୫ ମାସ ପରେ ଖୋଲିଲା ସୂର୍ଯ୍ୟମନ୍ଦିର, କଟକଣା ଭିତରେ ପରିଦର୍ଶନ କରିବେ ପର୍ଯ୍ୟଟକ

Konark Temple

ପୁରୀ/କୋଣାର୍କ: ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ଦୀର୍ଘ ୫ ମାସର ବ୍ୟବଧାନ ପରେ ମଙ୍ଗଳବାରଠୁ ଖୋଲିଛି ମନ୍ଦିର । କେନ୍ଦ୍ରସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ମନ୍ଦିର ଭିତରକୁ ପର୍ଯ୍ୟଟକ ମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯ଼ାଇଛି । ସ୍କ୍ରିନିଂ ସହ ପର୍ଯ୍ୟଟକମାନଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯ଼ାଇଛି । ତେବେ ପର୍ଯ୍ୟଟକମାନେ ବାର୍‌କୋଡ୍‌ ଦ୍ୱାରା ଟିକେଟ୍‌ କାଟି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।

କରୋନା କଟକଣା କାରଣରୁ ଏହି ଐତିହାସିକ ପର୍ଯ୍ୟଟନ ସ୍ଥଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । କୋଣାର୍କ ସୂର୍ଯ୍ୟ ମନ୍ଦିର ମଙ୍ଗଳବାର ସକାଳ ୮ଟା ସମୟରେ ଖୋଲିଛି । ମିଳିଥିବା ସୂଚନା ଅନୁଯାୟୀ, ସକାଳ ୮ଟାରୁ ଅପହାହ୍ନ ୧ଟା ଭିତରେ ସର୍ବାଧିକ ୧୫୦୦ ଓ ଅପହାହ୍ନ ୧ଟା ପରେ ମାତ୍ର ଏକ ହଜାର ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପାଇଁ ସୁଯୋଗ ମିଳିବ ।

ପର୍ଯ୍ୟଟକଙ୍କ ମଧ୍ୟରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଏକକାଳୀନ ୧୦୦ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ରହିବ । ୧୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଅନୁମତି ମିଳିବନି ବୋଲି କୁହାଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି କୋଣାର୍କ ସୂର୍ଯ୍ୟମନ୍ଦିର କର୍ତ୍ତୃପକ୍ଷ । ପ୍ରଥମ ପର୍ଯ୍ୟଟକଙ୍କୁ କୋଣାର୍କ ସୂର୍ଯ୍ୟମନ୍ଦିର କର୍ତ୍ତୃପକ୍ଷ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ବୋଲି ଏଏସଆଇ ଅଧିକାରୀ ନୀରଜ ସିଂହ ସୂଚନା ଦେଇଛନ୍ତି ।

ତେବେ ସକାଳ ୧୦ଟା ସୁଦ୍ଧା ମାତ୍ର ୨ଜଣ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ଲାଗି ଆସିଥିବା ଜଣାଯାଇଛି । ମନ୍ଦିର ଭିତରକୁ ଗାଇଡ୍ ଓ ଫଟୋଗ୍ରାଫରଙ୍କୁ ବାରଣ କରାଯାଇଛି । ମନ୍ଦିର ଭିତରକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ବାରଣ କରାଯାଇଛି ।

Leave a Reply