ରାମବିଳାସ ପାଶୱାନଙ୍କ ମୃତ୍ୟୁର ନ୍ୟାୟିକ ଯାଞ୍ଚ ଦାବି କଲେ ଜୀତନରାମ ମାଝି

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ଏକମାତ୍ର ଅଣବିଜେପି କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ । ନିକଟରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ସମୟରେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁତ୍ର ଚିରାଗ ପାଶୱାନ ଟୁଇଟ୍ କରି ସମସ୍ତଙ୍କୁ ଅବଗତ କରାଇଥିଲେ । ହେଲେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପାଶୱାନଙ୍କ ମୃତ୍ୟୁକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚା(ହମ୍)ର ନେତା ଜୀତନରାମ ମାଝୀ ।

ବିହାରର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ପରୋକ୍ଷରେ ଚିରାଗ ପାଶୱାନଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଛନ୍ତି । କେବଳ ଏତିକି ନୁହେଁ, କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନ ଚିକିତ୍ସିତ ଥିବା ବେଳେ ନିୟମିତ ବ୍ୟବଧାନରେ ମେଡିକାଲ ବୁଲେଟିନ୍ ବାହାରିବା କଥା । ହେଲେ ସେଥିରେ ବ୍ୟତିକ୍ରମ ହୋଇଥିଲା । ତେଣୁ ରାମବିଳାସ ମୃତ୍ୟୁ ସ୍ୱାଭାବିକ ନା ଅସ୍ୱାଭାବିକ ଥିଲା , ସେ ନେଇ ସନ୍ଦେହ ସୃଷ୍ଟି ହେଉଛି ।ଏହି କ୍ରମରେ ସତ କ’ଣ ଜାଣିବା ପାଇଁ ନ୍ୟାୟିକ ତଦନ୍ତ ସପକ୍ଷରେ ଯୁକ୍ତି ରଖିଛନ୍ତି ଜୀତନରାମ ମାଝୀ । ମାଝୀଙ୍କ ଏହି ନିଷ୍ପତ୍ତି ପରେ ହମର ମୁଖପାତ୍ର ଡକ୍ଟର ଦାନିଶ ରିଜୱାନ ଏହି ଦାବି ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ।

ଏହି ଚିଠି ଲେଖା କାଣ୍ଡ ପରେ ପ୍ରତିକ୍ରିୟା ରଖିଛନ୍ତି ରାମବିଳାସଙ୍କ ପୁତ୍ର ଚିରାଗ । ସେ କହିଛନ୍ତି ଯେ, ତାଙ୍କ ପିତା ହସ୍ପିଟାଲରେ ପଡିଥିବା ସମୟରେ ମାଝୀ ଫୋନ କରି ନ ଥିଲେ । ଏବେ ମୃତ୍ୟୁ ପରେ ରାଜନୀତି କରାଯାଉଛି  ବୋଲି ଚିରାଗ କହିଛନ୍ତି । ସେହିପରି ପାଶୱାନଙ୍କ ଦଶାହ ଏବଂ ଏକାଦଶାହ କର୍ମ ଚାଲୁଥିବା ସମୟରେ ନିର୍ବାଚନ ପାଇଁ ରାମବିଳାସ ପାଶୱାନଙ୍କ ଫଟୋ ଚିତ୍ର ନିକଟରେ ଛିଡା ହୋଇ ଭିଡିଓ ସୁଟ୍ କରୁଥିଲେ ଚିରାଗ । ଏଥିରେ ସେ ଶୋକସନ୍ତପ୍ତ ନ ଥିବା ପରି ଦିଶୁ ଥିଲେ । ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା ।

.

Leave a Reply