ସଟଡାଉନରେ ବଡ଼ବିଲ୍: ସହର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ପ୍ରଶାସନର ରୋକ୍

ବଡ଼ବିଲ: ସଂପୂର୍ଣ୍ଣ ସଟଡାଉନ୍ ହେଲା ବଡ଼ବିଲ । ସହର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଛି ପ୍ରଶାସନର ରୋକ୍ । ସେପଟେ ହୋଟେଲରେ ରହୁଥିବା ଜଣେ ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହେବା ପରେ ହୋଟେଲକୁ ସମ୍ପୂର୍ଣ୍ଣ ସିଲ୍ କରିଛି ପ୍ରଶାସନ । ଅନ୍ୟପଟେ କୋଭିଡ୍ କଟକଣା ଉଲଂଘନ ଯୋଗୁଁ ଗୃହସ୍ଥି ରିଏଲ ବଜାରକୁ ମଧ୍ୟ ସିଲ୍ କରିଦିଆଯାଇଛି ।

ଗତକାଲି ବଡ଼ବିଲରେ ୧୧ ଜଣ ଲୋକାଲ ସଂକ୍ରମିତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ବଡ଼ବିଲ ପୌରାଂଚଳକୁ ସପ୍ତାହେ ପାଇଁ ସଂପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି । ଆଜି ଠାରୁ ୭ ଦିନ ପର୍ଯ୍ୟନ୍ତ ସଟଡାଉନ୍ ବଳବତର ରହିବ । ତେବେ ଏହି ସଟଡାଉନ ସମୟରେ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ୍ ବ୍ୟତୀତ ସହରର ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ୍ ଇତ୍ୟାଦି ବନ୍ଦ ରହିଛି । ତେଣୁ ଗତକାଲି ରାତିରେ ବଡ଼ବିଲ ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରାଯାଇ ଲୋକଙ୍କୁ ସଟଡାଉନ୍ ନିୟମ ମାନିବାକୁ ଅପିଲ କରାଯାଇଥିଲା ।

ଆଜି ଠାରୁ ସହର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ୍ ଲଗାଯାଇଛି ପ୍ରଶାସନ । ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ କରାଯାଉଛି । ତେବେ ସଟଡାଉନ୍ ସମୟରେ ପେଟ୍ରୋଲ ପମ୍ପ୍ ଔଷଧ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବଜାର ଇତ୍ୟାଦି ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ସେହିପରି ଫ୍ୟାକ୍ଟ୍ରି ଓ ଖଣି ଚାଲୁ ରହିବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ  ସଟଡାଉନ୍ ସମୟରେ ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେପଟେ ଜନସାଧାରଣ ସମସ୍ୟାକୁ ଦୃଷ୍ଟିରେ ରଖି ରାସନ ଓ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖକୁ ପହଁଚାଇବା ପାଇଁ ହୋମ୍ ଡେଲିଭରୀର ବ୍ୟବସ୍ଥା କରାଯାଇଛି ।

ସେପଟେ ରବିବାର ବଡ଼ବିଲରେ ୧୧ ଜଣ ଲୋକାଲ ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ଆଉ ଜଣେ ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ବ୍ୟକ୍ତି ଏକ ଘରୋଇ କମ୍ପାନୀ(ଜେଏସଡବ୍ଲୁ)ର କର୍ମଚାରୀ । ତାଙ୍କ ଘର ଉତ୍‌ତର ପ୍ରଦେଶର ବରେଲୀରେ ହୋଇଥିବା ବେଳେ, ସେ ଗତ ୪ ତାରିଖରେ କର୍ଣ୍ଣାଟକାରୁ ଭୁବନେଶ୍ୱର ଦେଇ ବଡ଼ବିଲକୁ ଆସିବା ପରେ ଆଧାର ରିଜେନ୍ସୀ ହୋଟେଲରେ ରହୁଥିଲେ । ହୋଟେଲ ମ୍ୟାନେଜରଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଚିହ୍ନଟ ଏହି ବ୍ୟକ୍ତି ବଡ଼ବିଲ ଆସିବା ପୂର୍ବରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ (ସମ୍ ହସ୍ପିଟାଲ)ରେ କୋଭିଡ୍ ଟେଷ୍ଟ ପାଇଁ ନମୂନା ଦେଇ ଆସିଥିଲେ । ଗତକାଲି ସଂଧ୍ୟାରେ ସେ ପଜିଟିଭ୍ ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଆକ୍ରାନ୍ତ ବ୍ୟକ୍ତିଙ୍କୁ କେନ୍ଦୁଝର ସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ହୋଟେଲକୁ ସିଲ୍ କରାଯାଇଥିଲା । ସେହିପରି ସଂପୃକ୍ତ ବ୍ୟକ୍ତିଙ୍କ କଂଟାକ୍ଟ ଟ୍ରେସିଂ ମଧ୍ୟ କରାଯାଇଥିଲା । ହୋଟେଲର ୧୮ ଜଣ କର୍ମଚାରୀଙ୍କ ସମେତ ମୋଟ ୩୦ଜଣଙ୍କୁ ଟ୍ରେସିଂ କରାଯାଇ ସେମାନଙ୍କର ସ୍ୱାବ୍ ପରୀକ୍ଷା ପାଇଁ ଆଜି ନମୂନା ସଂଗ୍ରହ କରାଯାଇଛି । (ବଡ଼ବିଲରୁ ରିପୋର୍ଟର ଦିପକ କୁମାର ସତପଥୀ)

Leave a Reply