କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର: କରୋନା ପାଇଁ ଜାରି ରହିଛି ଲକଡାଉନ । ବିଭିନ୍ନ ସ୍ଥାନରେ ଫସିରହିଛନ୍ତି ଲୋକେ । ଗରିବ ଓ ଦିନ ମଜୁରିଆ ଖାଇବାକୁ ପାଉନାହାଁନ୍ତି । ରାସନ କାର୍ଡ ନଥିବା ଲୋକେ ବି ନାନା ହଇରାଣ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ଓ୍ୱାନ୍‌ ନେସନ୍‌ ଓ୍ୱାନ୍‌ ରାସନ୍‌ ନୀତିକୁ ଅସ୍ଥାୟୀ ଭାବେ ଲାଗୁ କରିବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି । ଯାହାକୁ ନେଇ ଏବେ ଗୋଟିଏ ଦେଶ ଗୋଟିଏ ରାସନ ଚର୍ଚ୍ଚା ପୁଣି ତାଜା ହୋଇଛି । ବିଜେପି କଂଗ୍ରେସ ବର୍ତ୍ତମାନ ସମୟରେ ଏହାକୁ ଲାଗୁ କରିବା ନେଇ ଭିନ୍ନ ଭିନ୍ନ ମତ ରଖିଛନ୍ତି । ସେପଟେ ଶାସକ ବିଜେଡି କହିଛି ରାସନକାର୍ଡ ନଥିଲେ ମଧ୍ୟ ଗରିବ ଲୋକଟିଏ ରାସନ ପାଇବ, ଏ ଘୋଷଣା ମୁଖ୍ୟମନ୍ତ୍ରୀ କରି ସାରିଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ପରାମର୍ଶ ସମୟସାପେକ୍ଷ ବୋଲି ଦଳ କହିଛି

ଓ୍ୱାନ୍‌ ନେସନ୍‌ ଓ୍ୱାନ୍‌ ରାସନ୍‌। ଲକ୍‌ଡାଉନ ସମୟରେ ଦାନା ବାନ୍ଧିଛି ଏ ଚର୍ଚ୍ଚା। କାର୍ଡ ନଥିବା ଓ ରାସନକାର୍ଡ ଥାଇ ବାହାର ରାଜ୍ୟରେ ଫସିଥିବା ଲୋକେ ରାସନ ସାମଗ୍ରୀ ପାଉନାହାଁନ୍ତି । ତେଣୁ ସୁପ୍ରିମକୋର୍ଟ ଅସ୍ଥାୟୀ ଭାବେ ଗୋଟିଏ ଦେଶ ଗୋଟିଏ ରାସନକାର୍ଡ ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି । ଏହାଦ୍ଵାରା ଲୋକମାନେ ଯେକୈାଣସି ସ୍ଥାନରେ ଥାଇ ମଧ୍ୟ ସାମଗ୍ରୀ ପାଇପାରିବେ । ସୁପ୍ରିମକୋର୍ଟଙ୍କ ବିଚାରପତି ଏନ.ବି. ରମନ୍ନା, ଜଷ୍ଟିସ ସଂଜୟ କିଷନ କାଉଲ, ଜଷ୍ଟିସ ବି.ଆର. ଗ୍ରାଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ରକୁ ଏହି ପରାମର୍ଶ ଦେଇଛନ୍ତି ।

କାରଣ ଅଭାବୀ ଓ ପ୍ରବାସୀ ଶ୍ରମିକମାନେ ନିଜ ରାସନକାର୍ଡ ବଳରେ ଯେକୈାଣସି ସ୍ଥାନରେ ବି ସରକାରଙ୍କ ସବସିଡି ସାମଗ୍ରୀ ପାଇପାରିବ ବୋଲି ଖଣ୍ଡପୀଠ କହିଛି । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ସ୍ୱାଗତଯୋଗ୍ୟ, ହେଲେ ଏହା ସମୟସାପେକ୍ଷ ବୋଲି ବିଜେପି କହିଛି । ଏପଟେ କଂଗ୍ରେସ କହିଛି, ସରକାର ତୁରନ୍ତ ଏହାକୁ ଲାଗୁ କରନ୍ତୁ ।  ସେପଟେ ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡିଆଙ୍କ ପାଖରେ ରାସନକାର୍ଡ ଥାଉ କି ନଥାଉ ଚାଉଳ ମିଳିବ । ମୁଖ୍ୟମନ୍ତ୍ରୀ ପୂର୍ବରୁ ଏ ଘୋଷଣା କରି ସାରିଛନ୍ତି । ତେବେ ଗୋଟିଏ ଦେଶ, ଗୋଟିଏ ରାସନକାର୍ଡକୁ ବିଜେଡି ମଧ୍ୟ ସ୍ୱାଗତ କରିଛି । ହେଲେ ଏହା ସମୟସାପେକ୍ଷ ।

କେନ୍ଦ୍ର ସରକାର ପୂର୍ବରୁ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ କରିବାକୁ ଚିନ୍ତା କରୁଛନ୍ତି । ଜୁନ ମାସରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରିବାକୁ ଯୋଜନା କରୁଥିଲେ।

Leave a Reply