ବିପର୍ଯ୍ୟୟ ମୁକାବିଲାରେ ସୁପରମ୍ୟାନ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ରାଜ୍ୟରେ ବଡ଼ ଚ୍ୟାଲେଞ୍ଜ ସହ ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ଆରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚମ ପାଳିର ପ୍ରଥମ ବର୍ଷରେ ସବୁଠାରୁ ଚ୍ୟାଲେଞ୍ଜ ଥିଲା ପ୍ରାକୃତିକ ବିପର୍ଯ୍ୟୟ ଓ କରୋନା ମହାମାରୀକୁ ଦୃଢ଼ତାର ସହ ମୁକାବିଲା କରିବା । ଏ ଦୁଇ ବିପର୍ଯ୍ୟୟକୁ ସଫଳତାର ସହ ଲଢ଼ି ଏବେ ନବୀନଙ୍କ ନେତୃତ୍ୱ ପୁଣି ସାଉଁଣ୍ଟିଛି ପ୍ରଶଂସା । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ, ପୂରା ଦେଶ ପାଇଁ ନବୀନ ସାଜିଛନ୍ତି ରୋଲ୍‌ ମଡେଲ୍‌ ।

୨୯ ମେ ୨୦୧୯ । ପଞ୍ଚମ ଥର ଲାଗି ରାଜ୍ୟର ଶାସନ ଭାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଶାସନ ଆରମ୍ଭରୁ ବିପର୍ଯ୍ୟୟର ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ଛିଡ଼ା ହୋଇଥିଲା ନବୀନଙ୍କ ଆଗରେ । ଫନି ବିପଦରୁ ଟିକେ ସୁଧାର ଆସି ନଥିବା ବେଳେ ବୁଲବୁଲ୍ ଦୋହଲାଇ ଥିଲା ଓଡ଼ିଶାକୁ ।

ପ୍ରଥମ ଆର୍ଥିକ ବର୍ଷ ଆରମ୍ଭ ହେଉ ହେଉ ମାଡ଼ି ଆସିଲା ମହାମାରୀ କରୋନା । ଅର୍ଥନୀତି ନୁହେଁ, ଜୀବନ ବଡ଼ ସ୍ଲୋଗାନ ଦେଇ ରାଜ୍ୟ ସରକାର ଆରମ୍ଭ କଲେ କରୋନା ବିରୋଧୀ ଯୁଦ୍ଧ ।

ସଂକ୍ରମଣ ସାଂଘାତିକ ହେବା ପୂର୍ବରୁ ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରି ଦେଶ ପାଇଁ ଉଦାହରଣ ସାଜିଲେ ନବୀନ । ବିଦେଶ ଫେରନ୍ତା ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ସେଣ୍ଟର ପ୍ରତିଷ୍ଠା ଠାରୁ ଆରମ୍ଭ କରି ଟେଷ୍ଟିଂ ବ୍ୟବସ୍ଥା କରିବା । ମହାମାରୀ ବିରୋଧରେ ରାଜ୍ୟ ସରକାରଙ୍କ ଯୁଦ୍ଧଂ ଦେହି ଡାକରା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଲା । ଏପରିକି ଅନ୍ୟ ରାଜ୍ୟ ତୁଳନାରେ ମଧ୍ୟ ମୃତ୍ୟୁର ତାଲିକା ସୀମିତ ରହିଲା ।

ଏଭଳି ସମୟରେ ପୁଣି ରାଜ୍ୟକୁ ଡରାଇଲା ମହାବାତ୍ୟା ‘ଅମ୍ଫାନ୍‌’ । ପୂର୍ବ ଅଭିଜ୍ଞତାକୁ ଆୟୁଧ କରି ନବୀନ ପୁଣି ଦେଲେ ଜିରୋ କାଜୁଆଲିଟିର ନାରା । ବିଧ୍ୱଂସୀ ବାତ୍ୟା ଆସିଲା, ଗଲା । ହେଲେ ଜୀବନ କିନ୍ତୁ ବଞ୍ଚିଗଲା । ନବୀନଙ୍କ ଏ ମୁକାବିଲା ଷ୍ଟ୍ରାଟେଜିକୁ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କଲେ । ଜାତୀୟ ଗଣମାଧ୍ୟମ କହିଲେ, ବିପର୍ଯ୍ୟୟ ମୁକାବିଲାର କଳା ଓଡ଼ିଶାଠୁ ଶିଖିବା କଥା ।

ରାଜନୀତି ନୁହେଁ ସେବା ପାଇଁ ପ୍ରତିବଦ୍ଧତା ଥିଲା ପଞ୍ଚମ ପାଳିରେ ନବୀନଙ୍କ ବଡ଼ ସ୍ଲୋଗାନ୍‌ । ଶପଥ ନେବାର ପ୍ରଥମ ଦିନରେ ହିଁ କ୍ୟାବିନେଟ୍‌ ବୈଠକ ଡାକି ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଆହ୍ଵାନ ଦେଇଥିଲେ ନବୀନ । ପ୍ରଥମ ଦିନରେ ଚାଷୀଙ୍କୁ ଦେଇଥିଲେ ବକେୟା କାଳିଆ ଟଙ୍କା । ଆରମ୍ଭ ହୋଇଥିଲା 5T ଓ ମୋ ସରକାର କାର୍ଯ୍ୟକ୍ରମ । ବଦଳୁଥିବା ସମୟ ସହ ଶ୍ରୀକ୍ଷେତ୍ର, ଲିଙ୍ଗରାଜ ଠାରୁ ଆରମ୍ଭ କରି ରାଜ୍ୟର ଧାର୍ମିକ ପର୍ଯ୍ୟଟନସ୍ଥଳୀ ବିକାଶ ପାଇଁ କାଟିଥିଲେ ନକ୍ସା । ଦେଢ଼ଲକ୍ଷ କୋଟିରେ ପହଞ୍ଚିଲା ରାଜ୍ୟ ବଜେଟର ଆକାର । ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ରିର୍ପୋଟ କାର୍ଡ ମାଗି ହଲ୍‌ଚଲ୍‌ ସୃଷ୍ଟି କରିଥିଲେ ନବୀନ । ଏସବୁ ଭିତରେ କରୋନା ମହାମାରୀ ପାଇଁ ସରପଞ୍ଚକୁ ଜିଲ୍ଲାପାଳ କ୍ଷମତା ଦେଇ ଗୋଷ୍ଠୀ ସଂକ୍ରମଣ ରୋକିବାରେ ସଫଳ ହୋଇଛନ୍ତି ନବୀନ ।

ସୁଶାସନ ପାଇଁ ଲଗାତାର‌ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିବା ନବୀନ ଏବେ ବିପର୍ଯ୍ୟୟ ମୁକାବିଲାରେ ସାଜିଛନ୍ତି ସୁପରମ୍ୟାନ୍‌ ।

Leave a Reply