ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ….

କୋଭିଡ୍ ମୁକାବିଲା କ୍ଷେତ୍ରରେ ରାଜ୍ୟରେ ପ୍ଲାଜମା ଥେରାପି ଫଳପ୍ରଦ ସାବ୍ୟସ୍ତ ହେବା ପରେ ରାଜ୍ୟ ସରକାର ଅଧିକ ପ୍ଲାଜମା ବ୍ୟାଙ୍କ ପ୍ରସ୍ତୁତ ସପକ୍ଷରେ ରହିଛନ୍ତି । ଏହି କ୍ରମରେ ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଏହି ପ୍ଲାଜମା ବ୍ୟାଙ୍କକୁ ଉଦଘାଟନ କରିଛନ୍ତି ।

ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ଲାଜମା ଥେରାପିରେ ସୁସ୍ଥ ହୋଇଥିବା ରୋଗୀଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି । ପ୍ଲାଜମା ଥେରାପି ପରେ ସଂକ୍ରମଣରୁ ମୁକ୍ତ ହେଉଥିବା ଲୋକଙ୍କର ସ୍ଥିତି କିଭଳି ରହିଛି ଓ ସେମାନେ କିଭଳି ଅନୁଭବ କରୁଛନ୍ତି ସେନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।  ଉଲ୍ଲେଖଯୋଗ୍ୟ ଯେ ଏହା ରାଜ୍ୟର ୨ୟ ପ୍ଲାଜମା ବ୍ୟାଙ୍କ ଅଟେ । ଏହା ପୂର୍ବରୁ କଟକ ଏସସିବିରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ ହୋଇ ସାରିଛି ।

ଆସନ୍ତାକାଲି ରାଉରକେଲା ଆରଏଚଜିରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ ହେବା ନେଇ ସୂଚନା ରହିଛି । ତେବେ ଅନ୍ୟ ଡାକ୍ତରଖାନା ତାଲିକାରେ  ମେକେସିଜି ଓ ବୁର୍ଲା ମଧ୍ୟ ରହିଛି । ଖୁବ୍ ଶୀଘ୍ର ଏହି ଡାକ୍ତରଖାନାରେ ମଧ୍ୟ ପ୍ଲାଜମା ବ୍ୟାଙ୍କର ସୁବିଧା ରହିବ । ତେବେ ପ୍ଲାଜମା ବ୍ୟାଙ୍କରେ କରୋନାରୁ ସୁସ୍ଥ ହୋଇଥିବା ଯକୌଣସି ବ୍ୟକ୍ତି ପ୍ଲାଜମା ଦେଇ ପାରିବେ । ଏଣୁ କରୋନା ମୁକାବିଲାରେ ସରକାରଙ୍କ ସହଯୋଗ କରିବା ପାଇଁ କରୋନା ସୁସ୍ଥକୁ ପ୍ଲାଜମା ଦେବା ପାଇଁ ସରକାର ନିବେଦନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଏଯାବତ୍ କରୋନା ସଂକ୍ରମଣ ରୋକିବା ପାଇଁ ଭ୍ୟାକ୍ସିନ ନଥିବା ହେତୁ ପ୍ଲାଜମା ଥେରାପିକୁ କରୋନା ମୁକାବିଲା କ୍ଷେତ୍ରରେ ପ୍ରମୁଖ ଅସ୍ତ୍ର ଭାବେ ଦେଖାଯାଉଛି ।

Leave a Reply