ପାରାଦୀପ ଆଇଓସିଏଲ୍ ରେ ପିଏଡିସି ଉଦଘାଟିତ… ଉଦଘାଟନ କଲେ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ

PADC At Paradip Inaugurated

ପାରାଦୀପ: ପାରାଦୀପ ଆଇଓସିଏଲ୍‌ରେ ପ୍ରଡକ୍ଟ ଆପ୍ଲିକେସନ୍‌ ଆଣ୍ଡ ଡେଭ୍‌ଲପମେଣ୍ଟ ସେଣ୍ଟର ବା ପିଏଡିସି ଉଦ୍‌ଘାଟିତ ହୋଇଛି ।  ଭିଡିଓ କନଫରେନ୍‌ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପ ଉଦଘାଟନ କରିଛନ୍ତି । ୪୩ କୋଟି ଟଙ୍କାରେ ତିଆରି ହୋଇଛି ଏହି ପ୍ରକଳ୍ପ । ଆତ୍ମନିର୍ଭର ଭାରତ ଯୋଜନାରେ ଭଲ କପଡା ଓ ଟେକ୍ନୋକାଲ ଟେକ୍ସଟାଇଲ୍‌ ଭଳି ସାମଗ୍ରୀରେ ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ଏହି ପ୍ରକଳ୍ପ ସହାୟତା କରିବ।

ଓଡ଼ିଶା ତଥା ଭାରତର ପୂର୍ବ ଭାଗରେ ପଲିମର ଶିଳ୍ପର ବିକାଶକୁ ପ୍ରୋତ୍ସାହନ ପାଇଁ ପାରାଦୀପଠାରେ ଇଣ୍ଡିଆନ୍‌ ଅଏଲ ଦ୍ଵାରା ଏହାର ବିଶୋଧନାଗାର ଓ ପେଟ୍ରୋକେମିକାଲ୍‌ କମ୍ପ୍ଲେକ୍ସ ସହିତ ୪୩ କୋଟି ଟଙ୍କା ମୂଲ୍ୟର ପିଏଡିସି ପ୍ରତିଷ୍ଠା କରାଯାଇଛି। ୨୦୧୯ ମସିହା ଫେବ୍ରୁଆରୀରେ ପାରାଦୀପ ବିଶୋଧନାଗାରରେ ୭ ଲକ୍ଷ ମେଟ୍ରିକ ଟନ୍‌ ବିଶିଷ୍ଟ ପୋଲିପ୍ରୋପିଲିନ ପ୍ଲାଣ୍ଟ ଆରମ୍ଭ ହୋଇଥିଲା।

ଏଭଳି ବୈଷୟିକ କେନ୍ଦ୍ର ଦେଶର ଷଷ୍ଠ ଏବଂ ପୂର୍ବ ଭାରତର ଦ୍ୱିତୀୟ। ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ପରିପ୍ରେକ୍ଷୀରେ ପିଏଡିଏସି ପାରାଦୀପ ବିକାଶ ଓ ପଲିମର ଆମଦାନୀକୁ ହ୍ରାସ କରିବାରେ ଏହା ସହାୟକ ହେବ । ଅଭିନବ ଆପ୍ଲିକେସନ୍‌ର ବିକାଶ କରି ଭଲ କପଡା ଓ ଟେକ୍ନିକାଲ ଟେକ୍ସଟାଇଲ୍‌ ଭଳି ସାମଗ୍ରୀ ତିଆରି କରି ଦେଶରେ ଏଭଳି ସାମଗ୍ରୀର ଆମଦାନୀ ହ୍ରାସ କରିବା ପିଏଡିଏସିର ମୁଖ୍ୟ ଉଦ୍ଦେଶ୍ୟ।

ଏହା ପଲିମେରିକ ସାମଗ୍ରୀର ବିକଶିତ ଅଞ୍ଚଳକୁ ଚିହ୍ନଟ କରିବା ସହ ସ୍ୱଦେଶୀ ପ୍ରୋତ୍ସାହନ ଭାବେ ଭାରତକୁ ଆତ୍ମନିର୍ଭର କରିବ । ଆଗାମୀ ଦିନରେ ଭଦ୍ରକ ଓ ଧାମରାରେ ଟେକ୍ସଟାଇଲ୍‌ ଡାଉନ୍‌ଷ୍ଟ୍ରିମ୍‌ ୟୁନିଟ୍‌ ପାଇଁ ପଲିଷ୍ଟର ସୂତା ଓ କପଡା ପାଇଁ ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ଗ୍ରାହକ ଓ ନୂଆ ପୁଞ୍ଜିନିବେଶକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ରର ପରୀକ୍ଷଣ ଓ ପ୍ରକ୍ରିୟାକରଣ ଯନ୍ତ୍ରପାତି ରହିଛି ।

Leave a Reply