ବିହାର ପରେ ଓଡ଼ିଶାର ସର୍ବାଧିକ ଚାଷଜମି ବନ୍ୟା ସହ ଅନ୍ୟାନ୍ୟ କାରଣରୁ ହୋଇଛି କ୍ଷତିଗ୍ରସ୍ତ…… 

1 min read

ଭୁବନେଶ୍ୱର: ଓଡ଼ିଶା ଓ ପ୍ରାକୃତିକ ବିପର୍ଯ୍ୟୟ ଗୋଟିଏ ମୁଦ୍ରାର ୨ଟି ପାର୍ଶ୍ୱ ଭଳି । ଏମିତି କୌଣସି ବର୍ଷ ନାହିଁ, ଯେଉଁ ବର୍ଷ ଓଡ଼ିଶା ବନ୍ୟା, ବାତ୍ୟା କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଦେଖି ନ ଥିବ । ଏହି କ୍ରମରେ ଚଳିତ ବର୍ଷ ସରିବାକୁ ନାହିଁ । ଇତି ମଧ୍ୟରେ ଓଡ଼ିଶା ଅମ୍ପାନ ବାତ୍ୟା ସହ ଲଘୁଚାପ ଜନିତ ବର୍ଷା କାରଣରୁ ଅଦିନିଆ ବନ୍ୟା ଦେଖି ସାରିଲାଣି । ଏହି ସବୁ ବିପର୍ଯ୍ୟୟ ଓଡ଼ିଶାର ଜନଜୀବନକୁ ବହୁଳ ଭାବେ ପ୍ରଭାବିତ କରିଆସୁଛି ।

ସେହିକ୍ରମରେ ଏହି ୩ ବର୍ଷରେ ବନ୍ୟା, ଭୂସ୍ଫଳନ, ତଥା ବାଦଲ ଫଟା କାରଣରୁ ବହୁ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ରବିବାର ଏ ସଂକ୍ରାନ୍ତରେ ଲୋକ ସଭାରେ ଏକ ଉତ୍ତର ରଖାଯାଇଛି । ଏଥିରେ ଦର୍ଶାଯାଇଛି ଯେ, ଓଡ଼ିଶାରେ ୨୦୧୮-୧୯ରୁ ୨୦୨୦-୨୧(ସେପ୍ଟେମ୍ବର ୧୦) ସୁଦ୍ଧା ୯.୯୩ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ୨୦୧୮-୧୯ ବର୍ଷରେ ୩.୯୦ ଲକ୍ଷ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ, ୨୦୧୯-୨୦ରେ ୧.୪୯  ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଚଳିତ ବର୍ଷ ୨୦୨୦-୨୧ ଏଯାବତ ସରିନାହିଁ । ମାତ୍ର ଏବେ ସୁଦ୍ଧା ବନ୍ୟା,ଭୂସ୍ଫଳନ ଇତ୍ୟାଦି କାରଣରୁ ୪ ଲକ୍ଷ ୫୪ ହଜାର ହେକ୍ଟର ଜମି ପ୍ରଭାବିତ ହୋଇଛି । ଚଳିତବର୍ଷ ବିହାର ପରେ ଓଡ଼ିଶାରେ ହିଁ ସର୍ବାଧିକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।

ଲୋକ ସଭାରେ କଂଗ୍ରେସ ଏମ୍ ପି କାର୍ତ୍ତି ପି. ଚିଦାମ୍ବରମଙ୍କ ଦ୍ୱାରା ପଚରାଯାଇଥିବା ଅଣତାରକା ପ୍ରଶ୍ନ ନଂ ୧୫୧୫ ଉତ୍ତର ରଖି ଏସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଛି । କୃଷି ମନ୍ତ୍ରଣାଳୟର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ଉତ୍ତର ରଖିଛନ୍ତି ।  ଏଥିରେ ୨୦୧୮ରୁ ଆଜି ପର୍ଯ୍ୟନ୍ତ ୧୫୨.୧୪୫ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ୨୦୧୮-୧୯ରେ ଏହାର ପରିମାଣ ୧୭.୦୯୭ ଲକ୍ଷ  ହେକ୍ଟର ହୋଇଥିବା ବେଳେ ୨୦୧୯-୨୦ରେ ଏହା ୧୧୪.୨୯୫ ଲକ୍ଷ ଲକ୍ଷ ହେକ୍ଟର ରହିଛି । ସେହିପରି ଜାରି ରହିଥିବା ବର୍ଷରେ କ୍ଷୟକ୍ଷତିର ପରିମାଣ ୨୦.୭୫୩ ଲକ୍ଷ ହେକ୍ଟର ରହିଛି ।

Leave a Reply