ଦକ୍ଷ କର୍ମଚାରୀଙ୍କୁ ଆଗୁଆ ପଦୋନ୍ନତି ଓ ପ୍ରୋତ୍ସାହନ, କାମରେ ଠକିଲେ ଆଗୁଆ ଅବସର, ପଦୋନ୍ନତି ବାତିଲ

1 min read

ଭୁବନେଶ୍ୱର: କୌଣସି ସରକାରୀ ଯୋଜନାକୁ ସଫଳ କରିବାକୁ ହେଲେ ଏକ ପ୍ରଶାସନିକ ଶୃଙ୍ଖଳର ଆବଶ୍ୟକ ହୋଇଥାଏ । ଏହି ଶୃଙ୍ଖଳ ଯଦି ବିଶୃଙ୍ଖଳ ହୁଏ, ତେବେ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ । ସେହିପରି ତଳସ୍ତରରେ ହେଉ କିମ୍ବା ଉପରସ୍ତରରେ କେତେକ ଦକ୍ଷ ଅଧିକାରୀଙ୍କ କାର୍ଯ୍ୟ ସୁଫଳ ଆଣିଥାଏ । ତେଣୁ ଭଲ କାମ କରୁଥିବା ଅଧିକାରୀଙ୍କୁ ପୁରସ୍କାର, ପ୍ରୋତ୍ସାହନ ସହ ଖିଲାପି କରୁଥିବା ଲୋକଙ୍କୁ ଦଣ୍ଡ ନିଷ୍ପତ୍ତି ନେଇ ସରକାର କଠୋର ହୋଇଛନ୍ତି । ଏହି କ୍ରମରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହପରି ୫-ଟି ଦ୍ୱାରା ଏହି ପ୍ରକ୍ରିୟାକୁ ଆଗାମୀ ଦିନରେ ଆହୁରି ସଶକ୍ତ କରାଯିବ ।

ଏଥିରେ ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରଥମତଃ ଯେଉଁମାନେ କାର୍ଯ୍ୟ କ୍ଷେତ୍ରରେ ସଚ୍ଚୋଟତା ପ୍ରଦର୍ଶନ କରିବେ ନାହିଁ । ଯେଉଁ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ତାଙ୍କୁ ତାଙ୍କ କାର୍ଯ୍ୟକାଳ ପୂର୍ବରୁ ବାଧ୍ୟତାମୂଳକ ଅବସର ଦିଆଯିବ । ରାଜ୍ୟ ସରକାର ପକ୍ଷରୁ ନୂଆ ପଦୋନ୍ନତି ସମ୍ପର୍କିତ ବିଜ୍ଞପ୍ତିରେ ଏହା ଉଲ୍ଲେଖ କରାଯାଇଛି । ଅନୁରୂପ ଭାବେ ନିଜ କର୍ତ୍ତବ୍ୟ ଠିକ୍ ଭାବେ ସମ୍ପାଦନ କରୁଥିବା କର୍ମଚାରୀଙ୍କୁ ଆଗୁଆ ପଦୋନ୍ନତି ମଧ୍ୟ ପ୍ରଦାନ କରାଯିବ । ତୃତୀୟତଃ କେବଳ ସମୟ ପୂର୍ବରୁ ପଦୋନ୍ନତି ନୁହେଁ, ଉତ୍ତମ କାର୍ଯ୍ୟ ସହ ସଚ୍ଚୋଟତାର ସହ ଦକ୍ଷତା ପ୍ରଦର୍ଶନ କଲେ ପ୍ରୋତ୍ସାହନ ଓ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ ।

ଚଳିତ ବର୍ଷ ପାଇଁ ଏହାକୁ ନେଇ ବିଭାଗମାନେ ତାଲିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା । କେତେକ ବିଭାଗ ଏ ନେଇ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । କେତେକଙ୍କ କାର୍ଯ୍ୟ କୋଭିଡ ଯୋଗୁ ବାଧାପ୍ରାପ୍ତ ମଧ୍ୟ ହୋଇଛି । ହେଲେ ଆଗକୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏ ସମ୍ପର୍କରେ ବିଭାଗଗୁଡିକୁ ୧୫ ତାରିଖ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବା ପାଇଁ କୁହାଯାଇଛି । ସେହିପରି ୩୦ ନଭେମ୍ବର ସୁଦ୍ଧା କେଉଁ କର୍ମଚାରୀ ଆଗୁଆ ଅବସର ପାଇବେ, କାହାର ପଦୋନ୍ନତି ସ୍ଥଗିତ ରଖାଯିବ  । କେଉଁ ମାନଙ୍କୁ ପଦୋନ୍ନତି ତଥା ପ୍ରୋତ୍ସାହନ ଦିଆଯିବ, ତାହାର ତାଲିକା ପ୍ରସ୍ତୁତ କରାଯିବ । ଏ ସମ୍ପର୍କରେ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ୧୫ ତାରିଖ ସୁଦ୍ଧା ପ୍ରସ୍ତୁତ କରି ରଖାଯିବ । ସମସ୍ତ ଦିଗରୁ ଅନୁଶୀଳନ ପରେ ଆସନ୍ତା ୩୧ ଡିସେମ୍ବର ସୁଦ୍ଧା ଏହାକୁ ବିଧିବଦ୍ଧ ଅନୁମୋଦନ ପାଇଁ ସରକାରଙ୍କୁ ପଠାଯିବ ବୋଲି ଜଣାପଡିଛି ।

 

Leave a Reply