‘ଲକ୍‌ଡାଉନ୍‌ରେ ସମୟ ନଷ୍ଟ ନକରି ଆରମ୍ଭ କଲେ କିଚେନ୍‌ ଗାର୍ଡେନ୍‌’

Kitchen Garden

ବାଲେଶ୍ୱର:  ଛାତ ଉପରେ ପରିବା ଚାଷ । ଭେଣ୍ଡି, ବାଇଗଣ, କଲରାଠୁ ନେଇ ଭଳିକି ଭଳି ସଜ ପରିବା ଫଳିଛି । ଲକଡାଉନରେ ଘରେ ରହି କିଚେନ୍‌ ଗାର୍ଡେନ ଆରମ୍ଭ କରିଥିଲେ ବାଲେଶ୍ୱର ବାଲିଆପାଳର ରବିନ୍ଦ୍ର ନାଥ ଅଣ୍ଡିଆ ।

Kitchen Garden

ଭେଣ୍ଡି, ବାଇଗଣ, କଲରା, ଲାଉ, ଅଦା, କଖାରୁ, କଞ୍ଚାଲଙ୍କା ଏମିତି ଅନେକ କିଛି ପରିବା । ଏସବୁ ଫଳିଛି ଛାତ ଉପରେ । ବାଲେଶ୍ୱର ବାଲିଆପାଳର ଯୁବ ବ୍ୟବସାୟୀ ରବିନ୍ଦ୍ର ନାଥ ଅଣ୍ଡିଆ ଘରେ କରିଛନ୍ତି ଏକ ଛୋଟିଆ କିଚେନ ଗାର୍ଡେନ୍‌ । ଗତ ଚାରି ମାସ ହେଲା କରୋନା କଟକଣା ଯୋଗୁ ସବୁଠି ତାଲାବନ୍ଦ ଥିବା ବେଳେ ଘର ଛାତ ଉପରେ ପରିବା ଚାଷ କରିବା କଥା ଭାବିଥିଲେ ରବିନ୍ଦ୍ର । ଅଯଥା ସମୟ ନଷ୍ଟ ନକରି ସମୟର ସଦ୍‌ଉପଯୋଗ କରି ରକମ ରକମର ତଟକା ପନିପରିବା ଫଳାଇଛନ୍ତି । ଆଉ ଏହି କାମରେ ତାଙ୍କୁ ସାହାଯ୍ୟ କରିଛନ୍ତି ତାଙ୍କ ସ୍ତ୍ରୀ ଜୟଲକ୍ଷ୍ମୀ ।

Kitchen Garden

ଘରେ ଥିବା ଅଦରକାରୀ ଡ୍ରମ, ପେଟି, ବସ୍ତା ଆଦିରେ ମାଟି ଖତ ପକାଇ ଗଛ ଲଗାଇଥିଲେ । ଏହାର ଉଚିତ୍‌ ଯତ୍ନ ନେବା ସହିତ ଜୈବିକ ସାର ଓ ଔଷଧ ପ୍ରୟୋଗ କରି ଚାଷ ଆରମ୍ଭ କରିଥିଲେ । ଏବେ ଘରେ ପ୍ରତିଦିନ ତଟକା ପରିବା ପାଇ ଆଉ ବଜାର ଯିବାକୁ ପଡୁନାହିଁ ।

Kitchen Garden

ଘରେ ରହି ଫ୍ରେସ୍‌ ପରିବା ରୋଷେଇ କରି ଖାଉଛନ୍ତି ପୁରା ପରିବାର । ରବିନ୍ଦ୍ରଙ୍କ ଏଭଳି ପ୍ରୟାସକୁ ଆଖପାଖ ଲୋକ ପ୍ରଶଂସା କରିବା ସହିତ ନିଜେ ଆପଣାଉଛନ୍ତି । ଲକଡାଉନରେ ଆରମ୍ଭ ହୋଇଥିବା ରବିନ୍ଦ୍ରଙ୍କ ଏ ଛୋଟିଆ କିଚେନ ଗାର୍ଡେନ ବହୁ ଲୋକଙ୍କୁ କିଛି କରିବାର ପ୍ରେରଣା ଯୋଗାଇଛି ।

Leave a Reply