ମୋ ପୁଅକୁ କ୍ଷମା କର, କ’ଣ ପାଇଁ ଏମିତି କହିଲେ ସରୋଜର ମା’ ?

ନୟାଗଡ: ପରୀ ହତ୍ୟାକାଣ୍ଡକୁ ନେଇ ପୁରା ରାଜ୍ୟ ସ୍ତବ୍ଧ ରହିଛି । ରାଜନୀତି ଭିତରେ ସତକୁ ପଦାକୁ ଆଣିଛି ଏସଆଇଟି । ହତ୍ୟାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ଧରା ପଡିସାରିଛି । କିନ୍ତୁ ରାଜନୀତି ସରୁନାହିଁ । ପରୀ ହତ୍ୟାକାଣ୍ଡକୁ ନେଇ ରାଜନୀତି ଚାଲିଥିବା ବେଳେ ଅଭିଯୁକ୍ତ ସରୋଜ ସେଠୀର ମା’ଙ୍କ ବୟାନ ସାମ୍ନାକୁ ଆସିଛି ।

ମିଡିଆ କ୍ୟାମେରା ସାମ୍ନାରେ ସରୋଜର ମା’ ପୁଅର କାଣ୍ଡ ପାଇଁ ହାତଯୋଡି କ୍ଷମା ମାଗୁଛନ୍ତି । ଯୋଡହସ୍ତରେ ସରୋଜର ମା’ କହୁଛନ୍ତି ମୋ ପୁଅକୁ କ୍ଷମା କର । ସେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ଅପିଲ କରି କହୁଛନ୍ତି ବୋଥ୍ରା ସାର ମୋ ପୁଅକୁ କ୍ଷମାକର । ମୋ ବାଳୁତ ପୁଅକୁ ବୋଥ୍ରା ସାର କ୍ଷମା କରନ୍ତୁ । ଏମିତି କହୁଛନ୍ତି ସରୋଜର ମା’ ।

ପରେ ମିଡିଆକୁ ସରୋଜଙ୍କ ମା’ କହିଥିଲେ ଯେ, ମୁଁ ତ ଦେଖିନି ସେ ଏମିତି କଲା ବେଳେ। ତା ଭୁଲ ସିଏ ଜାଣିଥିବ ଓ ଭଗବାନ ଜାଣିଥିବେ। ଦୋଷର କ୍ଷମା ଥାଏ। ଭଗବାନ ଜାଣିଥିବେ ତାକୁ କାହିଁକି ଅପରାଧ ଆଡ଼କୁ ନେଲେ। ମାଆ ଭାବରେ ମୁଁ ତାକୁ ସବୁବେଳେ ଗାଳି କରେ। ସେ କହେ ଏତିକି କହିବାକୁ ପାପର କ୍ଷୟ, ଧର୍ମର ଜୟ। ମୁଁ ଏହି କଥା ପଚାରିଲାବେଳେ ପୁଅ କହିଲା ଯେ ବୋଉ ତୁ ପୋଲିସ ପରି କାହିଁକି ମତେ ପଚାରୁଛୁ। ସିଏ ଭୁଲ କରିଥିଲେ ଶାସ୍ତି ପାଇବେ, ନ ହେଲେ କଣ ମୁଁ ପାଇବି। ଯଦି ଅରୁଣ ବୋଥ୍ରାଙ୍କ ଦୟା ହେବ, ସେ କ୍ଷମା ଦେବେ। ମୁଁ ଆଉ କିଛି କରି ପାରିବିନି, ଭଗବାନ ଯାହା କରିବେ। ମତେ କେହି ଚାକିରୀ ନେଇ ଯିବାର ଧମକ ଦେଇ ନାହାନ୍ତି।
ପରି ଘର ଆମ ଘର ବହୁତ ଭଲ ସମ୍ପର୍କ।

ସୂଚନାଯୋଗ୍ୟ ଯେ, ଜୁଲାଇ ମାସରେ ହୋଇଥିବା ହତ୍ୟା ମାମଲାକୁ କ୍ରାକ୍ କରିବାରେ ସଫଳ ହୋଇଛନ୍ତି ବୋଥ୍ରା ଓ ତାଙ୍କ ଟିମ୍ । ଚାଇଲ୍ଡ ପର୍ଣ୍ଣ ଦେଖିବାରେ ଅଭ୍ୟସ୍ତ ସରୋଜ ପରୀକୁ ଏକାକୀ ପାଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ସେଥିରେ ବିଫଳ ହେବା ପରେ ଧରା ପଡିବା ଭୟରେ ସେ ତା’ ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟା ପରେ ପରୀ ସହିତ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଛି ।

ପରୀ ମାମଲାରେ ସରୋଜର ଗିରଫଦାରୀ ପରେ ଭଉଣୀ ଏହା ବିରୋଧରେ ବୟାନ ଦେଇଥିଲେ । କିନ୍ତୁ ଏବେ ମା’ଙ୍କ ବୟାନରୁ ସତ ସାମ୍ନାକୁ ଆସିଛି ।

Leave a Reply