ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ବିରୋଧୀଙ୍କ ଦାବି

ଭୁବନେଶ୍ୱର(ଶତ୍ରୁଘ୍ନ ବିଶ୍ୱାଳ): ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଉଠିଲା ଦାବି । ସମୟ ହେଲାଣି; କିନ୍ତୁ ଏଯାଏଁ ନିଷ୍ପତ୍ତି ହୋଇପାରୁନି । ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବା କଥା । ରାଜ୍ୟରେ କରୋନା ପରିଚାଳନା ସ୍ଥିତି କିଭଳି ରହିଛି, ସେନେଇ ବିଧାୟକମାନେ ଆଲୋଚନା କରିବା କଥା ବୋଲି ବିରୋଧୀ କହିଛନ୍ତି । ସେପଟେ ସରକାରୀ ଦଳ କହିଛି, ବିଧାନସଭା ଅଧିବେଶନ ନେଇ ବାଚସ୍ପତି ହିଁ କେବଳ ନିଷ୍ପତ୍ତି ନେଇପାରିବେ ।

କେବେ ବସିବ ବିଧାନସଭାର ମୌସୁମୀ ଅଧିବେଶନ ? କରୋନା କଟକଣା ମଧ୍ୟରେ ବିଧାୟକ ଏକାଠି ବସିବା ସମ୍ଭବ କି ? ଗୋଟିଏ କୋଠରୀରେ ୧୪୭ଜଣ ବିଧାୟକ ବସିବା କେତେ ସୁରକ୍ଷିତ ? କରୋନା ପାଇଁ ବିଭିନ୍ନ ଜିଲ୍ଲାରେ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍ ଜାରି ରହିଛି । ଏତିକି ବେଳେ ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଦାବି କରିଛନ୍ତି ବିରୋଧୀ । ପ୍ରତି ୬ ମାସରେ ବିଧାନସଭା ଅଧିବେଶନ ବସିବାର ନିୟମ ରହିଛି, ସମୟ ହୋଇଗଲାଣି । ବାଚସ୍ପତି ତୁରନ୍ତ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବା ସହ ପଦକ୍ଷେପ ନେବାକୁ ବିରୋଧୀ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି ।

ବିଧାନସଭାର ମୌସୁମୀ ଅଧିବେଶନ ନେଇ ଏହା ମଧ୍ୟରେ  ଲୋକସଭା ଏବଂ ରାଜ୍ୟସଭା ସଚିବଙ୍କ ସହ ବାଚସ୍ପତି ଆଲୋଚନା କରିଛନ୍ତି । ପରସ୍ପର ମଧ୍ୟରେ ୪ ଗଜ ବା ୧୨ ଫୁଟ ଦୂରତା ରଖି କିଭଳି ଅଧିବେଶନ ବସିବ ସେନେଇ ବିଚାରବିମର୍ଶ ଚାଲିଛି । ସରକାରୀ ଦଳ ଉପମୁଖ୍ୟ ସଚେତକ କହିଛନ୍ତି ଏନେଇ ବାଚସ୍ପତି ହିଁ ଚୂଡାନ୍ତ ନିଷ୍ପତ୍ତି ନେବେ । ବର୍ତ୍ତମାନ ସୁଦ୍ଧା ୩ ଜଣ ବିଧାୟକ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏଭଳି ସ୍ଥଳେ ବିଧାନସଭା ଅଧିବେଶନ ନେଇ ବାଚସ୍ପତି କି ନିଷ୍ପତ୍ତି ନେଉଛନ୍ତି ବାଚସ୍ପତି ତା’ ଉପରେ ନଜର ।

Leave a Reply