୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ କରୋନା ବିପଦ ମଧ୍ୟରେ ଆଜି ଦେଶକୁ ସମ୍ବୋଧନ କରି ଆସନ୍ତା ୨୧ ଦିନ ପାଇଁ ସମଗ୍ର ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି । କରୋନା ଭଳି ବିଶ୍ୱ ମହାମାରୀରୁ ରକ୍ଷା ପାଇବା ପାଇଁ ଲକ୍ ଡାଉନ୍ ବର୍ତ୍ତମାନ ପାଇଁ ଏକମାତ୍ର ଅସ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କରୋନାରୁ ରକ୍ଷା ପାଇବା ପାଇଁ ପୂରା ଦେଶ ଲାଗି ଲକ୍ ଡାଉନ୍ ଆବଶ୍ୟକ ବୋଲି କହି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାମାଜିକ ଦୂରତା କେବଳ ବେମାରଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଭାବିବା ଠିକ୍ ନୁହେଁ । ଏହା ସବୁ ନାଗରିକଙ୍କ ପାଇଁ, ପରିବାର ପାଇଁ, ପ୍ରଧାନମନ୍ତ୍ରୀଙ୍କ ପାଇଁ ବି । କିଛି ଲୋକଙ୍କ ଦାୟିତ୍ୱହୀନତା ଆପଣଙ୍କ ପିଲା, ଆପଣଙ୍କ ମାତା ପିତା ଓ ଆଗକୁ ଆପଣଙ୍କ ଦେଶକୁ ସମସ୍ୟା ଭିତରକୁ ଠେଲିବ । ଏଭଳି ଦାୟିତ୍ୱହୀନତା ଜାରି ରହିଲେ ଭାରତକୁ ବହୁମୂଲ୍ୟ ଦେବାକୁ ପଡିବ । ଯାହାର ଅନୁମାନ କରିବା ଅସମ୍ଭବ । ଅନେକ ରାଜ୍ୟରେ ଲକ୍ ଡାଉନ କରାଯାଇଛି । ଏହାକୁ ଗମ୍ଭୀରତାର ସହ ନେବାକୁ ପଡିବ । ଆଜି ରାତି ୧୨ରୁ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ହେବ । ଭାରତକୁ ବଞ୍ଚାଇବାକୁ, ଆପଣଙ୍କୁ ବଞ୍ଚାଇବାକୁ, ଆପଣଙ୍କ ପରିବାରକୁ ବଞ୍ଚାଇବାକୁ ରାତି ୧୨ରୁ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲାଗୁ ହେବ । ସବୁ ଗଳି, ଗାଁକୁ ଲକ୍ ଡାଉନ କରାଯିବ । ଏହା ଗୋଟିଏ ପ୍ରକାରର କର୍ଫ୍ୟୁ । ଜନତା କର୍ଫ୍ୟୁଠାରୁ ଅଧିକ । ଏହା କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ହେବ । ଏଥିପାଇଁ ଆମକୁ ବଡ ଆର୍ଥିକ ମୂଲ୍ୟ ଦେବାକୁ ପଡିବ । କିନ୍ତୁ ପ୍ରତି ଭାରତୀୟଙ୍କ ଜୀବନ ବଞ୍ଚାଇବା, ଆମର ,ମୋରଭାରତ ସରକାରଙ୍କର, ରାଜ୍ୟ ସରକାରଙ୍କ ପ୍ରାଥମିକତା ।

ତେଣୁ ମୋର ଆପଣମାନଙ୍କୁ ଅନୁରୋଧ ଆପଣ ଯେଉଁଠି ଅଛନ୍ତି ସେଇଠି ରୁହନ୍ତୁ । ବର୍ତ୍ତମାନ ଲକ୍ ଡାଉନ୍ ୩ ସପ୍ତାହର ହେବ । ୨୧ ଦିନ ପ୍ରତି ନାଗରିକଙ୍କ ପାଇଁ ବହୁତ ଗୁରୁୁତ୍ୱପୂର୍ଣ୍ଣ । ମେଡିକାଲ ବିଶେଷଜ୍ଞଙ୍କ ଅନୁଯାୟୀ ସଂକ୍ରମଣ ଚକ୍ର ଭାଙ୍ଗିବା ପାଇଁ ୨୧ ଦିନ ମହତ୍ୱପୂର୍ଣ୍ଣ । ଯଦି ଏହି ୨୧ ଦିନ ଆମେ ସମ୍ଭାଳିବା ନାହିଁ ତେବେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ । ଅନେକ ପରିବାର ସବୁଦିନ ପାଇଁ ବରବାଦ ହୋଇଯିବ । ଏକଥା ମୁଁ ଜଣେ ପ୍ରଧାନମନ୍ତ୍ରୀ ଭାବେ ନୁହେଁ ଆପଣଙ୍କ ପରିବାର ସଦସ୍ୟ ଭାବେ ଏକଥା କହୁଛି । ୨୧ ଦିନ ପାଇଁ ଘରୁ ବାହାରିବା ଭୁଲିଯାଆନ୍ତୁ । ଆପଣଙ୍କ ଘର ଆଗରେ ଲକ୍ଷ୍ମଣରେଖା । ଆପଣଙ୍କୁ ମନେ ରଖିବାକୁ ପଡିବ ଘରୁ ବାହାରକୁ ଆପଣଙ୍କ ଗୋଟିଏ ପାଦ କରୋନାକୁ ଆପଣଙ୍କ ଘରକୁ ଆଣିବ । ସାବଧାନତା ଅବଲମ୍ବନ କରନ୍ତୁ, ଘରେ ରୁହନ୍ତୁ ।

ସେ ଆହୁର ମଧ୍ୟ କହିଥିଲେ ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରଥମ ଏକ ଲକ୍ଷରେ ପହଞ୍ଚିବାକୁ ୬୭ ଦିନ ଲାଗିଥିଲା । ତା’ପରେ ମାତ୍ର ୧୧ ଦିନରେ ୧ ଲକ୍ଷ ସଂକ୍ରମିତ ହୋଇଥିଲେ । ଦୁଇ ଲକ୍ଷରୁ ତିନି ଲକ୍ଷ ହେବାକୁ ୪ ଦିନ ଲାଗିଥିଲା । ଆମେରିକା, ଚୀନ, ଜର୍ମାନୀ ଭଳି ଅନେକ ଦେଶ ଯେତେବେଳେ ସ୍ଥିତିର ମୁକାବିଲା କରିବାରେ ଅସମର୍ଥ ହେଲେ ସେତେବେଳେ ସେମାନେ ନିଜ ଦେଶରେ ଲକ୍ ଡାଉନ୍ ଲାଗୁ କରିଥିଲେ । ତା’ ପରେ ସ୍ଥିତି ଧୁରିଛି । ଆମ ପାଖରେ କେବଳ ଗୋଟିଏ ରାସ୍ତା ଅଛି । ଆମକୁ ଘରେ ରହିବାକୁ ସାମାଜିକ ଦୂରତ୍ୱ ରଖିବାକୁ ପଡିବ । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କୁ ଏହାକୁ ମାନିବାକୁ ପଡିବ । ଆମେ ଏହି ମହାମାରୀ ଭାଇରସ ସଂକ୍ରମଣକୁ ରୋକିବାକୁ ପଡିବ । ଭାରତ ଆଜି ସେହି ଷ୍ଟେଜରେ ଅଛି, ଯେଉଁଠି ଆମ ପ୍ରତିକ୍ରିୟା ଏହା ନିର୍ଦ୍ଧାରିତ କରିବ ଯେ, ଆମେ ଏହାକୁ କେତେ ନିୟନ୍ତ୍ରିତ କରି ପାରିବା । ଏହା ହେଉଛି ସଂଜମତା ଅବଲମ୍ବନର ସମୟ ।

ମନେ ରଖନ୍ତୁ ଜୀବନ ଅଛି ତ’ ସବୁ ଅଛି । ଏହା ଧୈର୍ଯ୍ୟ ଓ ସଞ୍ଜମତାର ସମୟ । ମୋର ଆପଣଙ୍କୁ ପ୍ରାର୍ଥନା ଆପଣ ଘରେ ରହି ସେହିମାନଙ୍କ କଥା ଭାବନ୍ତୁ, ସେମାନଙ୍କ ମଙ୍ଗଳ କାମନା କରନ୍ତୁ, ଯେଉଁ ମାନେ ନିଜ ଜୀବନକୁ ବାଜି ରଖି କରୋନା ବିରୋଧରେ ଯୁଦ୍ଧ ଲଢୁଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କରୋନାର ମୁକାବିଲା ପାଇଁ ୧୫ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଆଇସୋଲେସନ ବେଡ୍, ଭେଣ୍ଟିଲେଟର ଓ ମେଡିକାଲ ଟ୍ରେନି ୱାର୍କରଙ୍କ ଲାଗି ଏହି ଅର୍ଥ ଘୋଷଣା କରାଯାଇଛି । 

Leave a Reply