ବ୍ୟାଙ୍କ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଗ୍ରାହକ ଗୁରୁତର

ପୁରୀ : ବ୍ୟାଙ୍କରେ ଗୁଳିମାଡ଼ । ବ୍ୟାଙ୍କ ଅଫ୍ ଇଣ୍ଡିଆର ପୁରୀ ଶାଖାରେ ଫୁଟିଛି ଗୁଳି । ବ୍ୟାଙ୍କରେ ଗ୍ରାହକଙ୍କ ଗହଳି ଲାଗିଥିବା ବେଳେ ଗୁଳି ଫୁଟିଛି । ବ୍ୟାଙ୍କରେ ନିୟୋଜିତ ସୁରକ୍ଷା କର୍ମୀ ଅଜୟ ମହାରଣାଙ୍କ ବନ୍ଧୁକରୁ ଗୁଳି ଫୁଟି ଜଣେ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି ।ଆହତ ଗ୍ରାହକ ମନାନ ଖାଁଙ୍କୁ ପ୍ରଥମେ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମନାନଙ୍କ ବାମ ଗୋଡ଼ରେ ଗୁଳି ବାଜିଛି ।

ବ୍ୟାଙ୍କରେ କୁମ୍ଭାରପଡ଼ା ଥାନା ପୋଲିସ, ସିଟି ଡିଏସପି, ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରୁଛନ୍ତି । ସୁରକ୍ଷା କର୍ମୀ ଅଜୟଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ବେଳେ ବନ୍ଧୁକ ଜବତ କରାଯାଇଛି । କେଉଁ ପରିସ୍ଥିତିରେ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟିଲା ପୋଲିସ ଅନୁସନ୍ଧାନ କରୁଛି ।

ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ଅସାବଧାନତା ବଶତଃ ସୁରକ୍ଷା କର୍ମୀଙ୍କ ହାତରୁ ବନ୍ଧୁକ ଖସିପଡ଼ି ଗୁଳି ଫୁଟିଥିଲା । ବନ୍ଧୁକ କାଗଜପତ୍ର ଓ ଲାଇସେନ୍ସ ନେଇ ପୋଲିସ ତଦନ୍ତ କରୁଛି । ଆହତଙ୍କ ସମସ୍ତ ଖର୍ଚ୍ଚ ବ୍ୟାଙ୍କ ବହନ କରିବ ବୋଲି ବ୍ୟାଙ୍କ ଅଫ୍ ଇଣ୍ଡିଆର ପୁରୀ ଶାଖା ମ୍ୟାନେଜର ସୂଚନା ଦେଇଛନ୍ତି ।

Leave a Reply