ଏଟିଏମ୍‌ରୁ ବାହାରୁଛି କାଗଜ ପେଷ୍ଟ ଥିବା ନୋଟ୍, ଚିନ୍ତାରେ ଚାଷୀ ଆନନ୍ଦ ବିଶି

ବୌଦ୍ଧ: ଏଟିଏମ୍‌ରୁ ବାହାରୁଛି ରିପ୍ୟାରିଂ ନୋଟ୍‌ । ଚିନ୍ତାରେ ଚାଷୀ । କେମିତି ଚଳାଇବେ ଏହି ଟଙ୍କା । ବ୍ୟାଙ୍କକୁ ଫେରାଇଲେ ଏହି ଟଙ୍କା ନେବ ତ ? ଏଭଳି ଅନେକ ପ୍ରଶ୍ନ ଏବେ ମନରେ ଉଙ୍କି ମାରୁଛି ।

ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ଚାରିଛକରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ । କରଡ଼ାକୋଠା ଗ୍ରାମର ଜଣେ ଚାଷୀ ଆନନ୍ଦ ବିଶି ଏହି ଏଟିଏମ୍‌ରୁ ଟଙ୍କା ବାହାର କରିବା ପାଇଁ ଆସିଥିଲେ । ସେଠାରେ ପହଞ୍ଚିବା ପରେ ସେ ଦୁଇ ଥର ଟଙ୍କା ଉଠାଇଥିଲେ । ଥରକେ ୯ ହଜାର ହିସାବରେ ସେ ମୋଟ ୧୮ ହଜାର ଟଙ୍କା ଉଠାଇଥିଲେ ।

ହେଲେ ଦୁର୍ଭାଗ୍ୟର କଥା ଏଟିଏମ୍‌ରୁ ବାହାରିଥିବା ନୋଟ୍‌ ଗୁଡ଼ିକ ମଧ୍ୟରୁ ପ୍ରାୟ ୧୬ଟି ୫ଶହ ଟଙ୍କିଆ ନୋଟ୍‌ରେ କାଗଜ ପେଷ୍ଟ କରାଯାଇଛି । ୧୮ ହଜାର ଟଙ୍କାରୁ ପ୍ରାୟ ୮ ହଜାର ଟଙ୍କାର ନୋଟ୍‌ ଅଚଳ ରହିଥିବାରୁ ଚାଷୀ ଆନନ୍ଦ ବିଶି ଏବେ ଚିନ୍ତାରେ ।

ସୂଚନାଯୋଗ୍ୟ ଯୋଗ୍ୟ ଏଟିଏମ୍‌ରୁ ଏଭଳି କାଗଜ ପେଷ୍ଟ ଥିବା ଟଙ୍କା ବାହାରିବା ପରେ ଆନନ୍ଦ ନିକଟସ୍ଥ ବ୍ୟାଙ୍କକୁ ଯାଇଥିଲେ । ହେଲେ ବ୍ୟାଙ୍କ ପକ୍ଷରୁ ସନ୍ତୋଷ ଜନକ ଉତ୍ତର ପାଇଲେ ନାହିଁ । ବ୍ୟାଙ୍କ ପକ୍ଷରୁ ସମବେଦନା ଜଣାଇବା ଓ ଅସୁବିଧା ବୁଝିବା ତ ଦୂରର କଥା, ତାଙ୍କୁ ବ୍ୟାଙ୍କରେ କ୍ୟାସିୟର ନାହାନ୍ତି ବୋଲି କହି ଫେରାଇ ଦିଆଗଲା । ଏବେ ଏତେ ପରିମାଣର ଟଙ୍କା ସେ କେମିତି ଫେରିପାଇବେ ବୋଲି ଚିନ୍ତାରେ ପଡ଼ିଯାଇଛନ୍ତି ।

ଆନନ୍ଦଙ୍କ ଅଭିଯୋଗ ଅନୁସାରେ ଏସବିଆଇ ଏଟିଏମ୍‌ରେ କର୍ମଚାରୀ ମାନେ ସଦ୍ୟ ଟଙ୍କା ଲୋଡ୍‌ କରି ଯିବା ପରେ ପରେ ସେ ଟଙ୍କା ଉଠାଇବାକୁ ଏଟିଏମ୍‌ରେ ପ୍ରବେଶ କରିଥିଲେ ।

Leave a Reply