ଅଲିଭ୍ ରିଡଲେ କଇଁଚ ସଂରକ୍ଷଣକୁ ଗୁରୁତ୍ୱ

1 min read

ଭୁବନେଶ୍ୱର: ରାଜ୍ୟରେ ଅଲିଭ ରିଡଲେ କଇଁଚ ସଂରକ୍ଷଣକୁ ଓଡ଼ିଶା ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି ।ଏଥିପାଇଁ ସାରା ରାଜ୍ୟରେ ୬୬ଟି ପାଟ୍ରୋଲିଂ କ୍ୟାମ୍ପ କରାଯାଇଛି । ନଭେମ୍ବର ପହିଲାରୁ ୩୧ ତାରିଖ ପର୍ଯ୍ୟନ୍ତ ମାଛଧରା ନିଷେଧ ରହିଛି । ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ପାଇଁ ୧୦,୬୬୬ ପରିବାରକୁ ସହାୟତା କରାଯିବା ନେଇ ମଧ୍ୟ ନିଷ୍ପତ୍ତି କରାଯାଇଛି ।ଏହି ସବୁ ପରିବାରକୁ ୭୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ।  ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଗତ ଆର୍ଥିକ ବର୍ଷ ୨୦୧୯-୨୦ରେ ୭.୩୦ ଲକ୍ଷ କଇଁଚ ଅଣ୍ଡା ଦେଇଥିଲେ । ୨୦୧୮-୧୯ରେ ୪.୫୧ ଲକ୍ଷ କଇଁଚ ଅଣ୍ଡା ଦେଇଥିଲେ । ଉପଯୁକ୍ତ ସଂରକ୍ଷଣ ନୀତି କାରଣରୁ କଇଁଚ ଅଣ୍ଡାଦାନ ପରିମାଣ ବୃଦ୍ଧି ପାଇଛି । ସାଟେଲାଇଟ୍ ମାଧ୍ୟମରେ କଇଁଚମାନଙ୍କ ଗତିବିଧି ଉପରେ ଧ୍ୟାନ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ପୂର୍ବରୁ ବିଭିନ୍ନ କାରଣରୁ ବହୁ ସଂଖ୍ୟାରେ କଇଁଚ ମରିବା ଲକ୍ଷ୍ୟ କରାଯାଉଥିଲା । ଏବେ କିନ୍ତୁ ତାହା ବହୁ ପରିମାଣରେ ହ୍ରାସ ପାଇଲାଣି । ଏକଦା ୨୦୧୫-୧୬ ମସିହାରେ ୬୯୮୮ କଇଁଚ ମରିଥିବା ବେଳେ ୨୦୧୮-୧୯ରେ ୩୫୧୮ କଇଁଚ ମରି ଥିଲେ । ଆଗାମୀ ଦିନରେ ଏହାକୁ ଆହୁରି ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

 

Leave a Reply