ଆରମ୍ଭ ହେଲା ଧାନ ସଂଗ୍ରହ ପ୍ରକ୍ରିୟା , ୯୦ ପ୍ରତିଶତ ଚାଷୀଙ୍କ ପାଖରେ ପହଞ୍ଚିଲାଣି ଟୋକନ

ବରଗଡ଼ : ରାଜ୍ୟରେ ଆଜିଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ପଶ୍ଚିମ ଓଡ଼ିଶାର ବରଗଡ ଜିଲ୍ଲାରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି । ବରଗଡ ଜିଲ୍ଲାରେ ୧ ଲକ୍ଷ ୩୩ ହଜାର ୯୪ ଜଣ ଚାଷୀ ଧାନବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ତନ୍ମଧ୍ୟରୁ ୧ ଲକ୍ଷ ୩୫ ହଜାର ୬୩୫ ଜଣ ଚାଷୀଙ୍କୁ ଟୋକନ ଦିଆଯାଇଛି । ବରଗଡ ଜିଲ୍ଲାରେ ସବୁ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି  । ପ୍ରାୟ  ୯୦ ପ୍ରତିଶତ ଚାଷୀଙ୍କ ପାଖରେ ଟୋକନ ପହଞ୍ଚିଛି ।

ଆସନ୍ତା ୧୨ତାରିଖରେ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ କରାଯିବ  । ସମ୍ବଲପୁର ଜିଲ୍ଲାରେ ୫୩ ହଜାର ୧୪୭ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ସେଥିମଧ୍ୟରୁ ୪୨ ହଜାର ୪୨୩ ଜଣଙ୍କୁ ଟୋକନ ଦିଆଯାଇଛି । ପୂର୍ବବର୍ଷ ଟୋକନ ବ୍ୟବସ୍ଥାରେ ଯେଉଁ କେତେକ ସମସ୍ୟା ଦେଖାଯାଇଥିଲା ତାକୁ ଚଳିତ ବର୍ଷ ସମାଧାନ କରାଯାଇଛି  । ସମସ୍ତ ଟୋକନର ଅବଧି  ଏକ ମାସ ରଖାଯାଇଛି । ଧାନ ସଂଗ୍ରହର ୭ ଦିନ ପୂର୍ବରୁ ଟୋକନ ଯୋଗାଇ ଦିଆଯିବ ।

ଏହିସବୁ ଟୋକନକୁ ନୋଟିସ ବୋର୍ଡରେ ମରାଯିବା ସହ ପ୍ରତି ଚାଷୀଙ୍କ ମୋବାଇଲକୁ ବାର୍ତ୍ତା ପ୍ରେରଣ କରାଯାଇ ସେମାନଙ୍କ ଧାନ ସଂଗ୍ରହ କରାଯିବାରର ତାରିଖ ବିଷୟରେ ସୂଚନା ଦିଆଯିବ ।  ଧାନ ସଂଗ୍ରହ କେବେ ହେବ ସେ ନିଷ୍ପତ୍ତି ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ନିଆଯାଇଥାଏ । ବର୍ତ୍ତମାନ ସୁଦ୍ଧା ୧୦ଟି ଜିଲ୍ଲାରେ ସମୟ ନିର୍ଦ୍ଧାରଣ ହୋଇସାରିଛି  । ଜଳସେଚିତ ଜମିରେ ୧୯ କ୍ୱିଣ୍ଟାଲ ଓ ଅଣଜଳସେଚିତ ଜମିରେ ୧୩ କ୍ୱିଣ୍ଟାଲ ଧାନ ଦେଇ ପାରିବେ  ।  ୧୦ ଏକରରୁ ଅଧିକ ଜମି ଥିବା ଚାଷୀଙ୍କର ତଦନ୍ତ କରାଯାଉଛି ପ୍ରକ୍ରିୟା ଶେଷ ହେଲେ ଟୋକନ ଯୋଗାଇ ଦିଆଯିବ ବୋଲି ଯୋଗାଣ ନିଗମ ପକ୍ଷରୁ ବିଶ୍ୱଜିତ ଦାସ ସୂଚନା ଦେଇଛନ୍ତି ।

 

 

Leave a Reply