ଜଗିଙ୍କ ବିରୋଧରେ ଜମି ହଡପ ଅଭିଯୋଗ : ଭୟ ଦେଖାଇ ଜମି ନେଲେ, ଏବେ ପ୍ରତିବାଦ କରିବାରୁ ହତ୍ୟା ଧମକ

ଭୁବନେଶ୍ୱର:  ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଠାକାଠିରେ ପଡ଼ିଥିବା ଓଟିଭି ଏବଂ ଏହାର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ବିରୋଧରେ ଆଉ ଏକ ଗୁରୁତର ଅଭିଯୋଗ ଆସିଛି । ଗରିବ ଚାଷୀ ଓ ସାଧାରଣ ଲୋକଙ୍କ ଉପରେ ଓଟିଭି ଦାଦାଗିରି ଚଳାଇଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ଭାତହାଣ୍ଡି ଭାଙ୍ଗୁଥିବା ଓ ପ୍ରତିବାଦ କଲେ ଜୀବନରେ ମାରିଦେବାକୁ ଧମକ ଦେଉଥିବା ସଂପୃକ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ସାରୁଅ, ଜୟ ମଙ୍ଗଳ, ଗୌଡ଼ପୁଟ ଗାଁର ଚାଷୀମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଏହି ଅଭିଯୋଗ କରିବା ସହିତ ନିଜ ସୁରକ୍ଷା ଦାବି କରିଛନ୍ତି । କିଛିବର୍ଷ ତଳେ ସାରୁଅ, ଜୟ ମଙ୍ଗଳ, ଗୌଡ଼ପୁଟ ଆଦି ଗାଁର ଚାଷୀଙ୍କୁ ଓଟିଭି ନେଟ୍‌ୱର୍କ ବିଭିନ୍ନ ଲୋଭ ଦେଖାଇ ସେମାନଙ୍କ ଜମି କିଣିଥିଲା । ସେହି ଜମିରେ ଓଟିଭି ନେଟ୍‌ୱର୍କ ପକ୍ଷରୁ ବଡ଼ବଡ଼ ଘର, ପାଚେରି, ପୋଖରୀ, ରାସ୍ତା ଆଦି କରାଯାଇଛି । ଫଳରେ ନିଜ ଚାଷଜମିକୁ ଚାଷୀ ଯାଇ ପାରୁନାହାନ୍ତି ।

ତେବେ ଏହାକୁ ପ୍ରତିବାଦ କରିବାରୁ ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ଗୁଣ୍ଡା ଓ ସମ୍ପର୍କୀୟମାନେ ଧମକଚମକ ଦେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଏପରିକି ଜମି ଜବରଦଖଲ କରିବାକୁ ଧମକ ଦେଉଥିବାରୁ ଚାଷୀ ଭୟଭୀତ ହୋଇପଡ଼ିଛନ୍ତି । ଭୟରେ ଶାଗମାଛ ଦରରେ ଓଟିଭିକୁ ଜମି ବିକୁଛନ୍ତି ସ୍ଥାନୀୟ ଲୋକ । ଜଗି ମଙ୍ଗତ ପଣ୍ଡାଙ୍କ ବାପା ଏସବୁ ଗାଁକୁ ଯାଇ ଧମକ ଦେଉଥିବା ଚାଷୀମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଓଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନିଜ ସୁରକ୍ଷା ଦାବି କରିଛନ୍ତି ଗାଁ ଲୋକ । ନଚେତ୍‌ ଆତ୍ମହତ୍ୟା କରିବା ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି ଗାଁଲୋକ କହିଛନ୍ତି । ନାବାଳିକା ଗଣଦୁଷ୍କର୍ମ ମାମଲାରେ ମୁହଁତୋଡ଼ ଦେଖାଉଥିବା ଓ କୌଣସି ମତେ ଖସି ଯିବାକୁ ଉଦ୍ୟମ କରୁଥିବା ଓଟିଭି ଓ ଏହାର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ଜମି କେଳେଙ୍କାରୀ ତାଙ୍କ ମନ୍ଦ ଉଦ୍ଦେଶ୍ୟକୁ ପଦାରେ ପକାଇଦେଇଛି  ।

Leave a Reply