ଆରପାରିରେ ଓଲିଉଡ଼ ଅଭିନେତା ରବି ମିଶ୍ର

କଟକ: ବିଶିଷ୍ଟ ଅଭିନେତା ରବି ମିଶ୍ରଙ୍କ ପରଲୋକ । ଓଲିଉଡ଼ ତାର ଆଉ ଜଣେ ସୁନାମଧନ୍ୟ କଳାକାରଙ୍କୁ ହରାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ଅଭିନେତା ରବି ମିଶ୍ରଙ୍କ ପରଲୋକ ହୋଇଛି । ମାତ୍ର ୬୪ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଛି । ତାଙ୍କ ଅଭିନିତ ସଂଖ୍ୟାଧିକ, ଓଡ଼ିଆ ଚଳଚ୍ଚିତ୍ର, ସିରିଏଲରେ ଅଭିନୟ କରି ଦାର୍ଶକଙ୍କ ମନ ଜିଣିଥିଲେ ରବି ମିଶ୍ର ।

ନୂଆ ବର୍ଷ ଆରମ୍ଭ ଓଲିଉଡ଼଼ରେ ଘୋଟି ଯାଇଛି ଦୁଃଖର ବାଦଲ । ନିଜର ନିଖୁଣ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟରେ ରାଜ କରିପାରିଥିବା ଏହି ଅଭିନେତା ଆଜି ଆରପାରିକୁ ଚାଲିଯାଇଛନ୍ତି । ସବୁ ଚରିତ୍ରକୁ ପରଦା ଉପରେ ଅତି ସୁନ୍ଦର ଭାବେ ପ୍ରଦର୍ଶନ କରିପାରୁଥିବା ଏହି ଅଭିନେତା ଜଣଙ୍କ ଅନେକ ପୁରୁଖା ଅଭିନେତାଙ୍କ ସହ ଅଭିନୟ ମଧ୍ୟ କରିଛନ୍ତି । ମଞ୍ଚ ଅଭିନେତାରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଏହି ଅଭିନେତା ନିକଟରେ ଜି ସାର୍ଥକର ଏକ ଧାରାବାହିକ ‘ହେ ପ୍ରଭୁ’ରେ ଅଭିନୟ କରୁଥିଲେ ।

ତେବେ ‘ଗୋପାଳ ରହସ୍ୟ’ ସିରିଏଲର ମୁଖ୍ୟ ଚରିତ୍ରରେ ଅଭିନୟ କରି ଲୋକଙ୍କୁ ହସାଉଥିବା ବର୍ଷୀୟାନ ଅଭିନେତା ରବି ମିଶ୍ରଙ୍କ ପରଲୋକରେ ସମ୍ପୂର୍ଣ୍ଣ ଓଲିଉଡ଼ ଏବେ ମର୍ମାହତ । ଏହି ଧାରାବାହିକକୁ ଏବେ ଭୁଲିନାହାଁନ୍ତି ଦର୍ଶକ  । ଏଥିରେ ତାଙ୍କ ନିଖୁଣ ଅଭିନୟ ତାଙ୍କୁ  ଘରେ ଘରେ ପରିଚିତ କରାଇପାରିଥିଲା ।

Leave a Reply