ସ୍କୁଲ କଲେଜ ଖୋଲିବାକୁ ନେଇ ଭିନ୍ନ ଭିନ୍ନ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ନାପସନ୍ଦ

ଭୁବନେଶ୍ୱର: ସ୍କୁଲ ଓ କଲେଜ ଖୋଲିବା ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ । ମନ୍ତବ୍ୟ ନେଇ କ୍ଷୋଭପ୍ରକାଶ କରିବା ସହ ସମସ୍ତ ଦୃଷ୍ଟିକୋଣରୁ ବିଚାର କରି ରାଜ୍ୟ ସରକାର ଠିକ୍ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି ମନ୍ତବ୍ୟ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବିଭ୍ରାନ୍ତି କରିବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ସଚିବ ରାଜ୍ୟ ସରକାରଙ୍କ ସହ କୌଣସି ଆଲୋଚନା ନକରି ଏଭଳି ମନ୍ତବ୍ୟ ଦେଇଥିବାରୁ ନବୀନ କ୍ଷୋଭ ପ୍ରକାଶ କରିଛନ୍ତି ।

ରାଜ୍ୟରେ ଧୀରେ ଧୀରେ କରୋନାର ସ୍ଥିତି ସୁଧୁରିଥିବା ବେଳେ, ପ୍ରଭାବିତ କ୍ଷେତ୍ର ଗୁଡ଼ିକ ମଧ୍ୟ ଅଣ୍ଟା ସଳଖିବା ଆରମ୍ଭ କରିଛି । ମାତ୍ର ଶିକ୍ଷା କ୍ଷେତ୍ରରେ ଏବେବି ଅନିଶ୍ଚିତତା ଲାଗି ରହିଛି । ମହାମାରୀ ପାଇଁ ପ୍ରାୟ ଏକ ବର୍ଷ ହେବ ବିଦ୍ୟାର୍ଥୀ ମାନେ ଘରେ ରହି ଅନଲାଇନରେ ପାଠ ପଢୁଛନ୍ତି । ମାତ୍ର ଗ୍ରାମାଞ୍ଚଳ ମାନଙ୍କରେ ମୋବାଇଲ ନେଟୱର୍କ ବ୍ୟବସ୍ଥା ସୁଗମ ନଥିବାରୁ ସବୁ ପିଲା ଅନଲାଇନରେ ପାଠ ପଢିପାରୁନାହାନ୍ତି । ଏଭଳି ପରିସ୍ଥିତିରେ ଶିକ୍ଷାବର୍ଷ ଘୁଞ୍ଚାଇବାକୁ ବିଭିନ୍ନ ମହଲରେ ଦାବି ମଧ୍ୟ ହେଉଛି ।

ମହାମାରୀକୁ ଦୃଷ୍ଟିରେ ରଖି ସରକାର ବୁଝିବିଚାରି ନିଷ୍ପତ୍ତି ନେଉଥିବା ବେଳେ, ମନ୍ତ୍ରୀ ସମୀର ଦାଶ ବିଭିନ୍ନ ସମୟରେ ନାନା ପ୍ରକାର ମନ୍ତବ୍ୟ ଦେଇ ଆସୁଛନ୍ତି । ରାଜ୍ୟର ବହୁ ସ୍କୁଲ ଓ କଲେଜର ପରିବେଶ ଏପର୍ଯ୍ୟନ୍ତ ଶିକ୍ଷା ଉପଯୋଗୀ ହୋଇପାରିନାହିଁ । ଶିକ୍ଷାବର୍ଷ ସରିବାକୁ ଆଉ କିଛି ମାସ ବାକି ଥିବା ବେଳେ, ପୁରା ପାଠ୍ୟକ୍ରମରୁ କେତେ ପରିମାଣ ପଢାଯିବ ତାକୁ ନେଇ ତର୍କବିତର୍କ ଚାଲିଛି । ପାଠ୍ୟକ୍ରମ ଓ ପରୀକ୍ଷା ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନି ମାତ୍ର, ବିଭାଗୀୟ ମନ୍ତ୍ରୀଙ୍କ ଅପରିଣାମଦର୍ଶୀ ବୟାନ ରାଜ୍ୟ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଆଗୁଆ ଅନୁମତି ବା ପରାମର୍ଶ ନନେଇ ବାରମ୍ବାର ଏଭଳି ବେପରୁଆ ମନ୍ତ୍ୟବ ରଖୁଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave a Reply