ବର୍ଷା-ବନ୍ୟା ଯୋଗୁଁ ରାଜ୍ୟରେ ୧୬୪୨.୨୬ କୋଟି ଟଙ୍କାର କ୍ଷୟକ୍ଷତି

ଚଳିତବର୍ଷ ଅଗଷ୍ଟ ମାସରେ ବର୍ଷା ଯୋଗୁଁ ହୋଇଥିବା ବନ୍ୟାଜନିତ କ୍ଷୟକ୍ଷତି ବାବଦରେ ରାଜ୍ୟ ସରକାର ୧୫୬୯.୫୦ କୋଟି ଟଙ୍କାର ସହାୟତା ଲୋଡ଼ିଛନ୍ତି । ବନ୍ୟାରେ ଭିତ୍ତିଭୂମୀ, ଘର, ଚାଷ ଏବଂ ରିଲିଫ ଖର୍ଚ୍ଚ ବାବଦକୁ ମୋଟ ୧୬୪୨.୨୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଏସ୍‌ଡିଆରଏଫ୍‌ ଓ ଏନ୍‌ଡିଆରଏଫ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ୧୫୬୯.୫୦ କୋଟି ଟଙ୍କା ସହାୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଛନ୍ତି ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ବିପର୍ଯ୍ୟୟ ପରିଚାଳନାର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ସହାୟତା ଦାବି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି । କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ବନ୍ୟା କ୍ଷୟକ୍ଷତିଜନିତ ଚୂଡ଼ାନ୍ତ ରିପୋର୍ଟରେ ରିଲିଫ ଓ ଭିତ୍ତିଭୂମି ପୁନରୁଦ୍ଧାର ବାବଦରେ ୭୧୫.୯୧ କୋଟି ଟଙ୍କା, ଜଳସମ୍ପଦ ବିଭାଗର ୬୪୮.୯୦କୋଟି ଟଙ୍କା, ପୂର୍ତ୍ତ ବିଭାଗର ୨୦୪.୭୦ କୋଟି ଟଙ୍କା ସହାୟତା ଦେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

ଚୂଡ଼ାନ୍ତ ରିପୋର୍ଟରେ ରାଜ୍ୟ ସରକାର ଦର୍ଶାଇଛନ୍ତି ଯେ, ବର୍ଷା ଓ ବନ୍ୟା ଯୋଗୁଁ ମୋଟ ୧୬୪୨.୨୬କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ସେଥିରେ ଭିତ୍ତିଭୂମି କ୍ଷୟକ୍ଷତି ବାବଦରେ ୮୫୮.୧୨କୋଟି, ଘର ନଷ୍ଟ ଯୋଗୁଁ ୧୦୮.୯୨କୋଟି, ଫସଲ ନଷ୍ଟ ଯୋଗୁ ୫୪୨.୩୦କୋଟି ଏବଂ ରିଲିଫ ବାବଦରେ ୧୩୨.୯୨କୋଟି ଟଙ୍କା ସାମିଲ ରହିଛି । ବିଭାଗଗୁଡ଼ିକରୁ ମିଳିଥିବା ରିପୋର୍ଟ ଅନୁସାରେ ଯେଉଁ ୮୫୮.୧୨ କୋଟି ଟଙ୍କାର ଭିତ୍ତିଭୂମି କ୍ଷୟକ୍ଷତି ହୋଇଛି । ସେଥିରେ ଜଳସମ୍ପଦ ବିଭାଗର ୩୨୮.୬୦କୋଟି, ପୂର୍ତ୍ତ ବିଭାଗର ୧୨୪.୩୭କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗର ୨୦୧.୧୫କୋଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୩୪.୮୪କୋଟି, ପଞ୍ଚାୟତିରାଜ ବିଭାଗର ୧୪୧.୬୮କୋଟି ଟଙ୍କା, ଶକ୍ତି ବିଭାଗର ୧୬.୨୨କୋଟି, ବୟନ ଓ ହସ୍ତତନ୍ତ ବିଭାଗର ୨.୩୨କୋଟି, ଜଙ୍ଗଲ ବିଭାଗ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ୧.୫କୋଟି ଓ କୃଷି ବିଭାଗର ୭.୪୦କୋଟି ଟଙ୍କାର ଭିତ୍ତିଭୂମି ନଷ୍ଟ ହୋଇଛି ।

ତେବେ କମିଟିର ନିଷ୍ପତ୍ତି ଅନୁସାରେ, ବିଭିନ୍ନ ବିଭାଗରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର ଲାଗି ଏସଡିଆରଏଫରୁ ୩୧୭.୫୮ କୋଟି ଟଙ୍କା ପ୍ରଦାନ କରାଯିବ । ସେହିଭଳି ବନ୍ୟା ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜର କାର୍ଯ୍ୟକାରିତା ନେଇ କମିଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦେଇଥିବା ପ୍ରସ୍ତାବ ଆଧାରରେ ବନ୍ୟା ପ୍ରଭାବିତଙ୍କୁ ଚାଉଳ ବଣ୍ଟନ ବାବଦକୁ ୭୦ କୋଟି ଅନୁମୋଦନ କରାଯାଇଛି । ବନ୍ୟାରେ ପ୍ରଭାବିତ ଜିଲ୍ଲାରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତେବେ ମୋଟ ଆକଳନ ପରେ ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟ ଅନୁସାରେ, କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ୧୯୭ କୋଟି ୮୫ ଲକ୍ଷ ୩୯ ହଜାର ଟଙ୍କାର ଆବଶ୍ୟକତା ରହିଛି । ଏଥିଲାଗି ଏସଡିଆରଏଫ ଗାଇଡଲାଇନ ଅନୁସାରେ ୨୨ଟି ଜିଲ୍ଲାରେ ହୋଇଥିବା ଚାଷ ଜନିତ କ୍ଷୟକ୍ଷତି ସହାୟତା ଦେବାକୁ କମିଟି ଉପରୋକ୍ତ ଅର୍ଥ ରାଶିକୁ ଅନୁମୋଦନ ପ୍ରଦାନ କରିଛି ।

A Fresh Low Pressure Area Likely To Form Over Central Bay Of Bengal Around 19th October

ତେବେ ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ସେପ୍ଟେମ୍ବର ୧୬ ଓ ୧୭ତାରିଖରେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ ଓଡ଼ିଶା ଗସ୍ତ କରିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ଆକଳନ ଅନୁସାରେ ମୋଟ ୧୭୮୪.୩୦କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା ।

Leave a Reply