ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଓଡ଼ିଶାକୁ ପ୍ରଶଂସା, କରୋନା ମୁକାବିଲା କେମିତି କରାଯାଏ ଗଞ୍ଜାମଠାରୁ ଶିଖ

ଭୁବନେଶ୍ୱର: କରୋନା ମୁକାବିଲାରେ ଓଡ଼ିଶା ସରକାରଙ୍କ ସକ୍ରିୟତା ଓ ରଣନୀତିକୁ ପ୍ରଶଂସା କରିଛି ଇଂଲଣ୍ଡର ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟ ଅକ୍ସଫୋର୍ଡ । ବିଶ୍ୱର ୩୧୦ ସହର କରୋନା ମୁକାବିଲା ପାଇଁ ନେଇଥିବା ପଦକ୍ଷେପ ଉପରେ ଅଧ୍ୟୟନ କରି ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା ରିପୋର୍ଟରେ ଓଡ଼ିଶାର ଗଞ୍ଜାମକୁ ପ୍ରଶଂସା କରାଯାଇଛି । ରିପୋର୍ଟରେ ବାକି ସହର ଓ ସରକାର ଗଞ୍ଜାମଠାରୁ ଶିକ୍ଷା ନେବାର ଅଛି ବୋଲି କୁହାଯାଇଛି । ଗଞ୍ଜାମ ସହ ମୁମ୍ବାଇର ଧାରବୀ ମଡେଲକୁ ମଧ୍ୟ ରିପୋର୍ଟରେ ପ୍ରଶଂସା କରାଯାଇଛି । ଏହି ଦୁଇ ସହରରେ ଯେଉଁଭଳି ଭାବେ କରୋନା ସଂକ୍ରମଣକୁ ରୋକାଯାଇଛି ସେଥିରୁ ଅନ୍ୟମାନେ ଶିକ୍ଷା ନେବାର ଅଛି ବୋଲି ଅକ୍ସଫୋର୍ଡ କହିଛି ।

ଅଧ୍ୟୟନ:

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ରିପୋର୍ଟରେ କୁହାଯାଇଛି ଯେ, ଛୋଟ ଓ ଅଧିକ ଜନସଂଖ୍ୟା ବିଶିଷ୍ଟ ସ୍ଥାନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶଙ୍କା ରହିଛି । କେବଳେ ଏହି କାରଣରୁ ଗାଁ ଅପେକ୍ଷା ସହରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ । ଯଦି କ୍ଷୁଦ୍ର ସଂକ୍ରମିତ ଅଂଚଳରେ ସଂକ୍ରମଣକୁ ଆରମ୍ଭରୁ ରୋକାଯିବ ତେବେ ଗୋଷ୍ଠୀ ସଂକ୍ରମଣ ରୋକାଯାଇ ପାରିବ ବୋଲି ରିପୋର୍ଟରେ କୁହାଯାଇଛି ।

ଗଞ୍ଜାମ ରୋଲ ମଡେଲ

ରିପୋର୍ଟରେ ଗଞ୍ଜାମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।  ମେ ୨ ତାରିଖରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ପ୍ରଥମ କରୋନା ସଂକ୍ରମିତଙ୍କୁ  ଚିହ୍ନଟ କରାଯାଇଥିଲା ।  ଅଗଷ୍ଟ ମାସ ବେଳକୁ ସଂକ୍ରମିତଙ୍କ ସଂଖ୍ୟାରେ ୫୯ ପ୍ରତିଶତ ବୃଦ୍ଧି ଘଟିଥିଲା । ଏହାପରେ ଓଡ଼ିଶା ସରକାର ପ୍ରୋଆକ୍ଟିଭ୍ ପଦକ୍ଷେପ ନେଇଥିଲେ । ଫଳରେ ଏବେ ୨୦୪୩୦ ସଂକ୍ରମିତଙ୍କ ମଧ୍ୟରୁ ୯୮ ପ୍ରତିଶତ ସୁସ୍ଥ ହୋଇ ସାରିଛନ୍ତି । କେବଳ ୧୮୮ ସକ୍ରିୟ କରୋନା କେସ୍ ଏବେ ଗଞ୍ଜାମରେ ରହିଛି ।

ଓଡ଼ିଶା ସରକାର ଯେଉଁଭଲି ଭାବେ ସରପଞ୍ଚଙ୍କୁ ମହାମାରୀ ରୋକିବା ଦୀଗରେ କ୍ଷମତା ଦେଲେ,ପ୍ରତି ଗାଁରେ କୋଭିଡ୍ ପ୍ରବନ୍ଧନ କମିଟି ଗଠନ କଲେ ତାହା ଦ୍ୱାରା ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଅଣା ଯାଇପାରିଥିଲା । ରିପୋର୍ଟରେ ଏକ ହଜାରରୁ ଅଧିକ ସ୍ୱେଛାସେବୀ ଓ ପ୍ରତି ୫ ଗାଁ ପାଇଁ ଗୋଟିଏ ଆମ୍ବୁଲାନ୍ସ ବ୍ୟବସ୍ଥା କଥା ମଧ୍ୟ କୁହାଯାଇଛି ।

Leave a Reply