ମହଙ୍ଗା ହେଉଛି ପିଆଜ: ଦିନକରେ ଦର ବଢ଼ିଲା ୧୫ ଟଙ୍କା

ଭୁବନେଶ୍ୱର: ପିଆଜ ବଜାରରେ ନିଆଁ । ହଠାତ୍ ପିଆଜ ଦର କିଲୋ ପିଛା ୫୦ ଟଙ୍କା ଟପିଯାଇଛି । ଗତକାଲି ବଜାରରେ ପିଆଜ ଦର ୩୫ ଟଙ୍କା ଥିବା ବେଳେ ଆଜି ୫୦ ଟଙ୍କା ଡେଇଁଛି । ଆଉ ଏହି ଦର ଅକ୍ଟୋବର ସୁଦ୍ଧା ୧୦୦ ଛୁଇଁବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବେଲଗାମ ପିଆଜ ଦର । ଦିନକରେ ଦର ବଢ଼ିଲା ୧୫ ଟଙ୍କା । ଅକ୍ଟୋବର ରେ ୧୦୦ ଟପିବା ଆଶଂକା ।

ଦୀର୍ଘ ମାସର ବ୍ୟବଧାନ ପରେ ପୁଣି ଖାଉଟିଙ୍କୁ କନ୍ଦାଇଛି ପିଆଜ । ଦୁଇ ସପ୍ତାହ ପୂର୍ବେ ପିଆଜ କିଲୋ ୨୫ରୁ ୩୫ ଟଙ୍କାରେ ବିକ୍ରିରେ ହେଉଥିଲା । ଏପରିକି ମଙ୍ଗଳବାର ଦର ୩୫ ଟଙ୍କା ଥିଲା । ହେଲେ ବୁଧବାର ହଠାତ ମୂଲ୍ୟ ୫୦ ଟଙ୍କା ଛୁଇଁଛି । ଏକ କେଜିରେ ୧୫ଟଙ୍କା ବୃଦ୍ଧି ହେବାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅତ୍ୟାବଶ୍ୟକ ସାମଗ୍ରୀରୁ ପିଆଜ ଏବଂ ଆଳୁକୁ ବାଦ୍‌ଦେବା ଦ୍ୱାରା ବେପାରୀମାନେ ବେଶ୍‌ ମୁନାଫା ଉଠାଉଥିବା ଚର୍ଚ୍ଚା ହେଉଛି ।

ବର୍ତ୍ତମାନ ନାସିକ ଏବଂ ଆନ୍ଧ୍ରରୁ ଓଡ଼ିଶା ମାର୍କେଟକୁ ପିଆଜ ଆସୁଛି । ଏହା ବ୍ୟତୀତ ନାଫେଡ ମଧ୍ୟ ପିଆଜ ଯୋଗାଉଛି । ଆନ୍ଧ୍ର ପ୍ରଦେଶରୁ ଆମଦାନୀ ହେଉଥିବା ପିଆଜର ପାଇକାରୀ ଦର ୪୦ ଟଙ୍କା ରହିଥିବା ବେଳେ ମହାରାଷ୍ଟ୍ରରୁ ଆସୁଥିବା ପିଆଜ ୪୩ ଟଙ୍କା ରହିଛି । ତେଣୁ ପାଇକାରୀ ଦର ବୃଦ୍ଧି ପାଇଥିବାରୁ ସ୍ବତଃ ଖୁଚୁରା ବଜାରରେ ଦର ବୃଦ୍ଧି ଘଟିଛି ।

ଅନ୍ୟପଟେ ନାସିକରେ ବର୍ଷା ପାଇଁ ଶହ ଶହ ଏକର ପିଆଜ ଚାଷ ବାଧାପ୍ରାପ୍ତ ହୋଇଛି । ତେଣୁ ଅକ୍ଟୋବର ସୁଦ୍ଧା ଦର ୧୦୦ ଛୁଇଁବ ବୋଲି ଆଶଙ୍କା କରିଛନ୍ତି ଅର୍ଥନୀତି ବିଶେଷଜ୍ଞ । କରୋନା ସମୟରେ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ପିଆଜର ଏଭଳି ଅହେତୁକ ଦରବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।

 

Leave a Reply