‘ଅମ୍ଫାନ୍’ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

1 min read

ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ବାତ୍ୟା ‘ଅମ୍ଫାନ୍’ ପ୍ରଭାବ କ୍ଷୟକ୍ଷତି ଆକଳନ ପରେ ପ୍ରଧାନମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଅଗ୍ରୀମ ୫୦୦ କୋଟି ଟଙ୍କା ରାଜ୍ୟକୁ ଦେବେ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ଆକଳନ ପରେ ରାଜ୍ୟ କେନ୍ଦ୍ରକୁ ରିପୋର୍ଟ ଦେବ । କେନ୍ଦ୍ରୀୟ ଟିମ୍ ଆସି ସ୍ଥିତି ପରଖିବା ପରେ ଆବଶ୍ୟକ ଅର୍ଥ ଦିଆଯିବ ।

ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସହ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ବୁଲି ଦେଖିଥିଲେ । ପ୍ରଭାବିତ ୪ ଜିଲ୍ଲା ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱରକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିଥିଲେ ।

ଫେରିବା ପରେ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ସଚିବ ଭି.କେ ପାଣ୍ଡିଆନ୍ ଓ ଅନ୍ୟ ଅଧିକାରୀଙ୍କ ସହ କ୍ଷୟକ୍ଷତି ନେଇ ବିସ୍ତୃତ ଆଲୋଚନା କରିଥିଲେ । ବାତ୍ୟା ‘ଅମ୍ଫାନ୍’ ଓଡ଼ିଶା ଦେଇ ଯିବାବେଳେ ଉପକୂଳ ଜିଲ୍ଲାରେ କ୍ଷୟକ୍ଷତି ଘଟାଇଛି । ଏଥିଯୋଗୁଁ ଘର ଭାଙ୍ଗିଥିବାବେଳେ ଚାଷ ସହ ବିଦ୍ୟୁତ୍ ସରଞ୍ଜାମ ନଷ୍ଟ ହୋଇଛି । ତେବେ, ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ସୁପରିଚାଳନା ଯୋଗୁଁ ଓଡ଼ିଶା ଜୀବନହାନିକୁ ରୋକିପାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ସକାଳେ ପ୍ରଧାନମନ୍ତ୍ରୀ ପ୍ରଥମେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ । ପଶ୍ଚିମବଙ୍ଗ ପାଇଁ ହଜାରେ କୋଟି ଟଙ୍କା ଘୋଷଣା କରିଥିଲେ । ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପ୍ରଧାନମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । କହିଥିଲେ, ରାଜ୍ୟରେ ୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ପିଏମ୍ ମୋଦି ମାତ୍ର ହଜାରେ କୋଟି ଘୋଷଣା କରିବା ନୈରାଶ୍ୟଜନକ । ମମତାଙ୍କ ଏ ମନ୍ତବ୍ୟ ରାଜନୈତିକ ଗୁଞ୍ଜରଣ ସୃଷ୍ଟି କରିଥିବା ବେଳେ ମୋଦି, ନବୀନଙ୍କୁ ବାତ୍ୟା ମୁକାବିଲା ନେଇ ପ୍ରଶଂସା କରିବା ଦିଦିଙ୍କୁ ଆଉ ଟିକେ ରଗାଇବ ନିଶ୍ଚୟ ।

Leave a Reply