ରାଫେଲକୁ ନେଇ ପାକିସ୍ତାନ ଛାନିଆଁ, ଭାରତ ଅସ୍ତ୍ରଶସ୍ତ୍ର ଠୁଳ ଉପରେ ରୋକ୍ ଲଗାଉ ବିଶ୍ୱ

1 min read

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ ସାମିଲ ହେବାକୁ ନେଇ ପାକିସ୍ତାନ ଛାନିଆଁ ହୋଇପଡ଼ିଛି । ଏଥିରେ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିବା ପାକିସ୍ତାନ ବିଶ୍ୱ ସମୁଦାୟ ଆଗରେ ଗୁହାରୀ ଲଗାଇଛି । ଭାରତ ଜମା କରୁଥିବା ଅସ୍ତ୍ରଶସ୍ତ୍ର ଉପରେ ରୋକ୍ ଲଗାଇବା ପାଇଁ ସାରା ଦୁନିଆକୁ ଅନୁରୋଧ କରିଛି । ଭାରତର ଏହି ପଦକ୍ଷେପ ପରେ ଦକ୍ଷିଣ ଏସିଆରେ ଅସ୍ତ୍ର ଯୁଦ୍ଧ ଆଶଙ୍କା କରିଛି ପାକିସ୍ତାନ ।

ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଗୁରୁବାର ଏନେଇ ଏକ ବିବୃତି ଜାରି କରିଛି । ଭାରତ ନିଜର ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ଓ ଶକ୍ତି ଉଭୟ ବୃଦ୍ଧି କରୁଛି । ଭାରତ ଏବେ ବିପୁଳ ଅସ୍ତ୍ରଶସ୍ତ ରଖିଥିବା ଦେଶ । ସୂଚନାଯୋଗ୍ୟ ଯେ, ବୁଧବାର ଭାରତର ଅମ୍ବାଲା ଏୟାରବେସରେ ୫ଟି ରାଫେଲ ବିମାନ ଲ୍ୟାଣ୍ଡିଂ କରିଥିଲା । ଏହି ସମୟରେ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ଆର୍.କେ.ଏସ୍ ଭଦୌରିୟା ଉପସ୍ଥିତ ଥିଲେ ।

ଫ୍ରାନ୍ସରୁ ଭାରତ ଆଣିବାକୁ ଥିବା ୩୬ଟି ରାଫେଲ୍ ବିମାନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫ଟି ପହଞ୍ଚିଛି । ଏହି ସବୁ ବିମାନ ମଙ୍ଗଳବାର ଫ୍ରାନ୍ସରୁ ଉଡ଼ାଣ ଭରିଥିଲା । ଆବୁଧାବିରେ ପହଞ୍ଚିବା ପରେ ସେଠାରୁ ଭାରତ ଅଭିମୁଖେ ପୁଣି ଉଡ଼ାଣ ଭରିଥିଲା । ବୁଧବାର ଦ୍ୱିପ୍ରହରରେ ଅମ୍ବାଲା ଏୟାରବେସରେ ପହଞ୍ଚିଥିଲା ରାଫେଲ । ଏହା ବାୟୁସେନାର ଶକ୍ତି ବଢ଼ାଇଥିବା ବେଳେ ଏହାକୁ ନେଇ ପାକିସ୍ତାନ ବିଚଳିତ ହୋଇପଡ଼ିଛି । ରାଫେଲ ପହଞ୍ଚିବାର ଦିନକ ପରେ ପାକିସ୍ତାନର ଏଭଳି ପ୍ରତିକ୍ରିୟା ତାର ବାଚଳାମିକୁ ପ୍ରମାଣିତ କରୁଛି ।

ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଫେଲ ବିମାନକୁ ସ୍ୱାଗତ କରିଥିଲେ । ସେ କହିଥିଲେ- ରାଫେଲ ଭାରତୀୟ ବାୟୁ ସେନାର ଆବଶ୍ୟକତା ପୂରଣ କରିପାରିବ । ଏହି ଲଢ଼ୁଆ ଯୁଦ୍ଧ ବିମାନ ଏକ ନୂଆ  ଯୁଗର ଆରମ୍ଭ କରିବ ବୋଲି କହିଥିଲେ ।

Leave a Reply