ଢାବାରେ ବାସନ ମାଜିଥିଲେ, ଶିକ୍ଷା ସମାପ୍ତ ପରେ ପୈଠ କରି ପାରି ନ ଥିଲେ ଦେୟ ..ମନେ ପଡ଼ନ୍ତି ଓମ୍ ପୁରୀ

1 min read

ମୁମ୍ବାଇ:  ଆଜିକାଲି ରଙ୍ଗୀନ ଚଳଚ୍ଚିତ୍ର ହେଉ କି ବିଗତ ଦିନର କଳାଧଳା ପରଦାର ସିନେମାନ । ସବୁଥିରେ ନିଜ ଅଭିନୟର ସ୍ୱତନ୍ତ୍ର ଛାପ ଛାଡିଥିଲେ ଓମ୍ ପୁରୀ । ଏହି ଅଭିନେତାଙ୍କ ଜନ୍ମ ହୋଇଥିଲା ଆଜିର ଦିନରେ ଠିକ୍ ୭୦ ବର୍ଷ ପୂର୍ବ । ଅର୍ଥାତ  ୧୮ ଅକ୍‌ଟୋବର‌୍‌ ୧୯୫୦ ମସିହାରେ । ଓମ୍ ପୁରୀ ଯଦି ଜୀବିତ ଥାଆନ୍ତେ, ତେବେ ଆଜି ତାଙ୍କୁ ୭୦ ବର୍ଷ ହୋଇଥିଲା । ହେଲେ ନିୟତିର ଖେଳ ବିଚିତ୍ର । ସମସ୍ତଙ୍କୁ ପରଦାରେ ହସାଇ, କନ୍ଦାଇ ଚାଲୁଥିବା ମଣିଷଟି ୩ ବର୍ଷ ପୂର୍ବରୁ ବିଦାୟ ନେଇ ସାରିଛି ।

୨୦୧୭ ମସିହା ୬ ଜାନୁୟାରୀରେ ଓମଙ୍କ ପରଲୋକ ହୋଇଥିଲା । ବର୍ତ୍ତମାନର ବାଲାଂଦେଶରର ଏକ ପ˚ଜାବୀ ହିନ୍ଦୁ କ୍ଷେତ୍ରିୟ ପରିବାରରେ ତାଙ୍କର ଜନ୍ମ  । ହେଲେ ସେ ନିର୍ଦିଷ୍ଟ ଭାବେ କେବେ ଜନ୍ମ ହୋଇଥିଲେ ଅନେକଙ୍କ ପାଇଁ ଅଜଣା। ତେବେ, ବମ୍ବେ ଆସିବା ପରେ ୧୮ ଅକ୍‌ଟୋବର‌୍‌ରେ ନିଜର ଜନ୍ମ ଦିନ ପାଳିବା ଆରମ୍ଭ କରିଥିଲେ। ତାଙ୍କ ବାପା ରାଜେଶ ପୁରୀ ଥିଲେ ରେଳବାଇର ଜଣେ ସାଧାରଣ କର୍ମଚାରୀ।

ଓମ ଛଅ ବର୍ଷର ହୋଇଥିବା ବେଳେ ସିମେନ୍‌ଟ ଚୋରି ଅପରାଧରେ, ତାଙ୍କ ପିତା ଚାକିରି ହରାଇଥିଲେ। ପିତା ଜେଲ୍‌ ଯିବାରୁ ସାରା ପରିବାର ଅନାଥ ହୋଇ ଯାଇଥିଲା। ପେଟ-ପାଟଣା ପାଇଁ ତାଙ୍କ ବଡ଼ ଭାଇଙ୍କୁ ଏକଦା କୁଲି କାମ କରିବାକୁ ପଡ଼ିଥିଲା ।  ପରିବାର ପ୍ରତିପୋଷଣା ପାଇଁ ଓମ ଏକ ଚାହା ଦୋକାନରେ କାମ କରିଥିଲେ । ଖାଲି ସେତିକି ନୁହେଁ, କୌଣସି ଏକ ଢାବାରେ ଓମ୍ ଅଇଁଠା ବାସନ ମଧ୍ୟ ମାଜିଥିଲେ। ଏହି ସବୁ ସତ୍ତ୍ୱେ ବି ସେ ହାର ମାନି ନ ଥିଲେ ।

ମଞ୍ଚ ଅଭିନୟ ଶିଖିବା ପାଇଁ ଦିଲ୍ଲୀସ୍ଥିତ ‘ନେସ୍‌ନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମା’ରେ ନାମ ଲେଖାଇଥିଲେ। ଏହି ବିଦ୍ୟାପୀଠ ହିଁ ତାଙ୍କ କ୍ୟାରିୟରକୁ ନୂଆ ମୋଡ଼ ଦେଇଥିଲା । ଅଭିନୟର ଅ ଠାରୁ କ୍ଷରେ ଏଇଠି ସେ ହୋଇଥିଲେ ଦୀକ୍ଷିତ । ଏଠାରେ ତାଙ୍କ ସହପାଠୀ ଥିଲେ ନସୀରୁଦ୍ଦୀନ ଶାହ। ଦୁହେଁ ପୁଣେସ୍ଥିତ ‘ଫିଲ୍ମ ଆଣ୍ତ୍‌ ଟେଲିଭିଜନ୍‌ ଇନ୍‌ସଟିଚ୍ୟୁଟ୍‌ ଅଫ୍‌ ଇଣ୍ତିଆ’ରେ ମଧ୍ୟ ପଢ଼ିଥିଲେ।

ସେତେ ବେଳେ ପିନ୍ଧିବା ପାଇଁ ଓମଙ୍କ ପାଖରେ ଭଲ କମିଜ ଖଣ୍ତିଏ ମଧ୍ୟ ନ ଥିଲା। ଟ୍ୟୁସନ୍‌ ଫି ଦେବାରେ ମଧ୍ୟ ନାନା ଅସୁବିଧା ଭୋଗୁଥିଲେ। ଏଠାରୁ ପାସ୍ ହେବା ବେଳକୁ ଫି ବାବଦକୁ ୨୮୦ ଟଙ୍କା ଦେବା ବାକିଥିଲା, ଯାହା ଓମ୍  ଦେଇ ପାରି ନ ଥିଲେ। ସେ ଅଭିନୟ ଜଗତରେ ପ୍ରସିଦ୍ଧ ହେବା ପରେ ‘ଫିଲ୍ମ ଆଣ୍ତ୍‌ ଟେଲିଭିଜନ୍‌ ଇନ୍‌ସଟିଚ୍ୟୁଟ୍‌ ଅଫ୍‌ ଇଣ୍ତିଆ’ ପକ୍ଷରୁ ତାଙ୍କୁ ୨୮୦ ଟଙ୍କା ମଗାଯାଇଥିଲା। ତେବେ, ସେ  ଦେବାକୁ ନିଆରା ଢଙ୍ଗରେ କୁଣ୍ଠିତ ହୋଇଥିଲେ । ଏହାର ପ୍ରତିକ୍ରିୟାରେ ସେ କହିଥିଲେ ଯେ, ସେହି ୨୮୦ ଟଙ୍କା ନ ଦେବା ତାଙ୍କୁ ଏକ ନିଆରା ଆନନ୍ଦ ଦେଇଥାଏ ।

ପେଶାଗତ ଭାବେ ଅଭିନେତା ହେବା ପୂର୍ବରୁ ସେ କିଛି କାଳ ‘ଆକ୍‌ଟର୍ସ‌୍‌ ଷ୍ଟୁଡିଓ’ରେ ଓମ୍ ଅଭିନୟ ଶିକ୍ଷା ଦେଇଥିଲେ। ଗୁଲଶନ ଗ୍ରୋୱର ଓ ଅନିଲ କପୂର ତାଙ୍କର୨ ପ୍ରସିଦ୍ଧ ଛାତ୍ର। ୧୯୭୬ରେ ସେ ମୁଖ୍ୟସ୍ରୋତ ସିନେମା ଦୁନିଆକୁ ପ୍ରବେଶ କରିଥିଲେ। ତାଙ୍କର ପ୍ରଥମ ସିନେମା ଥିଲା ଫିଲ୍ମ- ‘ଘାସୀରାମ କୋତୱାଲ’(ମରାଠୀ)। ଏଥିରେ ଅଭିନୟ ପାଇଁ ତାଙ୍କୁ କୌଣସି ପାରିଶ୍ରମିକ ମିଳି ନ ଥିଲା। ସେ ଶତାଧିକ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ। ମୃତ୍ୟୁ ବେଳକୁ ଏକ ମରାଠୀ ଫିଲ୍ମରେ ଅଭିନୟ କରୁଥିଲେ।

ଓମ ଅଭିନୀତ ‘ଟ୍ୟୁବ୍‌ଲାଇଟ୍‌’, ‘ଭାଇସ୍‌ରୟଜ୍‌ ହାଉସ୍‌’, ‘ଗୁଲ ମକାଈ’ ଆଦି ମୋଟ ନଅଟି ଫିଲ୍ମ ମରଣୋତ୍ତର ଭାବେ ମୁକ୍ତିଲାଭ କରିଥିଲା। ‘ଆରୋହଣ’ ଏବ˚ ‘ଅର୍ଦ୍ଧ ସତ୍ୟ’ ପାଇଁ ସେ ପାଇଥିଲେ ଜାତୀୟ ପୁରସ୍କାର ଏବ˚ ‘ଆକ୍ରୋଶ’ ପାଇଁ ଫିଲ୍ମଫେଆର‌୍‌ ପୁରସ୍କାର। ୧୯୯୦ରେ ତାଙ୍କୁ ‘ପଦ୍ମ ଶ୍ରୀ’ରେ ସମ୍ମାନିତ କରାଯାଇଥିଲା। ସେ ‘ସିଟି ଅଫ୍‌ ଜଏ’, ‘ଉଲ୍‌ଫ’, ‘ଦ ଘୋସ୍‌ଟ ଆନ୍‌ଡ ଦ ଡାର୍କ‌୍‌ନେସ୍‌’, ‘ଚାର୍ଲି ୱିଲ୍‌ସନ୍‌ସ ୱାର‌୍‌’ ଆଦି କୋଡ଼ିଏରୁ ଅଧିକ ବ୍ରିଟିସ୍‌ ଓ ହଲିଉଡ୍‌ ଫିଲ୍ମରେ ଅଭିନୟ କରିଥିବା ଜଣାଯାଏ।

ଓମ ଦୁଇ ଦୁଇ ଥର ବିବାହ କରିଥିଲେ। ନିର୍ଦେଶିକା ସୀମା କପୂରଙ୍କ ସହ ପ୍ରଥମ ବିବାହ ମାତ୍ର ଆଠ ମାସ ପରେ ବିଚ୍ଛେଦରେ ପରିଣତ ହୋଇଥିଲା। ତାହା ପରେ ସାମ୍ବାଦିକା ନନ୍ଦିତା ପୁରୀଙ୍କୁ ବିବାହ କରିଥିଲେ। ସେମାନଙ୍କ ଏକ ମାତ୍ର ପୁତ୍ରଙ୍କ ନାମ ଈଶାନ। ନନ୍ଦିତା, ତାଙ୍କର ଜୀବନୀ ରଚନା କରିଥିଲେ- ‘ଅନ୍‌ଲାଇକ୍‌ଲି ହିରୋ: ଦ ଷ୍ଟୋରି ଅଫ୍‌ ଓମ ପୁରୀ’।

ଏହି ବହିରେ ଓମଙ୍କ ଜୀବନର କିଛି ଗୋପନୀୟ ଘଟନା(ଦୁଇ ଦୁଇ ଜଣ ଚାକରାଣୀଙ୍କ ସହ ଶାରୀରିକ ସ˚ପର୍କ କଥା) ବର୍ଣ୍ଣନା କରି ନନ୍ଦିତା, ତାଙ୍କ ରୋଷର ଶିକାର ହୋଇଥିଲେ। ୨୦୧୩ରେ ନନ୍ଦିତା, ତାଙ୍କ ଉପରେ ଘରୋଇ ହି˚ସା ଅଭିଯୋଗ ଆଣିବା ପରେ ଦୁହେଁ ଆଇନ ଅନୁଯାୟୀ ଅଲଗା ହୋଇଯାଇଥିଲେ। ଜୀବନର ଶେଷ ଚାରି ବର୍ଷ ଓମ ଏକଲା ରହୁଥିଲେ। କୃଷି ଓ ରୋଷେଇରେ ତାଙ୍କର ବିଶେଷ ରୁଚି ଥିଲା। ‘ଡାଲ ରୋଟୀ’ ନାମରେ ଏକ ଢାବା ଖୋଲିବା ଥିଲା, ତାଙ୍କର ସ୍ୱପ୍ନ। ସେ ଏକନାଥ ଈଶ୍ବରନ ରଚିତ ଆଧ୍ୟାତ୍ମିକ ପୁସ୍ତକ ପଢ଼ିବାକୁ ଭଲପାଉଥିଲେ। ତେବେ, ଧର୍ମ ସ˚ପର୍କିତ କୌଣସି କର୍ମ-କାଣ୍ତରେ ତାଙ୍କର ବିଶ୍ୱାସ ନ ଥିଲା।

 

Leave a Reply