ରାଜ୍ୟରେ ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା, ଚିନ୍ତାରେ ଚାଷୀ..

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ, କେନ୍ଦୁଝର  ଏବଂ  ମୟୁରଭଞ୍ଜ ଭଳି  ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏଠାରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରଯାଇଛି । ଏହି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଏହାସହ ୩୦ ଏବଂ ୩୧  ତାରିଖରେ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି ବୋଲି କହିଛି ବିଭାଗ ।

୩୧ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର ଏବଂ  ମୟୁରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରଯାଇଛି । ସେହିଭଳି ଅଗଷ୍ଟ ପହିଲାରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ୧ ଜୁନ୍‌  ରୁ ୨୮ ଜୁଲାଇ ୨୦୨୦ ମଧ୍ୟରେ ଓଡ଼ିଶାରେ ୪୬୪.୧  ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୫୨୬.୬ ମିମି ଠାରୁ ୧୨ ପ୍ରତିଶତ କମ୍‌ ବୋଲି ଜଣାପଡ଼ିଛି ।

୧ ଜୁନ ରୁ ୨୮  ଜୁଲାଇ ମଧ୍ୟରେ ଓଡ଼ିଶାର  ୧୨ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ପୁରୀ, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୋନପୁର ଠାରେ ସ୍ୱାଭାବିକ ବର୍ଷା ଠାରୁ କମ୍‌ ବର୍ଷା ରେକର୍ଡ କରାଯାଇଛି । ୧ ଜୁନ୍‌ରୁ ୨୮ ଜୁଲାଇ ମଧ୍ୟରେ ଓଡ଼ିଶାର ଝାରସୁଗୁଡା ଏବଂ ନୂଆପଡ଼ା ଜିଲ୍ଲାରେ ସ୍ୱାଭାବିକ ବର୍ଷାଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୨ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍‌, ଦୁଇଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଏବଂ ଅବଶିଷ୍ଟ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

ତେବେ ଚଳିତ ଥର ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା ହୋଇଥିବା ବେଳେ ଏବେ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଲକ୍‌ଡାଉନ୍‌ ସମୟରେ କାମ ଧନ୍ଦା ଛାଡ଼ି ଘରେ ବସିଥିବା ଚାଷୀ ପରିବାର, ଚାଷ ଉପରେ ସମ୍ପୂର୍ଣ୍ଣ ନିର୍ଭର ଥିବା ବେଳେ ସ୍ୱଳ୍ପ ବର୍ଷା ଏବେ ସେମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

Leave a Reply