ସ୍ୱାଭିମାନବାସୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା; ସାମୂହିକ ବିକାଶ ଉପରେ ଗୁରୁତ୍ୱ, ସବୁ ଘରେ ସ୍ମାଟଫୋନ୍…

1 min read

ସ୍ୱାଭିମାନ ଅଞ୍ଚଳ: ସ୍ୱାଭିମାନ ଅଞ୍ଚଳର ବିକାଶକୁ ସରକାର ପ୍ରାଥମିକତା ଦେଇଛନ୍ତି । ସ୍ୱାଭିମାନ ଅଞ୍ଚଳର ପ୍ରତି ପରିବାରକୁ ସ୍ମାଟଫୋନ୍ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ଡିଜିଟାଲ ପ୍ଲାଟଫର୍ମରେ ସ୍ୱାଭିମାନଅଞ୍ଚଳବାସୀଙ୍କ ସହ ଯୋଡି ହୋଇ ନବୀନ ପଟ୍ଟନାୟକ ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ସ୍ୱାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ଅଛି ଓ ଏହାକୁ ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବରେ ଗଢିବା ପାଇଁ ମୋର ଉଦ୍ୟମ ଜାରି ରହିବ।” ଉଲ୍ଲେଖଯୋଗ୍ୟ ଯେ, ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ମାଗଣାରେ ସ୍ମାଟଫୋନ୍ ଯୋଗାଇଦେବେ । ମୋବାଇଲ ଫୋନ ଦ୍ୱାରା ପିଲାଙ୍କ ଅନ୍‌ଲାଇନ ଶିକ୍ଷାରେ ସୁବିଧା ହେବା ସହିତ ଅଞ୍ଚଳର ଜନସାଧାରଣଙ୍କୁ ଅନ୍ୟ ଅଞ୍ଚଳ ସହିତ ଯୋଡିବାରେ ସହାୟକ ହେବ । ଏବେ ସ୍ୱାଭିମାନ ଅଞ୍ଚଳରେ ୪ଟି ମୋବାଇଲ ଟାୱାର  ଥିବା ବେଳେ ୪-ଜି ସୁବିଧା ସହ ଆଉ ତିନୋଟି ଟାୱାର କରାଯିବ।

ସେହିଭଳି୨୦୧୮ ଜୁଲାଇ ମାସରେ ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ଉଦ୍‌ଘାଟିତ ହୋଇଥିଲା । ଏଥିପାଇଁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଅର୍ଥରାଶି ଘୋଷଣା ହୋଇଥିଲା । ତେବେ ଏବେ ଏହାକୁ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ । ଏହି ପରିବର୍ଦ୍ଧିତ ପ୍ୟାକେଜରେ ଶିକ୍ଷା ଠାରୁ ଆରମ୍ଭ କରି ଜୀବିକା ସ୍ୱାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି, ଜଳସେଚନ, ଘର, ବ୍ୟାଙ୍କ ସେବା ଆଦି କ୍ଷେତ୍ରରେ ବିନିଯୋଗ ହେବ । ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ବିକାଶ କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ବାଭିମାନ ଅଞ୍ଚଳରେ ହଳଦୀ ଚାଷ ପ୍ରତି ଲୋକଙ୍କ ଆଦର ଦେଖି ଏଠାରେ ଅଧିକ ହଳଦୀ ଚାଷ ପାଇଁ ଅଧିକ ସୁବ୍ୟବସ୍ଥିତ ସୁବିଧା ସୃଷ୍ଟି କରାଯାଉଛି । ବଜାରରେ ସ୍ୱାଭିମାନ ହଳଦୀର ଚାହିଦାକୁ ଆହୁରି ବଢାଇବା ଦିଗରେ ମଧ୍ୟ ସରକାର ପ୍ରୟାସ ଯାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 ସେହିଭଳି ବିଦୁ୍ୟତ ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାର ସ୍ୱାଭିମାନ ଅଞ୍ଚଳକୁ ଗୁରୁତ୍ୱ ଦେଇଛନ୍ତି । ବିଜୁଳି ସେବା ପାଇଁ 33 x 11 kv ସବ୍‌ଷ୍ଟେସନ କାମ ଖୁବ ଶୀଘ୍ର ଶେଷ ହେବ ଏବଂ  11 kv 3 phase line connection ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  ଗାଁ ଗାଁରେ କଂକ୍ରିଟ ରାସ୍ତାଠାରୁ ଆରମ୍ଭ କରି ୭୮ କିଲୋମିଟର ପିଚୁ ରାସ୍ତା ଓ ୭ଟି ସେତୁ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ  । ଏହାସହିତ ଭଲ ପିଇବା ପାଣି ପାଇଁ ୨୦ କୋଟି ଟଙ୍କାରେ ଗୋଟିଏ ବୃହତ୍ ପାଇପ ଜଳଯୋଗାଣ ପ୍ରକଳ୍ପ  ଆରମ୍ଭ ହୋଇଛି ଏବଂ ୨୫୦ଟି ନଳକୂପ କାମ ଶେଷ ହୋଇଛି ବୋଲି ସେ ପ୍ରକାଶ କରିଥିଲେ। ସ୍ୱାଭିମାନ ଅଞ୍ଚଳରେ ଜଳସେଚନ ପାଇଁ ୩୨ କୋଟି ଟଙ୍କା ଖର୍ଚ୍ଚରେ ୪୩ଟି ଉଠା ଜଳସେଚନ ପ୍ରକଳ୍ପ ଏବଂ 419ଟି ବୋରୱେଲ୍ କରାଯିବ ଏବଂ ଏହାଦ୍ୱାରା ୧୭୦୦ ହେକ୍ଟର ଜମିକୁ ପାଣି ମିଳିପାରିବ । ସ୍ୱାଭିମାନ ଅଞ୍ଚଳର ୮୨ଟି ଅଙ୍ଗନବାଡି କେନ୍ଦ୍ର ଓ ସ୍ବାସ୍ଥ୍ୟ ଉପକେନ୍ଦ୍ର କାମ ଚାଲିଛି ଏବଂ ଖୁବ ଶୀଘ୍ର ଏହା ଶେଷ ହେବ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ  ମାଓ ଆଦର୍ଶରେ ଅନୁପ୍ରାଣିତ ଲୋକଙ୍କୁ ହିଂସା ଛାଡି ମୁଖ୍ୟଧାରାକୁ ଫେରି ଆସିବା ସହିତ ବିକାଶ କାମକୁ ଆଗେଇ ନେବାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।

ଅନ୍ୟପକ୍ଷରେ ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ତଥା କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସ୍ଥିର ଓ ସ୍ୱଚ୍ଛ ଶାସନ ଯୋଗୁ ଓଡିଶା ଆଜି ବିକାଶ କ୍ଷେତ୍ରରେ ବିଶ୍ୱ ଦରବାରରେ ସୁନାମ କରିଛି । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଞ୍ଚଳର ବିକାଶରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ନବରଙ୍ଗପୁର ସାଂସଦ ଶ୍ରୀ ରମେଶଚନ୍ଦ୍ର ମାଝୀ ଏବଂ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା ମଧ୍ୟ କାର୍ଯ୍ୟକ୍ରମରେ ସେମାନଙ୍କର ବକ୍ତବ୍ୟ ରଖିଥିଲେ। ଉଲ୍ଲେଖଯୋଗ୍ୟ ଯେ କିଛି ଅଞ୍ଚଳବାସୀ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ତାଙ୍କୁ କର୍ମଦାତା ବୋଲି କହିଥିଲେ । ଏହି ଅବସରରେ ସ୍ବାଭିମାନ ଅଞ୍ଚଳ ବିକାଶ ସଂପର୍କିତ ଏକ ଚଳଚ୍ଚିତ୍ର ପଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ବିଭାଗ ପ୍ରମୁଖ ସଚିବ, ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗ ସଚିବ, Bharat Infratelର ରାଜ୍ୟ ମୁଖ୍ୟ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

Leave a Reply