ପୁଣି ହାତୀ ଆତଙ୍କ, ଯୁବକଙ୍କୁ ଦଳିଦେଲା…

ଅନୁଗୁଳ/ ମୟୁରଭଞ୍ଜ: ପୁଣି ଅନୁଗୁଳରେ ହାତୀ ଆତଙ୍କ । ଯୁବକଙ୍କୁ ଦଳି ମାରିଦେଲା ହାତୀ । ଅନୁଗୁଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ରୁଙ୍ଗ୍‌ଟା ଗେଟ୍‌ ସମୁଖରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମେରାମଣ୍ଡଳୀ ଗ୍ରାମର ରସା ନାଏକ । ବିଲକୁ ଚାଷ ପାଇଁ ଯିବା ବେଳେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସେପଟେ ମୟୂରଭଞ୍ଜରେ ବି ହାତୀ ଆତଙ୍କ ଦେଖିବାକୁ ମିଳିଛି । ପାଖାପାଖି ୨୧ ଟିକିଆ ହାତୀ ପଲ କରଞ୍ଜିଆରେ ଉତ୍ପାତ କରୁଛନ୍ତି । ସୁକୃଳି, ରରୁଆଁ, କରଞ୍ଜିଆ, ଯଶୀପୁର ବ୍ଲକର ବିଭିନ୍ନ ଗାଁରେ ଘର ଦୁଆର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀ ପଲ । ତେବେ ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ହାତୀମାନଙ୍କୁ ଘଉଡ଼ାଇବାରେ ସେମାନେ ସଫଳ ହୋଇନାହାନ୍ତି ।

 

ଅନ୍ୟପଟେ ହାତୀ ଆକ୍ରମଣରେ ଶୁକ୍ରବାର ଜଣେ ଯୁବକଙ୍କ ଜୀବନ ଯାଇଛି । ମୃତକ ହେଲେ କେଁଝରାର ଖଗେଶ୍ୱର ମହାନ୍ତ । ହାତୀପଲ ରାସ୍ତା ପାର କରୁଥିବା ବେଳେ ଖଗେଶ୍ୱର ସେହି ରାସ୍ତା ଦେଇ ଯାଉଥିବା ବେଳେ ହାତୀପଲ ହାବୁଡ଼ରେ ପଡ଼ିଥିଲେ । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଲୋକ ହାତୀ ଘଉଡ଼ାଇବା ପାଇଁ ରାତିରେ ନିଁଆଁ ହୁଳା ଧରି ମିଳିତ ଭାବେ ଜଗି ରହୁଛନ୍ତି ।

Leave a Reply