ଅନଲକ୍ ୱାନ୍ ପରେ ଲୋକ ବେପରୱା ହୋଇଯାଇଛନ୍ତି,ସତର୍କ କରାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଥିଲେ ଯେ ଅନ୍ୟଦେଶ ତୁଳନାରେ ଭାରତର ସ୍ଥିତି ଭଲ ଅଛି । ଠିକ୍ ସମୟରେ ଲକଡାଉନ୍ ଲାଗୁ କରାଯାଇଥିବାରୁ ଲକ୍ଷାଧିକ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିଛି । କିନ୍ତୁ ଅନଲକ୍ ୱାନ୍ ପରଠାରୁ ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ଲୋକ ବେପରୁଆ ହୋଇଯାଇଛନ୍ତି । ଆଗରୁ ଆମେ ସତର୍କ ଥିଲୁ, କିନ୍ତୁ ଏବେ ଯେତେବେଳେ ଅଧିକ ସତର୍କ ହେବାର ଆବଶ୍ୟକତା ସେତେବେଳେ ଆମେ ଅସତର୍କ ହୋଇଯାଇଛୁ ।

ଏବେ ନାଗରିକଙ୍କ ସହ ସ୍ଥାନୀୟ ପ୍ରଶାସନକୁ ସେହିଭଳି ସତର୍କତା ଦେଖାଇବାକୁ ପଡିବ । ବିଶେଷକରି କଣ୍ଟେନମେଣ୍ଟ୍ ଜୋନରେ ଅଧିକ ସତର୍କ ରହିବାକୁ ପଡିବ । ଯେଉଁମାନେ ମାନୁନାହାନ୍ତି ସେମାନଙ୍କୁ ରୋକିବାକୁ ପଡିବ । ଗୋଟିଏ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ୧୩ ହଜାର ଟଙ୍କାର ଜୋରିମାନା ଏଥିପାଇଁ ଲାଗିଲା ଯେ, ସେ ସାର୍ବଜନିକ ସ୍ଥାନକୁ ବିନା ମାସ୍କରେ ଯାଇଥିଲେ । ଭାରତରେ ମଧ୍ୟ ସେହିଭିଳି କଠୋର ପଦକ୍ଷେପ ନେବାକୁ ପଡିବ । କାରଣ ଏହା ୧୩୦ କୋଟି ନାଗରିକଙ୍କ ଜୀବନର ପ୍ରଶ୍ନ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଲକଡାଉନ କାଳରେ ସରକାରଙ୍କ ପ୍ରାଥମିକତା ଥିଲା ଗରିବଙ୍କ ଧ୍ୟାନ ରଖିବା । କେନ୍ଦ୍ର,ରାଜ୍ୟ ସରକାରଙ୍କ ସହ ସମସ୍ତେ ଗରିବ ଯେମିତି ଭୋକିଲା ରହିବେ ନାହିଁ ସେଥିପାଇଁ ପୁରା ପ୍ରୟାସ କରିଥିଲେ । ଦେଶ ହେଉ କିମ୍ବା ବ୍ୟକ୍ତି ଠିକ୍ ସମୟରେ ନିଷ୍ପତ୍ତି ନେଲେ ସବୁ ପ୍ରକାରର କଠିନ ପରିସ୍ଥିତିର ସଫଳ ମୁକାବିଲା କରିପାରିବେ ।

ଲକଡାଉନ୍ ଆରମ୍ଭରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆଣିଥିଲେ । ଗତ ତିନି ମାସରେ ୨୦ କୋଟି ଗରିବଙ୍କ ଜନଧାନ ଖାତାରେ ୩୧ କୋଟି ଟଙ୍କା ଜମା କରାଯାଇଛି । ଏହି ସମୟରେ ୯ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାରେ ୧୮୦୦୦ କୋଟି ଟଙ୍କା ଜମା କରାଯାଇଛି । ରୋଜଗାର ପାଇଁ ସରକାର ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

୮୦ କୋଟି ଲୋକଙ୍କୁ ମାଗଣା ରାସନ ଦେବା କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ, ଉ ଗୋଟିଏ କଥା ଯାହା ଦୁନିଆକୁ ଆଶ୍ଚର୍ଯ୍ୟ ଚକିତ କରିଛି, ତାହା ହେଲା କରୋନ ଭିତରେ ୮୦ କୋଟି ଲୋକଙ୍କୁ ୩ ମାସର ରାସନ ମାଗଣା ଦିଆଯାଇଛି । ଏହାବାଦ ପ୍ରତି ପରିବାରକୁ ଏକ କିଲୋ ଡାଲି ଦିଆଯାଇଛି । ଅର୍ଥାତ ଆମେରିକାର ମୋଟ ଜନସଂଖ୍ୟାର ଅଢେଇ ଗୁଣ ଅଧିକ,ବ୍ରିଟେନ ଜନସଂଖ୍ୟାର ୧୨ ଗୁଣ ଲୋକଙ୍କୁ ଆମ ସରକାର ମାଗଣା ଶସ୍ୟ ଦେଇଛି ।

ବର୍ଷା ଋତୁ କାଳରେ ମୁଖ୍ୟତଃ କୃଷିକ୍ଷେତ୍ରରେ ଅଧିକ କାମ ହୋଇଥାଏ । ଅନ୍ୟକ୍ଷେତ୍ରରେ ମାନ୍ଦାବସ୍ଥା ରହିଥାଏ । ଜୁଲାଇରୁ ପର୍ବପର୍ବାଣୀ ଆରମ୍ଭ ହୁଏ । ତେଣୁ ଦିପାବଳି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଅନ୍ନ ସୁରକ୍ଷା ଯୋଜନା କ୍ରମରେ ଖାଦ୍ୟ ଯୋଗାଇ ଦିଆଯିବା । ନଭେମ୍ବର ପର୍ଯ୍ୟନ୍ତ ୮୦ କୋଟି ଗରିବଙ୍କୁ ୫ କିଲୋ ଚାଉଳ କିମ୍ବା ଗହମ ମାଗଣା ଦିଆଯିବ । ଏହାସହ ପ୍ରତ୍ୟକ ପରିବାରକୁ ପ୍ରତି ମାସରେ ଏକ କିଲୋ ଡାଲି ମଧ୍ୟ ମାଗଣା ଦିଆଯିବ । ଏଥିରେ ୯୦ ହଜାର କୋଟିରୁ ଅଧିକ ଖର୍ଚ୍ଚ ହେବ । ଏଥିରେ ଗତ ୩ ମାସର ଖର୍ଚ୍ଚ ଯୋଡିଲେ ଏହା ଦେଢ ଲକ୍ଷ କୋଟି ଟଙ୍କା ହେବ ।

Leave a Reply