ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା, ରହଣୀ ପାଇଁ ୮ଟି ଜିଲ୍ଲାରେ ହୋଇଛି ବ୍ୟବସ୍ଥା………

ଭୁବନେଶ୍ୱର : ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରିବେ ବୋଲି କହିଥିଲେ । ଏହି କ୍ରମରେ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରୀକ୍ଷାର୍ଥୀଙ୍କ ପାଇଁ ଖାଦ୍ୟ ଓ ରହଣୀର ବ୍ୟବସ୍ଥା କରାଯାଇଛି । ନିଜ ନିଜ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବଠାରୁ ଆରମ୍ଭ କରି ପରୀକ୍ଷା ପର୍ଯ୍ୟନ୍ତର ରହଣୀ ବ୍ୟବସ୍ଥା ସରକାର କରୁଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲା ଏଦିଗରେ ସକ୍ରିୟ ଭାବେ କାର୍ଯ୍ୟକ୍ରମ ହାତକୁ ନେଇ ସାରିଛି । ଖୋର୍ଦ୍ଧା ଜିଲ୍ଲାକୁ ଆସୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ଅଭିନବ ବ୍ୟବସ୍ଥା କରିଛି । କେବଳ ଛାତ୍ରଛାତ୍ରୀ ନୁହେଁ ବରଂ ସେମାନଙ୍କ ସହ ଆସୁଥିବା ଅଭିଭାବକମାନଙ୍କ ପାଇଁ ମଧ୍ୟ ରହଣୀ ଓ ଖାଦ୍ୟପାନୀୟ ଯୋଗାଇ ଦିଆଯାଉଛି ।

ସରକାରଙ୍କ ଏହି ଉଦ୍ୟମ ଓ ସହଯୋଗକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଜେଇଇ ଓ ନିଟ୍ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ସାରା ଦେଶର ଛାତ୍ରଛାତ୍ରୀମାନ ଦାବି କରିଥିଲେ । ରାଜନୈତିକ ଦଳମାନେ ମଧ୍ୟ ସମାନ ଢ଼ଙ୍ଗରେ ସରକାରଙ୍କୁ ପରୀକ୍ଷା ଘୁଞ୍ଚାଇବା ପାଇଁ ଚାପ ପକାଇଥିଲେ । ମାତ୍ର କେନ୍ଦ୍ର ସରକାର ନିଜ ନିଷ୍ପତ୍ତିରେ ଅଟଳ ରହି ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ ବୋଲି ଘୋଷଣା କଲେ । ଏହି କ୍ରମରେ ଏବେ ସାରା ଦେଶରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ ।

ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ସୁବିଧାରେ ପରୀକ୍ଷାକେନ୍ଦ୍ରରେ ପହଞ୍ଚାଇବାର ଦାୟିତ୍ୱ ନିଜ କାନ୍ଧରେ ନେଇଛନ୍ତି । ଛାତ୍ରଛାତ୍ରୀମାନେ କିଭଳି ଭାବେ ସଂକ୍ରମଣର ଶୀକାର ହେବେ ନାହିଁ, ଗମନାଗମନ ଓ ଖାଦ୍ୟପେୟର ସୁବିଧା ପାଇବେ ସେ ନେଇ ନବୀନ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ରାଜ୍ୟର ୮ଟି ଜିଲ୍ଲାରେ ଏଭଳି ବ୍ୟବସ୍ଥା କରାଯାଇଛି । ଅନୁଗୁଳ, ବାଲେଶ୍ୱର, ବ୍ରହ୍ମପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ରାଉରକେଲା ଓ ସମ୍ୱଲପୁରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଛି । ପ୍ରାୟ ସବୁ ଜିଲ୍ଲାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ପିଲା ଓ ଅଭିଭାବକଙ୍କ ପାଇଁ ବେଡ୍ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବାର ମଧ୍ୟ ଆୟୋଜନ କରାଯାଇଛି । ମିଳୁଥିବା ଖାଦ୍ୟର ମାନକୁ ନେଇ ମଧ୍ୟ ଛାତ୍ରଛାତ୍ରୀମାନେ ସନ୍ତୋଷ ପ୍ରକାଶ କରିଛନ୍ତି । ସେହିଭଳି ପିଲାମାନେ ପାଠ ପଢିବା ପାଇଁ ରିଡିଂ ଟେବୁଲ ମଧ୍ୟ ସରକାର ଯୋଗାଇଛନ୍ତି ।

Leave a Reply