ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପ

1 min read

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଗତି ମଇଦାନରେ ଅନୁଷ୍ଠିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷଣୀୟ ଓଡ଼ିଶା ମଣ୍ଡପ ଉଦଘାଟିତ ହୋଇଛି । ଓଡ଼ିଶା ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦଘାଟନ କରିଛନ୍ତି । ଏଥିରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ପରାମର୍ଶଦାତା ମାନସ ମଙ୍ଗରାଜ ଓ ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶା ସରକାରଙ୍କ ଆବାସିକ ଆୟୁକ୍ତ ସଞ୍ଜୀବ କୁମାର ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଉନ୍ନୟନମୂଳକ ପ୍ରଚାର ପ୍ରତିକା ଉନ୍ମୋଚିତ ହୋଇଥିଲା ।ଓଡ଼ିଶାର ଶିଳ୍ପାନୁକୂଳ ବାତାବରଣ ଓ ପୁଞ୍ଜିନିବେଶ କ୍ଷେତ୍ରରେ ସହଜ ଓ ସରଳ ବ୍ୟବସ୍ଥା, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଅନୁକୂଳ ପରିବେଶ, ବ୍ୟବସାୟ ନିମନ୍ତେ ଓଡ଼ିଶା ସରକାରଙ୍କ ଆନ୍ତରିକ ସହଯୋଗ ସମ୍ପର୍କରେ ଏହି ମଣ୍ଡପରେ ସୂଚନା ସ୍ଥାନ ପାଇଛି । ଏତଦବ୍ୟତୀତ ଉତ୍କଳିକା ଓ ବୟନିକା ମାଧ୍ୟମରେ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରଚାରପ୍ରସାର ନିମନ୍ତେ ୨ଟି ଷ୍ଟଲ ଖୋଲାଯାଇଛି । ହାତରେ ବୁଣା ଯାଉଥିବା ଏକ ନୂତନ ସୂତା ପୋଷାକର ଷ୍ଟଲ ସହ ଓଡ଼ିଶର ସୂକ୍ଷ୍ମ କାରୁକାର୍ଯ୍ୟ ତାରକସୀ ପାଇଁ ଏକ ଷ୍ଟଲ ଖୋଲାଯାଇଛି ।ଚଳିତବର୍ଷର ବିଷୟବସ୍ତୁ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍’ ରଖାଯାଇଛି । ସେହି ଅନୁସାରେ ଓଡ଼ିଶା ମଣ୍ଡପକୁ ଆକର୍ଷଣୀୟ ଢଙ୍ଗରେ ସଜ୍ଜିତ କରାଯାଇଛି । ଏଥିରେ ପିପିଲି ଚାନ୍ଦୁଆ ସାଙ୍ଗକୁ ଓଡ଼ିଶାର ବିଭିନ୍ନ ସାମଗ୍ରୀର ବିକ୍ରିବଟା କରାଯାଉଛି । ଏହି ଅନ୍ତର୍ଜାତୀୟ ମେଳା ନଭେମ୍ୱର ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ୨୧ ତାରିଖରେ ପ୍ରଗତି ମଇଦାନର ହଂସଧ୍ୱନି ଥିଏଟରରେ ‘ଓଡ଼ିଶା ଦିବସ’ ପାଳନ ହେବ । ଏଥିରେ ଓଡ଼ିଶାର ସ୍ୱନାମଧନ୍ୟ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।

')}

Leave a Reply