୭ ଲକ୍ଷ ଟଙ୍କାର ବାକି ନସୁଝିବାରୁ ଅରଟେଲ୍ ଅଫିସରେ ପଡ଼ିଲା ତାଲା

ବାରିପଦା: ବାରିପଦା ସହରରେ ଥିବା ଅରଟେଲ କମ୍ୟୁନିକେସନ ସଂସ୍ଥାର କଣ୍ଟ୍ରୋଲ ରୁମରେ ପଡ଼ିଲା ତାଲା । ଦୀର୍ଘ ମାସ ମାସ ଧରି ଲକ୍ଷାଧିକ ଟଙ୍କା ଘରଭଡ଼ା ଦେଉନଥିବା ଅଭିଯୋଗ କରି ଘର ମାଲିକଙ୍କ ପକ୍ଷରୁ ଅରଟେଲ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। କଣ୍ଟ୍ରୋଲ ରୁମ୍ ରେ ବିଦ୍ୟୁତ ସଂଯୋଗ ମଧ୍ୟ କାଟି ଦିଆଯାଇଛି। ବାରିପଦାର ବାଘଡା ରୋଡ ଅଞ୍ଚଳରେ ଥିବା ଏକ ତିନି ମହଲା ବିଶିଷ୍ଟ କୋଠାଘର କୁ ୨୦୧୦ ମସିହାରେ ଅରଟେଲ କମ୍ୟୁନିକେସନ ପକ୍ଷରୁ ଭଡ଼ାରେ ନିଆଯାଇ ସେଠାରେ କଣ୍ଟ୍ରୋଲ ରୁମ୍ ରଖାଯାଇଥିଲା। ଏହି ଘରର ଏଗ୍ରିମେଣ୍ଟ ୨୦୧୯ ରେ ଶେଷ ହୋଇଯାଇଛି। ୨୦୧୬ ମସିହା ଠାରୁ ଅରଟେଲ  ଘରଭଡ଼ା ଦେବାରେ ଅନିୟମିତତା କରିଆସୁଥିଲା।

୨୦୧୯ ମସିହାରେ ଅରଟେଲ କମ୍ୟୁନିକେସନ ପକ୍ଷରୁ  ଏହି କୋଠାଘରକୁ ସମ୍ପୂର୍ଣ୍ଣ ଭାବେ ନିଆ ନ ଯାଇ ଏହାର  କିଛି ଅଂଶ ନିଆଯାଇଥିଲା। ଯାହାର ମାସିକ ଭଡା ମାତ୍ର ୯ ହଜାର ଟଙ୍କା ଦେଵାକଥା। ମାତ୍ର ଦୁର୍ଭାଗ୍ୟର ବିଷୟ ଅରଟେଲ କମ୍ୟୁନିକେସନ ପକ୍ଷରୁ ସେତକ ଘରର ଭଡା ମଧ୍ୟ ନିୟମିତ ଭାବେ ଦେଉନଥିବା ଘର ମାଲିକଙ୍କ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଗତ ୨୦୧୯ ମସିହା ଘର ଏଗ୍ରିମେଣ୍ଟ ଶେଷ ହୋଇଯାଇଥିଲେ ମଧ୍ୟ ବିନା ଏଗ୍ରିମେଣ୍ଟ ରେ ଘର ବ୍ୟବହାର କରୁଛନ୍ତି ଏବଂ ୭ ଲକ୍ଷରୁ ଉର୍ଦ୍ଧ୍ୱ ଵାକିଆ ଘରଭଡ଼ା ଟଙ୍କା ଅରଟେଲ କମ୍ୟୁନିକେସନ ଉପରେ ହୋଇଯିଵା ପରେ ମଧ୍ୟ ଅରଟେଲ ଅଧିକାରୀମାନେ  ଵାକିଆ ଟଙ୍କା ଦେବା ବଦଳରେ ବିଭିନ୍ନ ପ୍ରକାର ବାହାନା କରୁଛନ୍ତି।

ଶେଷରେ ବାଧ୍ୟହୋଇ ଘରମାଲିକଙ୍କ ପକ୍ଷରୁ ଅରଟେଲ କାର୍ଯ୍ୟାଳୟରେ ତାଲା ପକାଇ ଦିଆଯାଇଛି। ଏହାର କାରଣ ମଧ୍ୟ ସେଠାରେ ଲେଖାଯାଇ ଝୁଲାଇ ଦିଆଯାଇଛି ଏବଂ କଣ୍ଟ୍ରୋଲ ରୁମ୍ରେ ବିଦ୍ୟୁତ ସଂଯୋଗ ମଧ୍ୟ କାଟି ଦିଆଯାଇଛି। ଏ ସମ୍ପର୍କରେ ଅରଟେଲ କମ୍ୟୁନିକେସନ ଅଧିକାରୀ ମାନେ ପୋଲିସର ସହାୟତା ନେଇଥିଲେ ମଧ୍ୟ ସେଠାରୁ ନିରାଶ ହୋଇଛନ୍ତି।

Leave a Reply