ମାନବତାର ଶତ୍ରୁ: ବ୍ୟବହୃତ ଗ୍ଲୋଭସକୁ ନୂଆ କହି ବିକ୍ରି କରୁଥିଲା ଗ୍ୟାଙ୍ଗ୍, ଏମିତି ଧରିଲା ୟୁପି ପୋଲିସ

1 min read

ମିରଟ: କରୋନା ସମୟରେ ବ୍ୟବହୃତ ହୋଇସାରିଥିବା ଗ୍ଲୋଭସକୁ ପୁଣି ଥରେ ରିପ୍ୟାକିଂ କରି ବିକ୍ରି କରୁଥିବା ଏକ ଗ୍ୟଙ୍ଗର ପର୍ଦାଫାସ କରିଛି ଉତ୍ତର ପ୍ରଦେଶ ପୋଲିସ । ଦିଲ୍ଲୀ ଠାରୁ ପ୍ରାୟ ୯୦ କିମି ଦୂରତାରେ ଥିବା ବୁଲନ୍ଦଶାହା ଅଞ୍ଚଳରେ  ରେଡ୍ କରି ଦୁଇ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଗ୍ୟାଙ୍ଗକୁ ବହୁ ଦିନ ଧରି ଦିଲ୍ଲୀ ପୋଲିସ ଖୋଜୁଥିଲା ।

ମଙ୍ଗଳବାର ସନ୍ଧ୍ୟାରେ ବୁଲନ୍ଦସହରର କହିରା ଗାଁର ଏକ ଷ୍ଟୋରରୁମ୍ ରୁ ପ୍ରାୟ ୧୦୦ଟି ଅଖା ବସ୍ତାରେ ରଖାଯାଇଥିବା ସମ୍ଭାବ୍ୟ କ୍ଷତିକାରକ ବାୟୋ-ବର୍ଜ୍ୟବସ୍ତୁ ମିଳିଥିଲା । କରୋନା ଭାଇରସ ମହାମାରୀ ହେତୁ ଚାରିଆଡ଼େ ଗ୍ଲୋଭସର ଆବଶ୍ୟକତା ପଡ଼ୁଛି ଏବଂ ଏହି ରାକେଟ  ପରିସ୍ଥିତିର ଫାଇଦା ଉଠାଇବା ଯୋଜନାରେ ଥିଲା । ଚିକିତ୍ସା ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ଏହି ସବୁ ଗ୍ଲୋଭସକୁ ପୁଣି ଥରେ ବ୍ୟବହାର କରିବା ଆଦୌ ଉଚିତ ନୁହେଁ କାରଣ ଏଥିରେ ଥିବା ଜୀବାଣୁ ଭୟଙ୍କର ସାବ୍ୟସ୍ତ ହୋଇପାରେ । କେବଳ କରୋନା ଜୀବାଣୁ ନୁହେଁ ଅନ୍ୟ ଜୀବାଣୁ ମଧ୍ୟ କ୍ଷତିକାରକ ହୋଇପାରନ୍ତି । ସୂଚନା ଅନୁଯାୟୀ, ଏହି ବ୍ୟବହୃତ ଗ୍ଲୋଭସର ପ୍ୟାକେଟ ଗୁଡ଼ିକ ଦିଲ୍ଲୀ ଏବଂ ଏନସିଆର ବଜାରରେ ବିକ୍ରି ହେବାର ଯୋଜନା ରହିଥିଲା ।

ପୋଲିସ ସୂଚନା ମୁତାବକ, ‘ଏହି ଗ୍ୟାଙ୍ଗ ବିଭିନ୍ନ ଡାକ୍ତରଖାନାରୁ ବ୍ୟବହୃତ ଗ୍ଲୋଭସକୁ ସଂଗ୍ରହ କରି ତାକୁ ସଫା କରିବା ପରେ ଉଚ୍ଚ ଦରରେ ବିକ୍ରି କରୁଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ପୋଲିସ ଏବାବଦରେ ବୁଲନ୍ଦସହର ପୋଲିସକୁ ସୂଚନା ଦେଇଥିଲା । ଏହା ପରେ ଏକ ବିଲଡିଂରେ ରେଡ୍ କରି ଗ୍ଲୋଭସ ବସ୍ତା ଗୁଡ଼ିକୁ ଜବତ କରିବା ସହ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟ ରାଜ କୁମାର ଶର୍ମା ଏବଂ ତା’ ପୁତୁରା ତଥା ସେହି ବିଲଡିଂର ମାଲିକ ସଞ୍ଜୟ ଶର୍ମାଙ୍କୁ ଗିରଫ କରିଥିଲା ।

ପଚରାଉଚରା ପରେ ଜଣାପଡ଼ିଲା ଯେ, ଗିରଫ ଦୁଇ ଜଣ ଯୁବକ ଗାଜିଆବାଦର ଇନ୍ଦ୍ରାପୁରମରେ ରହୁଥିବା ସୁବୋଧ ମଲହୋତ୍ରାଙ୍କ ନିର୍ଦ୍ଦେଶରେ ଏହିସବୁ କାମ କରୁଥିଲେ । ସୁବୋଧ ମଲହୋତ୍ରା ମଧ୍ୟ ମହାରାଷ୍ଟ୍ରର ମାଲେଗାଓଁ ଜିଲ୍ଲା ସମେତ ଅନ୍ୟ କିଛି ଅଞ୍ଚଳରେ ଥିବା ଡାକ୍ତରଖାନାରୁ ବ୍ୟବହୃତ ଗ୍ଲୋଭସ ସଂଗ୍ରହ କରୁଥିଲା । ସେମାନେ ଏହାକୁ ସଫା କରି ପୁଣି ଥରେ ପ୍ୟାକିଂ କରୁଥିଲେ । କରୋନା ଭାଇରସ ମହାମାରୀ ଯୋଗୁଁ ଦେଶରେ ଗ୍ଲୋଭସର ଡିମାଣ୍ଡ ବଢୁଥିବାରୁ, ଏହି ସବୁ ଗ୍ଲୋଭସ ଗୁଡ଼ିକ ଉଚ୍ଚ ଦରରେ ବିକ୍ରି ହେଉଥିଲା । ଏଥି ମଧ୍ୟରୁ କିଛି ସାମଗ୍ରୀ ବୁଲନ୍ଦସହରକୁ ମଧ୍ୟ ପାଠାଯାଇଥିଲା ।

ଏହି ତିନି ଜଣ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପେନାଲ କୋଡର ଧାରା ୨୬୮ (public nuisance) , ୨୬୯ (act likely to spread infection ), ୧୮୮ (disobedience to order duly promulgated by public servant) ଏବଂ ମହାମାରୀ ରୋଗ ଆଇନର ପ୍ରଯୁଜ୍ୟ ବ୍ୟବସ୍ଥା ଅନୁଯାୟୀ ଏଫଆଇଆର ଦାଖଲ କରାଯାଇଛି । ସଞ୍ଜୟ ଏବଂ ରାଜ କୁମାରକୁ ପୋଲିସ ଗିରଫ କରି ଜେଲ ପଠାଇଥିବାବେଳେ ସୁବୋଧ ମଲହୋତ୍ରା ଫେରାର ହୋଇଯାଇଛି ।

 

Leave a Reply