ଆରଟିଓରେ ହେବ ନାହିଁ ଗହଳି, ଅନଲାଇନ୍‌ରେ ହେବ ସ୍ଲଟ ବୁକ୍

1 min read

ଭୁବନେଶ୍ୱର: ଏଣିକି ଆରଟିଓରେ ହେବନାହିଁ ଗହଳି । ଦୀର୍ଘ ସମୟ ଧରି ଅପେକ୍ଷା କରିବେନି ସାଧାରଣ ଲୋକେ । ଲୋକଙ୍କୁ ସୁବିଧାରେ ସେବା ଯୋଗାଇବା ପାଇଁ ଲାଗୁ ହେବ ସ୍ମାର୍ଟ କ୍ୟୁ ପରିଚାଳନା ବ୍ୟବସ୍ଥା । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ବା ଏସଟିଏ ସହ ଏନଏସଆଇସି ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବାଲେଶ୍ବର, ଭଦ୍ରକ, ଭୁବନେଶ୍ବର-୧, କଟକ, ଗଞ୍ଜାମ, ପୁରୀରେ ଏହାକୁ ଲାଗୁ କରାଯିବ। ଏଥିପାଇଁ ୨.୧୮କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି । ରାଜ୍ୟ ସରକାରଙ୍କ ଫାଇଭ୍-ଟି ପଲିସି ଅଧୀନରେ ଆରଟିଓରେ ଗୁଣାତ୍ମକ ସେବା ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛି ଏସଟିଏ ।

ଏହି ପକ୍ରିୟା କାର୍ଯ୍ୟକ୍ଷମ ହେଲେ ଅନଲାଇନ୍‌ ପୋର୍ଟାଲରେ ସ୍ଲଟ ବୁକ୍‌ କରିହେବ । ଡ୍ରାଇଭିଂ ଲାଇସେନ୍‌ସ କିମ୍ବା ଗାଡ଼ି କାଗଜପତ୍ର ଭଳି ଯେକୌଣସି କାର୍ଯ୍ୟ ପାଇଁ ଟୋକନ୍ ଦିଆଯିବ । ଟୋକନ୍ ମିଳିବା ପରେ କେଉଁ ସମୟରେ କାର୍ଯ୍ୟ ଆରମ୍ଭ ହେବ ସେନେଇ ମୋବାଇଲ୍‌କୁ ମେସେଜ ଆସିବ । ଫଳରେ ଲୋକଙ୍କୁ ଧାଡ଼ିରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

Leave a Reply