ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ବ୍ୟାପକ ଘୋଟାଲା, ବିଜେପି ଶାସିତ ରାଜ୍ୟରେ ଅଧିକ

Kisaan Nidhi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ବ୍ୟାପକ ଘୋଟାଲା । ବହୁ ଅଯୋଗ୍ୟ ହିତାଧିକାରୀ ହାତେଇଛନ୍ତି ଟଙ୍କା । ତାହା ପୁଣି ବିଜେପି ଶାସିତ ରାଜ୍ୟରେ ଅଧିକ । ଲୋକସଭାରେ ଏପରି ତଥ୍ୟ ଦେଇଛନ୍ତି ଖୋଦ୍ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେଡିର ଯୁକ୍ତି ହେଉଛି ଯେଉଁମାନେ ଅଯୋଗ୍ୟ ହିତାଧିକାରୀ ସେମାନଙ୍କୁ ତାଲିକାରୁ ବାଦ ଦେବା କେନ୍ଦ୍ରର କାମ । ବିଜେପି କିନ୍ତୁ, ପିଏମ୍ କିଷାନରେ ଏପରି ଘୋଟାଲା ଗନ୍ଧ ଆସିବା ପରେ ମାପିଚୁପି ବୟାନ ଦେବା ସହ କେନ୍ଦ୍ର ପାଇଁ ଓକିଲାତି କରିଛି ।

ବିଜେପି ଶାସିତ ରାଜ୍ୟ ଆସାମରେ ୫ଲକ୍ଷ ୮୧ହଜାର ୬୫୨ଜଣ, ଗୁଜରାଟରେ ୨ଲକ୍ଷ ୧୦ହଜାର୪୯୦ଜଣ, ମଧ୍ୟପ୍ରଦେଶରେ ୨ଲକ୍ଷ୪୪ ହଜାର ୪୩୭, ଉତ୍ତରପ୍ରଦେଶରେ ୧ଲକ୍ଷ ୭୮ହଜାର ୩୯୮ଜଣ ଅଯୋଗ୍ୟ ହିତାଧିକାରୀ ପିଏମ୍ କିଷାନ୍ ଯୋଜନାରେ ହାତେଇଛନ୍ତି । ସାରା ଦେଶରେ ୩୨ଲକ୍ଷ ୯୧ ହଜାର ୧୫୨ଜଣ ଅଯୋଗ୍ୟ ହିତାଧିକାରୀ ପିଏମ୍ କିଷାନ୍ ଯୋଜନାରେ ୨ହଜାର କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ।

ଏହି ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବିଜେପିର କହିବା କଥା ହେଉଛି ରାଜ୍ୟସରକାର ମାନେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି କେନ୍ଦ୍ରକୁ ଦେବା କଥା । ଯାହା ରାଜ୍ୟମାନେ ଦେଉନାହାଁନ୍ତି ।

ଓଡିଶାରେ ୮ହଜାର ୭୯୦ଜଣ ଅଯୋଗ୍ୟ ହିତାଧିକାରୀ ପିଏମ୍ କିଷାନ୍‌ରେ ଟଙ୍କା ହାତେଇଛନ୍ତି । ଆଉ ଏହି ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ଓ ସେମାନଙ୍କ ଠାରୁ ଟଙ୍କା ଆଦାୟ କରିବା କେନ୍ଦ୍ର ସରକାରଙ୍କ କାମ ବୋଲି ରାଜ୍ୟ କହିଛି । ରାଜ୍ୟରେ ମୋଟ ୩୭ଲକ୍ଷ ୧୯ହଜାର ୧୬୮ଜଣ ପିଏମ୍ କିଷାନ୍ ଯୋଜନାରେ ସାମିଲ୍ ଅଛନ୍ତି । ବିଜେଡିର କହିବା କଥା ହେଲା, ଯେ କୌଣସି ଯୋଜନା ରୂପାୟନ ବେଳେ ଦୋଷତ୍ରୁଟି ଥାଏ । କେନ୍ଦ୍ର ରାଜ୍ୟ ଅନୁଧ୍ୟାନ କରି ଏହାର ସଂଶୋଧନ କରିବା କଥା । ହେଲେ ବିଜେପି ଶାସିତ ରାଜ୍ୟରେ ସର୍ବାଧିକ ଅଯୋଗ୍ୟ ହିତାଧିକାରୀ କିପରି ହାତେଇଲେ ତାକୁ ନେଇ ସନ୍ଦେହ ଉଠିବା ସ୍ୱାଭାବିକ ।

Leave a Reply