ରାଜ୍ୟ ଗୃହ ବିଭାଗର ନିଷ୍ପତ୍ତି, ଆଉ ହେବନି ହୋମଗାର୍ଡ ନିଯୁକ୍ତି

Home guard

ଭୁବନେଶ୍ୱର: ରାଜ୍ୟ ଗୃହ ବିଭାଗର ବଡ଼ ନିଷ୍ପତ୍ତି । ଆଉ ହେବନି ନୂଆ ହୋମଗାର୍ଡ ନିଯୁକ୍ତି । ରାଜ୍ୟରେ ମୋଟ୍‌ ୧୭ହଜାର ୬୭୫ ହୋମ୍‌ଗାର୍ଡ ପଦବୀରୁ, ୧୬ହଜାର ୧୦୦ ହୋମଗାର୍ଡ ନିଯୁକ୍ତି ଦିଆଯାଇଛି । ବାକି ୧ ହଜାର ୫୭୫ ପଦବୀ ଖାଲି ପଡିଥିଲେ ମଧ୍ୟ ଆଉ ନିଯୁକ୍ତି ନକରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ୩ଜଣ ହୋମଗାର୍ଡଙ୍କ ସ୍ଥାନରେ ଜଣେ କନେଷ୍ଟବଳ ନିଯୁକ୍ତ ହେବେ ବୋଲି ନିଷ୍ପତ୍ତି ହୋଇଛି ।

ହୋମଗାର୍ଡ କର୍ମଚାରୀ ଦୈନିକ ପାରିଶ୍ରମିକ ଭାବେ ୩୦୦ ଟଙ୍କା ପାଇଥାଆନ୍ତି । ଦରମା ବୃଦ୍ଧି ପାଇଁ ହୋମଗାର୍ଡ ସଂଘ କିଛି ଦିନ ପୂର୍ବରୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା । କୋର୍ଟ ଏହାର ଶୁଣାଣି କରି ହୋମଗାର୍ଡଙ୍କ ଦରମା ଦୈନିକ ୩୦୦ ଟଙ୍କାରୁ ୫୩୩ ଟଙ୍କାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟପଟେ ଓଡ଼ିଶା ପୋଲିସରେ ତଳିଆ ଶ୍ରେଣୀର ବହୁ ପଦବୀ ଖାଲି ରହିଛି । ହୋମ୍‌ଗାର୍ଡ ସଂଘ କହିଛି, ପଦବୀ ଉଚ୍ଛେଦ କରିବା ନିଷ୍ପତ୍ତି ରାଜ୍ୟରେ ଟ୍ରାଫିକ୍ ସମସ୍ୟା, ଆଇନ୍ ଶୃଙ୍ଖଳା ଇତ୍ୟାଦି ରକ୍ଷା କରିବାରେ ବାଧକ ସାଜିପାରେ । ନିଷ୍ପତ୍ତିର ପୁନର୍ବିଚାର କରିବା ଦରକାର ବୋଲି ରାଜ୍ୟ ହୋମଗାର୍ଡ ସଂଘ ଦାବି କରିଛି ।

Leave a Reply