ଶ୍ରୀମନ୍ଦିର ଟଙ୍କା ଫେରାଇ ଆଣିବା ପାଇଁ ସରକାରଙ୍କ ଅଭୟବାଣୀ, ତଥାପି ଗୃହ କମିଟି ପାଇଁ ବିରୋଧୀଙ୍କ ଜିଦ୍

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ରହିବା ନେଇ ବିଧାନସଭାରେ ଘମାଘୋଟ ଆଲୋଚନା । ବିରୋଧୀ ଏ ପ୍ରସଙ୍ଗରେ ଦୁଇ ସରକାରୀ ଅଧିକାରୀଙ୍କୁ କାଠଗଡ଼ାକୁ ଟାଣିବା ସହ ଗୃହ କମିଟି ଗଠନ କରିବାକୁ ଦାବି କରିଛନ୍ତି । ତେବେ ଟଙ୍କା ସୁରକ୍ଷିତ ଅଛି ଓ ଏହା ଫେରିବା ନେଇ କେନ୍ଦ୍ର ଆଶ୍ୱସ୍ତି ଦେଇଥିବା ଅର୍ଥମନ୍ତ୍ରୀ କହିଥିଲେ । ତେବେ ଆଜି ବିଧାନସଭା ବାହାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମଧ୍ୟ ଟଙ୍କା ସୁରକ୍ଷିତ ଥିବା କହିଛନ୍ତି ।

ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ରହିବା ନେଇ ବିଧାନସଭା ସରଗରମ । ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରଶ୍ନ କରିଥିଲେ ଯେ କାହା ସ୍ୱାର୍ଥରେ ଜାତୀୟକରଣ ବ୍ୟାଙ୍କରୁ ଟଙ୍କା ଉଠାଇ ୟେସ ବ୍ୟାଙ୍କରେ ରଖାଗଲା ? ରିଜର୍ଭ ବ୍ୟାଙ୍କ ଆଳ ଦେଖାଇ ଅର୍ଥ ବିଭାଗ ଖସି ନଯାଉ । ଏନେଇ ବିଜୟ ସାହୁ ଓ ପ୍ରଦୀପ୍ତ ମହାପାତ୍ରଙ୍କ ଉପରକୁ ସେ ଉପରେ ଅଙ୍ଗୁଳି ଉଠାଇଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ୟେସ୍‌ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ନେଇ ଗୃହ କମିଟି ଗଠନ କରି ତଦନ୍ତ କରିବାକୁ ଉଭୟ ବିଜେପି ଓ କଂଗ୍ରେସ ଦାବି କରିଥିଲେ ।

ମୁଲତବୀ ଆଲୋଚନାର ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ ଅଛି । କେନ୍ଦ୍ରମନ୍ତ୍ରୀ, ଅର୍ଥ ମନ୍ତ୍ରଣାଳୟ ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସହିତ ଆଲୋଚନାରୁ ଏହାସହା ସ୍ପଷ୍ଟ ହୋଇଛି । ସେପଟେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ଶ୍ରୀଜନ୍ନନାଥଙ୍କ ଟଙ୍କା ନିଶ୍ଚିତ ଫେରିବ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଶ୍ୱାସନା ଦେଇଛନ୍ତି । ଏଥିରେ ସନ୍ଦେହ କରିବା ଅନୁଚିତ ।

ଶ୍ରୀଜଗନ୍ନାଥଙ୍କ ଟଙ୍କା ରଖିବା ପାଇଁ ଏକ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ବ୍ୟାଙ୍କ ଚୟନ କରାଯାଇଥିଲା । ଏଥିପାଇଁ ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ । ୟେସ ବ୍ୟାଙ୍କ ବାର୍ଷିକ ୮ ଦଶମିକ ୬୧ ପ୍ରତିଶତ ସୁଧ ଦେବା ପାଇଁ ରାଜି ହୋଇଥିବାରୁ ସେହି ବ୍ୟାଙ୍କ ଅର୍ଥ ରଖାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଜଗନ୍ନାଥ ମନ୍ଦିର ଅର୍ଥ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ଵାରା ପରିଚାଳିତ ହୋଇଥାଏ । ଏଥିରେ ସରକାର ହସ୍ତକ୍ଷପ କରନ୍ତି ନାହିଁ ବୋଲି ଅର୍ଥମନ୍ତ୍ରୀ କହିଥିଲେ ।

Leave a Reply