କାଲି ସଂସଦ ଅଧିବେଶନ; କ’ଣ ରହିଛି ବିରୋଧୀ ଓ ସରକାରଙ୍କ ପ୍ରସ୍ତୁତି, କେଉଁ ପ୍ରସଙ୍ଗରେ ହେବ ଆଲୋଚନା, ଜାଣନ୍ତୁ…

1 min read

ନୂଆଦିଲ୍ଲୀ: କାଲି ସଂସଦ ଅଧିବେଶନ ବସିବ । କରୋନା କାଳର ବିଳମ୍ୱ ପରେ ସରକାର ସଂସଦ ଅଧିବେଶନ ପାଇଁ ନିଷ୍ପତ୍ତି ନେଲେ । ହେଲେ ପ୍ରଶ୍ନ କାଳକୁ ଅନୁମତି ମିଳିଲାଣି । ପ୍ରଶ୍ନ କାଳ ନରହିଲେ କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ କମିବ ବୋଲି କହି ବିରୋଧୀ ସରକାରଙ୍କୁ ପ୍ରଶ୍ନ କଲେ । ତେବେ ପ୍ରଶ୍ନକୁ ଲୁଚିବା ପାଇଁ ହେଉ କିମ୍ୱା କରୋନା ବେଳେ ସ୍ୱାସ୍ଥ୍ୟଜନିତ ଦାୟିତ୍ୱବୋଧ ଦେଖାଇବା ପାଇଁ ହେଉ, ସରକାର ନିଜ ନିଷ୍ପତ୍ତିରେ ଅଟଳ ରହିଲେ । ଏଇ ଭିତରେ ଆରମ୍ଭ ହେଉଛି ଚଳିତ ଥର ମୌସୁମୀ ଅଧିବେଶନ । ତେବେ ଅଧିବେଶନରେ ଆଲୋଚନା ପାଇଁ ପ୍ରସଙ୍ଗର ଅଭାବ ନାହିଁ । ଦେଶ, ଅତି କମରେ ଦୁଇ ଦଶନ୍ଧୀରେ ଏଭଳି ଏକ ସ୍ଥିତି ଦେଖିନଥିଲା । ବିତ୍ତୀୟ ସମସ୍ୟାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟଜନିତ ସମସ୍ୟା ଓ ଦେଶରେ ନିଯୁକ୍ତି ଅଭାବ ଭଳି ପ୍ରସଙ୍ଗ ସରକାରଙ୍କୁ ସଂସଦରେ ମୁହଁ ଲୁଚାଇବାକୁ ବାଧ୍ୟ କରିପାରେ । ତେବେ ଅଧିବେଶନ ପାଇଁ କେମିତି ପ୍ରସ୍ତୁତି କରିଛନ୍ତି ସରକାର ଓ ବିରୋଧୀ ?

ବିରୋଧୀଙ୍କ ପ୍ରସ୍ତୁତି କେମିତି ?

ସରକାର ୧୧ଟି ବିଧେୟକ ଅଧ୍ୟାଦେଶ ଆଧାରରେ ଆଣିଛନ୍ତି । ଏବେ ସେସବୁକୁ ସଂସଦ ଆଗରେ ଉପସ୍ଥାପନ କରିବେ । ୧୧ଟି ମଧ୍ୟରୁ ୪ଟି ବିବାଦୀୟ ବିଧେୟକ ଉପରେ ବିରୋଧୀ ସରକାରଙ୍କୁ ପ୍ରଶ୍ନ କରିବେ । ବିଲର ଉଦ୍ଦେଶ୍ୟ ଓ ସମସ୍ୟାକୁ ନେଇ ବିରୋଧୀ ଆଲୋଚନା ଲୋଡ଼ିବେ । ମୁଖ୍ୟତଃ ଦେଶରେ ବ୍ୟାଙ୍କିଙ୍ଗ୍ ରେଗୁଲେସନରେ ହୋଇଥିବା ସଂଶୋଧନ ଓ କୃଷି କ୍ଷେତ୍ରରେ ହୋଇଥିବା ପ୍ରମୁଖ ୩ଟି ବିଧେୟକକୁ ବିରୋଧୀ ଘେରିବେ । କଂଗ୍ରେସ ଦଳ ନେତା ଜୟରାମ ରମେଶ ସରକାରଙ୍କୁ ଘେରିବା ପାଇଁ  ଅନ୍ୟ ବିରୋଧୀ ଦଳଙ୍କର ସମର୍ଥନ ମଧ୍ୟ ଲୋଡ଼ିଛନ୍ତି । ଏକାଠି ହୋଇ ସରକାରଙ୍କୁ ଉତ୍ତର ମାଗିଲେ ସୁସ୍ଥ ଗଣତନ୍ତ୍ରଟିଏ ଦେଖିବାକୁ ମିଳିପାରେ ।

ଏସବୁ ବ୍ୟତୀତ କରୋନା ଭିତରେ ୩ଟି ପ୍ରମୁଖ ପ୍ରସଙ୍ଗ, ଏବେ ସବୁଠାରୁ ଅଧିକ ଆଲୋଚନାର ବିଷୟବସ୍ତୁ । କରୋନା ମହାମାରୀ ସମୟରେ ପରିଚାଳନାଗତ ତ୍ରୁଟି, ନିମ୍ନଗାମୀ ଅର୍ଥନୀତି ଓ ଭାରତ-ଚୀନ ମଧ୍ୟରେ ଥିବା ସୀମା ବିବାଦକୁ ନେଇ ସଂସଦରେ ହଟ୍ଟଗୋଳ ହେବା ଏକପ୍ରକାରର ନିଶ୍ଚିତ । ସରକାର ଏସବୁର ଉତ୍ତର ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ଏସବୁ ବାଦ, କିଛି ଏଭଳି ପ୍ରସଙ୍ଗ ରହିଛି, ଯାହା ଉପରେ ମଧ୍ୟ ବିରୋଧୀ ଆଲୋଚନା କରିପାରନ୍ତି । ପିଏମ କେୟାର ଫଣ୍ଡରେ ସରକାର ତଥ୍ୟ ନଦେବା ଓ ଲକଡାଉନ୍ ବେଳେ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାରେ ହୋଇଥିବା ସମସ୍ୟା ଉପରେ ମଧ୍ୟ ଆଲୋଚନା ହେବ । ଅନେକ ଶ୍ରମିକ ଦେଶର ଗୋଟିଏ କୋଣ ଅନ୍ୟ କୋଣକୁ ଚାଲିଚାଲି ଫେରିଛନ୍ତି । ଅନେକ ଅଧାରାସ୍ତାରେ ଜୀବନ ବି ଛାଡ଼ିଛନ୍ତି । ସରକାର ଜୀବନ ମୂଲ୍ୟ କେତେ ବୁଝିଲେ, ତା’ ଉତ୍ତର ପାଖରେ ରଖନ୍ତୁ । ସଂସଦରେ ସଫଇ ଦେବାରେ କାମ ଦେବ । ଶ୍ରମିକଙ୍କ ଜୀବନ ତ ଫେରିବନି, ହେଲେ ସରକାରଙ୍କ ଉତ୍ତର ସାରା ଦେଶବାସୀ ଚାହିଁବେ, ନିହାତି । ଏସବୁ ରହିଲା ପ୍ରସଙ୍ଗ । ମାତ୍ର ପ୍ରସଙ୍ଗକୁ ବିରୋଧୀ କିଭଳି ଭାବେ ଉପସ୍ଥାପିତ କରୁଛନ୍ତି ସେନେଇ ଅନେକ ଆଶଙ୍କା । ବିରୋଧୀ ମୋଦୀ-ରାଜରେ ଏକ ସ୍ୱରରେ ଗର୍ଜିପାରିବେ କି ନାହିଁ ତାହା ଏକ ବଡ଼ ପ୍ରଶ୍ନ । ବିରୋଧୀଙ୍କର ମତ ମେଳ ନଖାଇଲେ ବିରୋଧ ପ୍ରଭାବଶୂନ୍ୟ ହେବ, ନିଶ୍ଚୟ ।

ସରକାରଙ୍କ ପ୍ରସ୍ତୁତି କ’ଣ ?

ପ୍ରଥମ ଦିନରେ, କେନ୍ଦ୍ର ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ (ସଂଶୋଧନ) ବିଲ୍, ୨୦୨୦କୁ ପ୍ରତ୍ୟାହାର କରିବାକୁ ସ୍ଥିର କରିଛି ସରକାର । ଏଥିପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଏକ ପ୍ରସ୍ତାବ ରଖିବେ। ବ୍ୟାଙ୍କ ନିୟମାବଳୀ ଅଧିନିୟମ, ୧୯୪୯ରେ ସଂଶୋଧନ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୩ରେ ଲୋକସଭାରେ ବଜେଟ୍ ଅଧିବେଶନରେ ଏହି ବିଲ୍ ଆଗତ କରାଯାଇଥିଲା। ଏବେ ଏହାକୁ ହଟେଇ ନୂଆ ଆଇନ ପାଇଁ ସରକାର ପ୍ରସ୍ତୁତି ଚଳାଉଛନ୍ତି । ଏହା ବ୍ୟତୀତ, ସରକାର, Banking Regulation (Amendment) Bill, 2020,  Members of Parliament (Amendment) Bill, 2020, Essential Commodities (Amendment) Bill, 2020, Bilateral Netting of Qualified Financial Contracts Bill, 2020 ଭଳି ଅନେକ ବିଲ୍ ଆଗତ କରିବେ ।

 

 

Leave a Reply