କରୋନା ମୁକାବିଲା ନେଇ ରାଜ୍ୟରେ ଆରମ୍ଭ ହେଲା ଟେଲିମେଡିସିନ୍ ହେଲ୍ପଲାଇନ୍

1 min read

ଭୁବନେଶ୍ୱର: କରୋନା ସଂକ୍ରମଣ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି । କୋଭିଡ-୧୯ର ମୁକାବିଲା କରିବା ପାଇଁ ସରକାର ୨୪ ଘଣ୍ଟିଆ ଟେଲିମେଡିସିନ୍‌ ହେଲ୍ପଲାଇନ ଆରମ୍ଭ କରିଛନ୍ତି । ଏହି ହେଲ୍ପଲାଇନ ନମ୍ବର ରହିଛି 14410 । ଯେଉଁମାନଙ୍କ ଠାରେ କୋଭିଡ-19 ସଂକ୍ରମଣର ଲକ୍ଷଣ ଦେଖାଦେବ ଯଥା କାଶ,ଜ୍ୱର, ଥକ୍କାପଣ ଓ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟାର ସମ୍ମୁଖୀନ ହେଉଥିବେ ସେମାନେ ଏହି ହେଲ୍ପ ଲାଇନରେ କଲ୍‌ କରି ସହାୟତା ନେଇପାରିବେ । ଏହି ଟେଲିମେଡିସିନ ମାଧ୍ୟମୃରେ ସାଧାରଣ ଲୋକଙ୍କୁ ମିଳିବାକୁ ଥିବା ଡାକ୍ତରୀ ପରାମୃର୍ଶ ସମ୍ପୂର୍ଣ୍ଣ ମାଗଣା ହେବ । ରାଜ୍ୟ ସରକାରଙ୍କ ଏହି ନୂତନ ପ୍ରୟାସରେ ସାମିଲ ହୋଇ ସ୍ୱେଚ୍ଛାକୃତ ସେବା ଯୋଗାଇ ଦେବା ଲାଗି ଦେଶ ତଥା ରାଜ୍ୟର ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସାଧାରଣଙ୍କୁ ସ୍ୱେଚ୍ଛାକୃତ ସେବା ଯୋଗାଇ ଦେବା ନିମନ୍ତେ ନିଜକୁ ପଞ୍ଜିକୃତ କରିବା ଲାଗି ସେ ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି । ସ୍ୱେଚ୍ଛାକୃତ ସେବା ଯୋଗାଇବା ଲାଗି ଇଚ୍ଛୁକ ଡାକ୍ତର WWW.BIT.LY/TELEMEDରେ ପଞ୍ଜିକରଣ କରିବାକୁ ପଡିବ । କୋରନା ଭାଇରସ ସହିତ ଚାଲିଥିବା ଲଢେଇରେ ଡାକ୍ତରମାନେ ହେଉଛନ୍ତି ଆଗ ଧାଡିର ଯୋଦ୍ଧା । ଏହି ଘଡିସନ୍ଧି ମୁହୂର୍ତ୍ତରେ ଡାକ୍ତରମାନଙ୍କର ଏ ଭଳି ବଳିଦାନ ପାଇଁ ରାଜ୍ୟ ସର୍ବଦା କୃତଜ୍ଞ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply