ରାଜ୍ୟରେ ଜାରି ରହିବ ଶିଳ୍ପାୟନ ଧାରା , ୫ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

1 min read

ଭୁବନେଶ୍ୱର: କରୋନା ରାଜ୍ୟ ଅର୍ଥନୀତିକୁ ପ୍ରଭାବିତ କରିଛି ସତ । ହେଲେ ପ୍ରଶାସନର ମନୋବଳକୁ ଭାଙ୍ଗି ପାରିନାହିଁ । ରାଜ୍ୟ ସରକାର ଶିଳ୍ପାୟନଧାରା ଅବ୍ୟାହତ ରଖିଛନ୍ତି । ଗତକାଲି ୧୦ଟି ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ହୋଇଥିବା ୨ଟିର ଶିଳାନ୍ୟାସ କରାଯାଇଥିଲା । ଏହାର ଠିକ୍ ୨୪ ଘଣ୍ଟା ପରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିଛନ୍ତି । ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଅଥରିଟି କମିଟି ଦ୍ୱାରା ୫ଟି ନୂଆ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।

ଏଥିରେ ପ୍ରାୟ ୧୮୫୧.୯୬ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ । ଏହା ଦ୍ୱାରା ପ୍ରାୟ ୧୬୨୪ ବ୍ୟକ୍ତିବିଶେଷଙ୍କୁ ରୋଜଗାର ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି- ବାର୍ଷିକ ୨.୦ ମିଲିୟନ ଟନ କ୍ଷମତା ବିଶିଷ୍ଟ ପେଲେଟ ଏବଂ ଗ୍ରାଇଣ୍ଡିଂ ପ୍ଲାଣ୍ଟ । ଏହା କେନ୍ଦୁଝର ଜିଲାରେ ନରଭେରଲ ପାୱାର ଏଣ୍ଡ ଷ୍ଟିଲ ପ୍ରାଃ ଲିଃ ଦ୍ୱାରା କରାଯିବ । ଏହି ୩୫୦ କୋଟି ଟଙ୍କାର ନିବେଶ ଜରିଆରେ ୨୫୮ ଜଣଙ୍କ ପାଇଁ ରୋଜଗାର ସୃଷ୍ଟି କରାଯାଇପାରିବ ।

ଦ୍ୱିତୀୟତଃ ସମ୍ବଲପୁରସ୍ଥିତ ଭିରାଜ ଷ୍ଟିଲ ଏଣ୍ଡ ଏନର୍ଜି ପ୍ରାଃ ଲିଃ ସମ୍ପ୍ରସାରଣ କରାଯିବ । ଯାହାର କ୍ଷମତା ବାର୍ଷିକ ୦.୧ ମିଲିୟନ ଟନ ରହିଥିଲା । ଏହାକୁ ବର୍ତ୍ତମାନ ୦.୩ ମିଲିୟନ କ୍ଷମତା ବିଶିଷ୍ଟ କରାଯିବ । ୨୬୧.୭୧ କୋଟି ଟଙ୍କାର ନିବେଶ ଦ୍ୱାରା ୩୩୮ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରାଯିବାର ଲକ୍ଷ୍ୟ ରହିଛି ।

ତୃତୀୟରେ ସୁନ୍ଦରଗଡ଼ ତୁମକେଲାଠାରେ ବିଆର ସ୍ପଞ୍ଜ ଏଣ୍ଡ ପାୱାର ପ୍ଲାଣ୍ଟର ସମ୍ପ୍ରସାରଣ କରାଯିବ । ଏହାକୁ ବାର୍ଷିକ ୦.୨୧ ମିଲିୟନ ଟନ କ୍ଷମତା କରାଯିବ । ଚତୁର୍ଥ ପ୍ରକଳ୍ପଟି ହେଉଛି- ଯାଜପୁର ଜିଲା କଳିଙ୍ଗନଗରରେ ହେବାକୁ ଥିବା ଏହି ପ୍ରକଳ୍ପରେ ୫୯୮.୬୨ କୋଟି ଟଙ୍କା ନିବେଶ କରାଯିବ । ସେହିପରି କଟକସ୍ଥିତ ଓସିଏଲ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟରେ ମଧ୍ୟ ୪୪୧.୪୩ କୋଟି ଟଙ୍କାର ନିବେଶ ସହ ୧୪୧ ବ୍ୟକ୍ତିଙ୍କ ପାଇଁ  ରୋଜଗାର ସୃଷ୍ଟି ହୋଇପାରିବ ।

.

Leave a Reply