ଦେଶର ନିରୀହ ଜନତାଙ୍କୁ ଖାଲି ସୁନେଲି ସ୍ୱପ୍ନ ଦେଖାଉଛନ୍ତି ଶାହା: ନିରଞ୍ଜନ

Odisha Politics News, Pcc President Niranjan Pattnaik Target Amit Shah Narendra Modi On Virtual Rally.

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଦଶବାସୀଙ୍କୁ କେବଳ ଗପ କହୁଛନ୍ତି । କହିଥିଲେ ୨୧ ଦିନରେ କରୋନାକୁ ସମୂଳେ ଧ୍ୱଂଶ କରିବେ ହେଲେ ଆଜି କି ୭୫ ଦିନ ବିତିଲାଣି, କିଛି ଫରକ ପଡ଼ିଲାନି । ଏଭି କଟୁ କଥା କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନାକ କରିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।

ସେ କହିଛନ୍ତି ଗତ ମାର୍ଚ୍ଚ ୨୪ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନାରସରେ କହିଥିଲେ ମହାଭାରତ ୧୮ ଦିନରେ ସରିଥିଲା, ହେଲେ ସେ ମହାମାରୀ କରୋନାକୁ ୨୧ ଦିନରେ ଦେଶରୁ ମୁକ୍ତ କରିଦେବେ । ହେଲେ ଆଜିକୁ ୭୫ ଦିନରୁ ଅଧିକ ହୋଇଗଲାଣି, ଆଉ କରୋନା ମୁକ୍ତ ହେବା ବଦଳରେ ଦେଶ ଏବେ କରୋନା ସଂକ୍ରମଣ କରିବାରେ ବିଶ୍ୱରେ ପଂଚମ ସ୍ଥାନରେ ପଂହଚିଛି । ଆଉ ଏସିଆ ମହାଦେଶରେ ପ୍ରଥମ ସ୍ଥାନରେ ପଂହଚିଲାଣି । ଏହି ମହାମାରୀରେ ହଜାର ହଜାର ଲୋକ ମୃତ୍ୟୁବରଣ କଲେଣି ।

ପ୍ରବାସୀମାନେ ନିଜ ରାଜ୍ୟକୁ ଫେରିବା ପାଇଁ ଅକଥନୀୟ ଯନ୍ତ୍ରଣା ଭୋଗୁଥିବା ସହ ରାସ୍ତାଘାଟରେ ମୃତ୍ୟୁବରଣ କରୁଛନ୍ତି । ଏନେଇ ଭାରତର ସର୍ବୋଚ୍ଚ ନ୍ୟାୟଳୟ ପ୍ରବାସୀ ମାନଙ୍କୁ ନିଜ ରାଜ୍ୟକୁ ଶୀଘ୍ର ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏବେ ସୁଦ୍ଧା ଲକ୍ଷ ଲକ୍ଷ ପ୍ରବାସୀମାନେ ଆସିବାର ସୁବିଧା ନପାଇ ବହୁ ଦୟନୀୟ ଭାବରେ ଦିନ କାଟୁଛନ୍ତି ।

ଏହି ସମୟରେ ସାଧାରଣ ଲୋକଙ୍କ ଜୀବନ ଜୀବିକା କଥା ଚିନ୍ତା ନକରି ଦେଶର ଗୃହମନ୍ତ୍ରୀ ତଥା ବିଜେପି ଦଳର ନେତା ଅମିତ ଶାହା ଯେଉଁ ଭର୍ଚୁଆଲ ର‌୍ୟାଲି କରିଛନ୍ତି, ତାହା ରାଜ୍ୟ କିମ୍ବା ଦେଶର ହିତ ଉଦ୍ଦେଶ୍ୟରେ ନଥିଲା ବୋଲି ଜଣାପଡ଼ୁଛି । କେବଳ ନିରୀହ ଜନତାଙ୍କୁ ସୁନେଲି ସ୍ୱପ୍ନ ଦେଖାଇ ଏବଂ ନିଜ ଦଳର ବାହାଦୁରି ବଖାଣିବା ଓ ପ୍ରଚାର ପ୍ରସାର କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ବୋଲି ସ୍ପଷ୍ଟ ବାରି ହୋଇ ପଡ଼ିଛି । ଏହି ସବୁ କାର୍ଯ୍ୟକ୍ରମ କେବଳ ଗାଦିରେ ବସି ଶାସନ କରିବାର ଅଭିଳାଷ ପୂର୍ଣ୍ଣ କରିବାକୁ ଚେଷ୍ଠିତ ବୋଲି କହିଛନ୍ତି ନିରଞ୍ଜନ ।

ଅମିତ ଶାହା ଗତ ତିିନିମାସ ଧରି କୁଆଡ଼େ ଥିଲେ । ପ୍ରବାସୀ ଶ୍ରମିକ ମାନଙ୍କର ଦୁଃଖ ଦୁର୍ଦ୍ଦଶା ବେଳେ କ’ଣ ତାଙ୍କୁ ଦେଖାଯାଉ ନଥିଲା ତାଙ୍କ ରାଜ୍ୟ ଗୁଜୁରାଟରେ ଓଡ଼ିଆ ଶ୍ରମିକ ପୋଲିସ୍ ଲାଠିର ଶିକାର ହୋଇ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ଅନେକ ଶ୍ରମିକ ପୋଲିସ ମାଡ଼ରେ ଆହତ ହୋଇଛନ୍ତି । କଳକାରଖାନାର ମାଲିକମାନେ ଶ୍ରମିକମାନଙ୍କୁ କୌଣସୀ ସାହାଯ୍ୟ ନକରିବାରୁ ଭୋକ ଉପାସ ସହି ନପାରି ଲକ୍ଷାଧିକ ଶ୍ରମିକ ସାଇକେଲରେ, ଚାଲିଚାଲି, ଟ୍ରେନ୍‌ରେ, ବସରେ ନିଜ ବ୍ୟବସ୍ଥାରେ ଆସି ଗାଁ ଭୂମିରେ ପହଂଚିଛନ୍ତି ବୋଲି କହିଛନ୍ତି ନିରଞ୍ଜନ ।

ନିରଞ୍ଜନ ଆହୁରି ପ୍ରଶ୍ନ କରିଛନ୍ତି ଯେ, ବିଜେପି କାର୍ଯ୍ୟକର୍ତାମାନେ ୧୧ କୋଟି ଲୋକଙ୍କୁ ଭୋଜନ କରାଇଥିବାର ତଥ୍ୟ କେଉଁଠୁ ଆଣିଲେ ଶାହା ? ଏବେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଦେଶର ଦୁର୍ଗତି ସମୟରେ ଅତ୍ୟାଧୁନିକ ବ୍ୟବସ୍ଥାରେ ଭର୍ଚୁଆଲ ର‌୍ୟାଲିର ଆୟୋଜନ ଏ ଦେଶର କୋଟି କୋଟି ଗରିବଙ୍କ ପ୍ରତି ଉପହାସ ଛଡ଼ା ଆଉ କିଛି ନୁହେଁ । ଏଭଳି ଶସ୍ତା ରାଜାନୀତି ଓ ହୀନ ଚକ୍ରାନ୍ତ କରି କ୍ଷମତାରେ ରହିବାର ଭାରତ ଇତିହାସରେ କେବେ ଦେଖିବାକୁ ମିଳିନଥିଲା ବୋଲି କହିଛନ୍ତି ନିରଞ୍ଜନ ।

ନିଜେ ନୟମ କରି ସରକାର କରୋନା ସମୟରେ କୌଣସି ରାଜନୈତିକ ସଭା ସମିତି, ଉତ୍ସବ, ଦେବଦର୍ଶନ ଓ ସ୍କୁଲରେ ପାଠପଢ଼ା ଆଦି କାର୍ଯ୍ୟକୁ ନିଷିଧ କରିଛନ୍ତି । ହେଲେ ଏଭଳି ଭର୍ଚୁଆଲ ର‌୍ୟାଲି କରୋନା ନିୟନ୍ତ୍ରଣରେ କଣ ସହାୟକ ହେବ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ଏ ଦେଶ ଓ ରାଜ୍ୟକୁ କେବଳ ମହାପ୍ରଭୁ ଶ୍ରୀ ଜଗନ୍ନାଥ ହିଁ ଭରଷା ବୋଲି  କହିଛନ୍ତି  ।

Leave a Reply