ଶରତ ଋତୁରେ ମନ କିଣୁଛି ଗୋଲାପି କାଶତଣ୍ଡୀ

ଭୁବନେଶ୍ୱର:  ପ୍ରକୃତିର ଏକ ମନରୋମ ଦୃଶ୍ୟ କାଶତଣ୍ଡି । ଶରତ ଋତୁରେ କାଶତଣ୍ଡିରେ ହସି ଉଠେ ପୃଥିବୀ । ଏହାର ମନଲୋଭା ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆନମନା କରେ । ରାସ୍ତା କଡ଼ରୁ ଆରମ୍ଭ କରି ନଦୀପଠା ପର୍ଯ୍ୟନ୍ତ ଚାରିଆଡ଼େ କାଶତଣ୍ଡିର ସମ୍ଭାର । ମୃଦୁ ପବନର ଛୁଆଁରେ ଲହରେଇ ଲହରେଇ ନାଚିଯାଏ, ଆଉ ତାକୁ ଦେଖିବାମାତ୍ରେ ମନରେ ଖେଳିଯାଏ ଅପାର ପୁଲକ । ଧରା କୋଳରେ କାଶତଣ୍ଡିକୁ ଦେଖି ରାସ୍ତାରେ ଯାଉଥିବା ବାଟୋଇ ମଧ୍ୟ କିଛିକ୍ଷଣ ପାଇଁ ଅଟକିଯାଏ । ତାକୁ ଦେଖିବାମାତ୍ରେ ଲାଗେ ସତେ ଯେମିତି ସବୁଜ ଗାଲିଚା ଉପରେ ଧଳା ରଙ୍ଗର ଶାଢୀ ପିନ୍ଧି ଧରା ସଜେଇ ହୋଇଛି । ଆଉ ଏହି କାଶତଣ୍ଡି ଆବାହନ କରେ ଜଗତଜନନୀ ମା ଦୂର୍ଗାଙ୍କୁ ।

ଧଳା ରଙ୍ଗର କାଶତଣ୍ଡି ଯଦିଓ ଆପଣ ଶରତ ଋତୁ ଆସିବା ମାତ୍ରେ ସ୍ଥାନେ ସ୍ଥାନେ ଦେଖିଥିବେ, ତଥାପି ଗୋଲାପି ରଙ୍ଗର କାଶତଣ୍ତି କଥା ସାମାନ୍ୟ ଭିନ୍ନ । କେବଳ ଧଳା ନୁହେଁ ଦେଶ ବିଦେଶରେ ଗୋଲାପି ରଙ୍ଗର କାଶତଣ୍ଡି ମଧ୍ୟ ଦେଖିବାକୁ ମିଳେ । ଏହି କାଶତଣ୍ଡି ପିଙ୍କ୍ ମୁହଲି ଘାସ ନାମରେ ପରିଚିତ । ଶରତ ଋତୁରେ ଏହାକୁ ଦେଖିବା ମାତ୍ରେ ଲାଗେ ସତେ ଯେମିତି ଗୋଲାପି ରଙ୍ଗର ବାଦଲରେ ଧରା ନବବଧୂ ଭଳି ସଜେଇ ହୋଇଛି ।

୨୦୧୪ରେ ଜେଜୁ ଆ ଆଇଲ୍ୟାଣ୍ଡରେ ଏକ ରେଷ୍ଟୁରାଣ୍ଟ ଏବଂ ଚର୍ଚ୍ଚରେ ପିଙ୍କ୍ ମୁହଲି ଘାସକୁ ରୋପଣ କରାଯାଇଥିଲା । କିନ୍ତୁ ଜେଜୁ ଇକୋ ପାର୍କରେ ରୋପଣ ପରେ ଏହାର ନାମକରଣ ହୋଇଥିଲା । ଏବେ ୩୨ଟି ସ୍ଥାନରେ ପିଙ୍କ୍ ମୁହଲି ଘାସ ପାର୍କ ରହିଛି । ଏହାର ଲମ୍ବ ପ୍ରାୟ ୯୦ ସେଣ୍ଟିମିଟର । ସେପ୍ୱେମ୍ବର ଆରମ୍ଭରୁ ନଭେମ୍ବର ଆରମ୍ଭ ପର୍ଯ୍ୟନ୍ତ ଧରଣୀକୁ ସଜେଇ ଦିଏ ଏହି ଗୋଲାପି କାଶତଣ୍ଡି ।
ଏହି କାଶତଣ୍ଡି ବିଭିନ୍ନ ସ୍ଥାନରେ ପ୍ରସିଦ୍ଧତା ଲାଭ କରିଛି ।

Leave a Reply