ଆଜି ରାଉରକେଲା ଆଜିଏଚରେ ଖୋଲିବ ପ୍ଲାଜମା ବ୍ୟାଙ୍କ… ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ରାଜ୍ୟରେ ପ୍ଲାଜମା ଥେରାପି ଏବେ ସଂକ୍ରମିତଙ୍କ ପାଇଁ ରାମବାଣ ସାବ୍ୟସ୍ତ ହୋଇଛି । ଏବେ ସୁଦ୍ଧା କରୋନାରୁ ସୁସ୍ଥ ହୋଇଥିବା ୨୮ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିଛନ୍ତି । ଏହି ପ୍ଲାଜମା ୩୩ଜଣ ସଂକ୍ରମିତଙ୍କୁ ଦିଆଯାଇଛି । ଏଥିରେ ୨୩ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ।

ସେ ମଧ୍ୟରୁ ୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସହରରେ ଏବେ ପ୍ଲାଜମା ବ୍ୟାଙ୍କ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଖୋଲିବାକୁ ଯାଉଛି ପ୍ଲାଜମା ବ୍ୟାଙ୍କ ।

ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ । ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିବେ । ପ୍ଲାଜମା ବ୍ୟାଙ୍କରେ ସୁନ୍ଦରଗଡ ସହ ପଶ୍ଚିମ ଓଡିଶା ରୋଗୀମାନେ ମଧ୍ୟ ଉପକୃତ ହୋଇପାରିବେ । ପ୍ଲାଜମା ଥେରାପି ସଫଳତାର ସହ କାମ କରୁଥିବାରୁ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି ।

ସେହିପରି ଗତ ୪ ମାସ  ମଧ୍ୟରେ ରାଜ୍ୟରେ ଟେଷ୍ଟିଂ ପରିମାଣ ବଢ଼ିଛି । ଏଯାବତ୍ ରାଜ୍ୟରେ ମୋଟ୍ ୫ ଲକ୍ଷ କରୋନା ଟେଷ୍ଟିଂ ହୋଇସାରିଛି ।  ପ୍ରଥମ ୧ ଲକ୍ଷ କରୋନା ଟେଷ୍ଟିଂ ପାଇଁ ପାଇଁ ୧୦ ସପ୍ତାହ ଲାଗିଥିଲା ତେବେ ଶେଷ ୧ ଲକ୍ଷ ଟେଷ୍ଟିଂ ମାତ୍ର ୧୦ ଦିନ ମଧ୍ୟରେ ସମ୍ଭବ ହୋଇପାରିଥିଲା । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ଯୋଗୁଁ ଏହି ସଫଳତା ହାସଲ କରିପାରିଛୁ ବୋଳି କହିଛନ୍ତି ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ କୋଭିଡ ଟେଷ୍ଟିଂ ଚାଲିଛି । ୩୫ ସରକାରୀ ଓ ୯ଟି ଘରୋଇ ଲାବ୍ରୋଟାରୀ ପରୀକ୍ଷା ଚାଲିଛି । ବିଭିନ୍ନ ମାଧ୍ୟମରେ ଆମର ଟେଷ୍ଟିଂ ଚାଲିଛି । ଏଭଳି କି ମୋବାଇଲ ଲାବ୍ରେଟାରୀରେ ମଧ୍ୟ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂ ବଢ଼ୁଛି ଏଣୁ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହେଉଛନ୍ତି । ଯେତେଶୀଘ୍ର ପଜିଟିଭ୍‌ ରୋଗୀଙ୍କୁ ଚିହ୍ନଟ କରାଯାଇ ପାରିବ ଅନ୍ୟକୁ ସଂକ୍ରମିତ ହେବାରୁ ରୋକାଯାଇପାରିବ ।

ଏହି ପ୍ରକ୍ରିୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟା ଏଣିକି କମିବାରେ ଲାଗିଛି । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବା । ଏବଂ ଲକ୍ଷଣ ଦେଖାଗଲେ ଟେଷ୍ଟିଂ କରାଇବାକୁ ପରାମର୍ଶ ଦେଇଛନ୍ତି ଶଳିନୀ ପଣ୍ଡିତ ।

Leave a Reply