିରା ଗାନ୍ଧିଙ୍କୁ ୧୧ ଥର ଓ ମନମୋହନଙ୍କୁ ୧୨ ଥର ଏହି ସୌଭାଗ୍ୟ ଲାଲକିଲ୍ଲାରେ ମିଳିଥିଲା ।

Leave a Reply