ଖୋର୍ଦ୍ଧା ପାଇଁ ଗଞ୍ଜାମ ଷ୍ଟ୍ରାଟେଜି, କାବୁ ହେବ କରୋନା ସଂକ୍ରମଣ

1 min read

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହ ଖୋର୍ଦ୍ଧା ଜିଲ୍ଲାରେ ହୁ ହୁ ହୋଇ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ରୋକିବାକୁ ସରକାରଙ୍କ ପଦକ୍ଷେପ । ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କାମ କରିବେ ଗଞ୍ଜାମରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆଣିଥିବା ଅଧିକାରୀ । ଏନେଇ ମୁଖ୍ୟ ଶାସନ ସଚିବ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଗଞ୍ଜାମରେ କରୋନା ସଂକ୍ରମଣ ସଂକୁଚିତ ପାଇଁ ଦାୟିତ୍ୱ ନେଇଥିବା ଦୁଇ ଯୁବ IAS ଅଧିକାରୀଙ୍କୁ ଖୋର୍ଦ୍ଧା ଜିଲାକୁ ଫେରାଇ ଅଣାଯାଇଛି ।

 

ସ୍ୱତନ୍ତ୍ର ଏଡିଏମ୍ ପାରୁଲ ପଟୱାରୀ ଓ ଭିଶାଲ ସିଂହ ଖୋର୍ଦ୍ଧା ଜିଲ୍ଲାକୁ ଫେରି ଆସିଛନ୍ତି । କରୋନା ନିୟନ୍ତ୍ରଣ ଲାଗି ପାରୁଲ ପଟୱାରୀ ବିଏମସିକୁ ସହାୟତା କରିବେ । ସେହିପରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ସହାୟତା କରିବେ ଭିଶାଲ ସିଂହ । ଗଞ୍ଜାମରେ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣକୁ ଆଣିଥିବାରୁ ଦୁଇ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ଗଞ୍ଜାମ ଭଳି ଭୁବନେଶ୍ୱର ଓ ଖୋର୍ଦ୍ଧାରେ ସ୍ଥିତି ସୁଧାରିବାରେ ସେମାନେ ସହାୟକ ହେବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଖୋର୍ଦ୍ଧା ଜିଲ୍ଲାରୁ ଏବେ ଦୈନିକ ୬୦୦ରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହେଉଛି । ଏଥିରେ ରାଜଧାନୀ ଭୁବନେଶ୍ୱରରୁ ରହୁଛନ୍ତି ଅଧିକାଂଶ ଆକ୍ରାନ୍ତ । ଜିଲ୍ଲାରେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ୧୭ ହଜାର ୪୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ୬ ହଜାର ୭୯୦ଟି ସକ୍ରିୟ ମାମଲା ରହିଛି । ୧୦ ହଜାର ୫୬୧ ଜଣ ସୁସ୍ଥ ହୋଇଥିବା ବେଳେ ୬୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ରାଜଧାନୀରେ ୧୦ ହଜାର ୭୩୨ ଥିବାବେଳେ ୪ ହଜାର ୪୩ଟି କେସ୍ ସକ୍ରିୟ ରହିଛି । ୬ ହଜାର ୬୩୫ ଜଣ ସୁସ୍ଥ ହୋଇଥିବା ବେଳେ ୪୨ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply