ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା: କେନ୍ଦ୍ରର କୃଷି ବିଲ୍ ଯୋଗୁଁ ବଢିଛି ପିଆଜ ଦର

ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ନିୟନ୍ତ୍ରଣ ବାହାରକୁ ଯାଇଛି । ଗତ ୪ ଦିନ ହେବ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ  ପିଆଜ ଦର ଅତିକମରେ ୮୦ ଟଙ୍କା ରହିଛି । ଏଭଳି ସ୍ଥିତିରେ ରାଜ୍ୟ  ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଭୁଲ କୃଷି ଆଇନ ଯୋଗୁଁ ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ନୂଆ ବିଲରେ  ଆଳୁ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦିଆଯାଇଛି ।

ଯାହାର ଫଳ ରାଜ୍ୟକୁ ଭୋଗିବାକୁ ପଡୁଛି । ତେବେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ପିଆଜ ଦର ଆହୁରି ବଢିବ ଓ କେନ୍ଦ୍ର ସରକାର ଚାହିଁଲେ ମଧ୍ୟ ଦରକୁ ନିୟନ୍ତ୍ରଣ କରିପାରିବେ ନାହିଁ ବୋଲି ଯୋଗାଣ ମନ୍ତ୍ରୀ ଦୃଢୋକ୍ତି ବାଢିଛନ୍ତି । ତେବେ ସାରା ଦେଶର ପିଆଜ ଦର ଉପରେ ମନ୍ତବ୍ୟ ରଖି ସେ କହିଛନ୍ତି ଯେ, କେବଳ ଓଡିଶାରେ ନୁହେଁ ଦେଶର ଅନ୍ୟ ପ୍ରଦେଶଗୁଡିକରେ ମଧ୍ୟ ପିଆଜ ଦର ବହୁ ପରିମାଣରେ ବଢିଛି ।ଦିଲ୍ଲୀ, କେରଳ ଭଳି ରାଜ୍ୟରେ ପିଆଜ ଦର ଓଡିଶାଠାରୁ ଅଧିକ ରହିଛି ।

ତେବେ ରାଜ୍ୟ ସରକାର ଦରକୁ ନିୟନ୍ତ୍ରଣ କରିବା ପାଇଁ ସବୁ ପ୍ରକାର ପ୍ରୟାସ କରୁଛନ୍ତି । ମାର୍କେଟରେ ଘନଘନ ଚଢାଉ କରାଯାଉ, କଳାବଜାରୀ ରୋକିବାର ପ୍ରୟାସ କରାଯାଉଛି । ସେହିଭଳି ଯୋଗାଣ ଅଧିକାରୀମାନେ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଛନ୍ତି ।

Leave a Reply