ତୁଳସୀ ମାଳା ପକାଇ ପୂଜା ପାଉଥିଲେ ବାବା, ଏବେ ପୋଲିସ ଭୟରେ ଫେରାର

Human God Hanshbaba

ଜଗତସିଂହପୁର: ସାରଥି ବାବା କଥା ଲୋକଙ୍କ ମନରୁ ନଲିଭୁଣୁ ଏବେ ପୁଣି ଜଣେ ଆତ୍ମଘୋଷିତ ବାବାଙ୍କ କାରନାମା ସାମ୍ନାକୁ ଆସିଛି । ନିଜକୁ ବାବା ବୋଲି କହି ଲୋକଙ୍କଠାରୁ ପାଉଛନ୍ତି ସେବା । ଏମିତିକି ଲୋକେ ଭଗବାନ ଭଳି ପୂଜା ମଧ୍ୟ କରୁଛନ୍ତି । ଗୋଡ଼ଠୁ ମୁଣ୍ଡଯାଏଁ ଭର୍ତ୍ତି ଫୁଲମାଳ । ଖାଲି ଫୁଲମାଳ ନୁହେଁ ବରଂ ତୁଳସି ମାଳରେ ମଧ୍ୟ ଆତ୍ମଘୋଷିତ ବାବା ଆଚ୍ଛାଦିତ । ବାବାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ବାବା ହେଉଛନ୍ତି ସ୍ୱୟଂ ଭଗବାନ ।

 

ବଡ଼ ସିଂହାସନରେ ବସି ଲୋକଙ୍କଠାରୁ ପାଉଛନ୍ତି ପୂଜା । ମନ୍ଦିରରେ ସାଇବାବାଙ୍କୁ ଆଳତି କରାଯିବା ଭଳି ଏଠି ବାବାଙ୍କୁ ଆଳତି କରାଯାଉଛି । ଏଭଳି ଘଟଣା ଏବେ ସାମ୍ନାକୁ ଆସିଛି ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍‌ ସନ୍ତରା ଗାଁରୁ । ଏହି ଗାଁର ସାଇ ମନ୍ଦିରରେ ପୂଜା ପାଉଛନ୍ତି ଆତ୍ମଘୋଷିତ ମଣିଷ ବାବା । ଲୋକ ହଂସବାବା ନାଁରେ ତାଙ୍କୁ ଜାଣନ୍ତି । ଗୋଡ଼ଠୁ ମୁଣ୍ଡଯାଏ ଫୁଲ ମାଳ ସହ ତୁଳସୀ ମାଳା ପକାଇ ପୂଜା ପାଉଛନ୍ତି ଏହି ହଂସବାବା । ଠିକ୍‌ ସାଇଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବସି ପୂଜା ପାଉଛନ୍ତି ଏହି ମଣିଷ ବାବା ।

ହେଲେ ଏହି ଘଟଣା ଧିରେ ଧିରେ ଲୋକ ଲୋଚନକୁ ଆସିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । କିଛି ଲୋକ ବାବାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଥିବା ଜଣାପଡ଼ିଛି । ତେଣୁ ବାବା କୌଣସି ସମ୍ଭାବ୍ୟ ବିପଦକୁ ଏଡ଼ାଇ ଦେଇ ସେଠାରୁ ଫେରାର ହୋଇଯାଇଛି । କାଳେ ପୋଲିସ ଗିରଫ କରିବ କି ଲୋକଙ୍କ ଆକ୍ରାଶର ଶିକାର ହେବେ ସେନେଇ ଭୟ ସଞ୍ଚାର ହେବାରୁ ବାବା ଏବେ ଫେରାର ରହିଛନ୍ତି । ତେବେ ଏହି ଆତ୍ମଘୋଷିତ ହଂସବାବାଙ୍କର ୩ଜଣ ଚେଲାଙ୍କୁ ପୋଲିସ ଗିରଫ କରିଛି । ଆଉ ବାବାଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।

Leave a Reply