ରାଜ୍ୟ ବାହାରୁ ୧୧ ଶ୍ରମିକଙ୍କୁ ଉଦ୍ଧାର କଲା ‘ଓଡ଼ିଶା ମୋ ପରିବାର’

1 min read

ଭୁବନେଶ୍ୱର: ତେଲେଙ୍ଗାନା କରିମନଗରକୁ ଦାଦନ ଖଟିବାକୁ ଯାଇ ସମସ୍ୟାରେ ପଡିଥିବା ୧୧ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର । ୧୧ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ପରିଛିପୁର ଗାଁକୁ ପଠାଇବାକୁ ବ୍ୟବସ୍ଥା କରିଛି ଓଡ଼ିଶା ମୋ ପରିବାର ।

ତେଲେଙ୍ଗାନାର ଶ୍ରୀ ଶ୍ରାମ ଷ୍ଟୋନେକ୍ସ କମ୍ପାନୀରେ କାମ କରିବା ଲାଗି ବାଲେଶ୍ଵରର ଜଣେ ଠିକାଦାର ସହାୟତାରେ ଯାଇଥିଲେ । ୨ ମାସ କାମ କରିବା ପରେ ଠିକାଦାର କମ୍ପାନୀରୁ ଏହି ଶ୍ରମିକଙ୍କର ଟଙ୍କା ନେଇ ଫେରାର ହୋଇଯାଇଥିଲା । ଟଙ୍କା ନଥିବାରୁ କିଛି ଦିନ ଭୋକ ଉପବାସରେ ଶ୍ରମିକ ମାନେ ରହିଥିଲେ ।

ତେଣୁ ବାଧ୍ୟ ହୋଇ ଶ୍ରମିକ ମାନେ ୬୦ କିମି ଚାଲିଚାଲି ବିଜୟଓ୍ୱାଡାରେ ପହଞ୍ଚି, ସେଠାରୁ ବସ୍‌ ଯୋଗେ ଗତକାଲି ରାତିରେ ପଲାସାରେ ପହଞ୍ଚିଥିଲେ । ଏନେଇ ସୂଚନା ମିଳିବା ପରେ ଓଡିଶା ମୋ’ପରିବାର ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ସହାୟତାରେ ବ୍ରହ୍ମପୁରରେ ରହିବା ଓ ସୋମବାର ଭୁବନେଶ୍ୱର ଆସିବା ଲାଗି ବ୍ୟବସ୍ଥା କରିଥିଲେ । ବିଭିନ୍ନ ସମୟରେ ଶ୍ରମିକମାନେ ରାଜ୍ୟ ବାହାରେ ଠିକାଦାରଙ୍କ ଦ୍ଵାରା ଶୋଷଣର ଶିକାର ହେଉଥିବା ନଜରକୁ ଆସୁଛି । ତେଣୁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଓଡ଼ିଶା ମୋ ପରିବାର ଦାବି କରିଛି । ସେହିପରି ଏହି ଘଟଣାକୁ ନେଇ ଓଡ଼ିଶା ମୋ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବ ବୋଲି କହିଛନ୍ତି ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ।

Leave a Reply