୧୮ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର; ଶ୍ରୀସେତୁ ଓ ଶ୍ରୀମନ୍ଦିର ଉନ୍ନୟନକୁ ଗୁରୁତ୍ୱ…

1 min read

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକରେ ୧୮ ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା  ଏହି ବୈଠକ ବସିଥିଲା  । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍‌ସିଂ ଯୋଗେ ବୈଠକରେ ସାମିଲ ହୋଇଥିଲେ । ମନ୍ତ୍ରୀମାନେ ସଚିବାଳୟ ଓ ଜିଲ୍ଲା ହେଡକ୍ୱାର୍ଟରରୁ ଭିସି ଯୋଗେ ଯୋଡି ହୋଇଛନ୍ତି  । ସେପଟେ ମନ୍ତ୍ରୀ ପରିଷଦ ବୈଠକରେ ୨୦୨୦-୨୧ ବର୍ଷ ପାଇଁ ଅତିରିକ୍ତ ବଜେଟକୁ ମଂଜୁରୀ ମିଳିଛି  । ଅତିରିକ୍ତ ବଜେଟ୍ ପାଇଁ ୧୧ହଜାର ୨ଶହ କୋଟି ଟଙ୍କା ମଞ୍ଜୁରୀ କରାଯାଇଛି  । ଆସନ୍ତା ୨୦ ତାରିଖରେ ବିଧାନସଭାରେ ଆଗତ ହେବ ବଜେଟ୍  । ରାଜ୍ୟ ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀ  ବଜେଟ୍ ଆଗତ କରିବେ  ।

ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୦୨୦-୨୧ ବର୍ଷରେ ୪୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରାଯିବ ।ଖରିଫ ଋତୁରେ ୫୪ ଲକ୍ଷ ଓ ରବି ଋତୁରେ ୧୭ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯିବ। ଏହାଠୁ ଅଧିକ ଧାନ ଯଦି ପଞ୍ଜିକୃତ ଚାଷୀଙ୍କ ଦ୍ୱାରା ମଣ୍ଡିକୁ ଆସିବ ତାକୁ ମଧ୍ୟ ସରକାର କ୍ରୟ କରିବେ । ଚାଷୀଙ୍କୁ ଧାନ ବିକ୍ରି ବାବଦ ପ୍ରାପ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୪ରୁ ୪୮ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ । ଚଳିତବର୍ଷ ନଭେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ଖରିଫ ଧାନ ଓ ମେ’ରୁ ଜୁନ୍ ମାସ ମଧ୍ୟରେ ରବି ଧାନ ସଂଗ୍ରହ କରାଯିବ । ସରକାରଙ୍କୁ ଧାନ ବିକ୍ରି ପାଇଁ ‘ଆଧାର’ ଏକମାତ୍ର ପରିଚୟ ପତ୍ର ହେବ । ଧାନ ବିକ୍ରୟ ସମୟରେ ଆଧାର ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ ବାୟୋମେଟ୍ରିକ ଚିହ୍ନଟକରଣ ପ୍ରକ୍ରିୟା ଅବଲମ୍ବନ କରାଯିବ । ଭାଗଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ପ୍ରକୃତ ଚାଷୀ ଏହି ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା ୧୮୬୮ ଓ ୧୮୮୮ ଟଙ୍କା ହାରରେ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯିବ। ରାଜ୍ୟରେ ଏବେ ୩୧୦ଟି ଧାନ ସଂଗ୍ରହକାରୀ ବ୍ଲକରେ ପି-ପାସ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଅଭାବୀ ଧାନ ବିକ୍ରିକୁ ପ୍ରତିହତ କରିବା ନିମନ୍ତେ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ୮.୩୭ ଏକର ଜମି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହେବ । ଶ୍ରୀ ସେତୁ ଓ ଜଗନ୍ନାଥ ବଲ୍ଲଭ ମାର୍କେଟ କମ୍ପଲେକ୍ସ ନିର୍ମାଣ ପାଇଁ ଏହି ଜମି ବ୍ୟବହାର କରାଯିବ । ଏଥିପାଇଁ ୪୬୧ କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଓଡ଼ିଶା ଡ଼ାକ୍ତରୀ ସେବା ନିୟମାବଳୀ-୨୦୧୭ରେ ପରିବର୍ତ୍ତନ କରାଯିବ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଶୋଧନ ନିୟମ ୨୦୨୦ ପ୍ରଚଳିଚ ହେବା ପାଇଁ ଯୋଜନା କରାଯାଇଛି । ଯେଉଁ ସ୍କିମର ପଦବୀ ଗୁଡିକ ଭାରତ ସରକାର ବା ଓଡ଼ିଶା ସରକାରଙ୍କ ଦ୍ବାରା ଅନୁମୋଦନ ହୋଇଥିବ । ସେହିସବୁ ପଦବୀରେ ଫାର୍ମାସିଷ୍ଟମାନଙ୍କୁ ସ୍ବଚ୍ଛ ପଦ୍ଧତି ଅନୁସରଣ କରି ନିଯୁକ୍ତି ଦିଆଯାଇଥିବ ଏବଂ ସରକାରଙ୍କ ବିଭିନ୍ନ ଚିକିତ୍ସାଳୟରେ ଗୁରୁତର ଚିକିତ୍ସାରେ ନିୟୋଜିତ ଥିବେ କେବଳ ସେହି ଠିକା ଫାର୍ମାସିଷ୍ଟଙ୍କୁ ରାଜ୍ୟ ସରକାର ନିୟମିତ କରିବେ । ପୂର୍ବରୁ ବରିଷ୍ଠ ଫାର୍ମାସିଷ୍ଟ ପଦକୁ ପଦୋନ୍ନତି ପାଇବା ପାଇଁ ଠିକା ଫାର୍ମାସିଷ୍ଟମାନଙ୍କ କାର୍ଯ୍ୟକାଳକୁ ଗ୍ରହଣ କରାଯିବା ନେଇ ଯେଉଂ ଦ୍ବନ୍ଦ୍ବ ଥିଲା ତାହା ଦୂର କରାଯାଇଛି । ପଦୋନ୍ନତି ପାଇଁ ୧୦ ବର୍ଶର ସମୟ ସୀମା ନିୟମିତ ହେବା ଦିନଠାରୁ ବିଚାରକୁ ନିଆଯିବ । ସ୍କିମ ଓ ସୋସାଇଟି ଅଧୀନରେ କାମ କରୁଥିବା ଫାର୍ମାସିଷ୍ଟ ଯେଉଁ ମାନହ୍କ ଅନ୍ୟାନ୍ୟ ସମସ୍ତ ଯୋଗ୍ୟତା ଠିକ ଅଛି, ସେମାନଙ୍କ ଆବେଦନର ସର୍ବାଧିକ ବୟସ ସୀମା ଯାହାକି ପୂର୍ବରୁ ୫୦ ବର୍ଷ ଥିଲା ତାହା ୪୫ ବର୍ଷକୁ ହ୍ରାସ କରାଯାଇଛି । ସେହିପରି ରେଡିଓଗ୍ରାଫର ସେବା ସଂଶୋଧନ ନିୟମ ୨୦୨୦ ପ୍ରଚଳନ ପାଇଁ ଯୋଜନା କରାଯାଇଛି । ଯେଉଁଥିରେ ଫାର୍ମାସିଷ୍ଟଙ୍କ ପରି ନିୟମ କାର୍ଯ୍ୟକାରୀ କରାଯିବ । ତେବେ ସଂଶୋଧନରେ ମୂଳ ଶିକ୍ଷାଗତ ଯୋଗ୍ୟତା ଥାଇ ଉଚ୍ଚତର ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ମଧ୍ୟ ରେଡିଓଗ୍ରାଫର ପଦବୀ ପାଇଁ ଆବେଦନ କରିବାକୁ ଅନୁମୋଦନ ମିଳିଛି । ସେହିପରି ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା ଚୟନ ପ୍ରବିଧି ଓ ସେବାସର୍ତ୍ତ ନିୟମରେ ସଂଶୋଧନ କରାଯାଇଛି । ଏହାଦ୍ବାରା ଯଦି ଜଣେ ପ୍ରାର୍ଥୀ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାରେ ଓଡ଼ିଆ ବିଷୟ ନେଇ ଉତ୍ତୀର୍ଣ୍ଣ ହୋଇନଥିବେ ସେମାନେ ଚାକିରିର ଯୋଗ ଦେବାର ୪ ବର୍ଷ ମଧ୍ୟରେ ଏହି କାମ ସମାପନ କରିବାକୁ ହେବ । ସେହିପରି ଜଣେ ପ୍ରାର୍ଥୀ ଯଦି ରାଜ୍ୟ ବାହାରର ତେବେ ତାଙ୍କୁ ଚାକିରିରେ ଯୋଗଦେବା ପୂର୍ବରୁ ଓଡ଼ିଶା ଡାକ୍ତରୀ ପଞ୍ଜୀକୃତ ପରିଷଦରେ ପଞ୍ଜୀକରଣ କରିବାକୁ ହେବ । ସେହିପରି ଓଡ଼ିଶା ନର୍ସିଂ ସେବା ସଂଶୋଧନ ନିୟମ ୨୦୨୦ ପ୍ରଚଳନ କରାଯିବାକୁ ନିଷ୍ପତ୍ତି ହୋଇଛି । ଓଡିଶା ବେସାମରିକ ସେବା ନିୟମାବଳୀ-୧୯୯୨ରେ ସଂଶୋଧନ କରାଯିବ । ଆଗାମୀ ବିଧାନସଭା ଶୀତ ଅଧିବେଶନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଚଳିତ ଆର୍ଥିକ ବର୍ଷରେ ଗ୍ରିଡକୋ ସପକ୍ଷରେ ୨୬ ଶହ କୋଟି ଟଙ୍କାର ଋଣ ପାଇଁ ଗ୍ୟାରେଣ୍ଟି ପ୍ରଦାନ ପାଇଁ ମଞ୍ଜୁରୀ ମିଳିଛି । ଓଡିଶାର ସରକାରୀ ଯାନ୍ତ୍ରିକ ବିଦ୍ୟାଳୟର ନିଯୁକ୍ତି ଲାବୋରଟୋରୀ ସହାୟକଙ୍କର ନିଯୁକ୍ତ ପ୍ରଣାଳୀ ଓ ଚାକିରି ସର୍ତ୍ତାବଳୀକୁ ଆହୁରି ସୁବ୍ୟବସ୍ଥିତ କରାଯିବ । ଏହା ପାଇଁ ପଲିଟେକ୍ନିକର ଲାବୋରଟୋରୀ ସହାୟକ ନିୟମ,୨୦୨୦ର ପ୍ରଣୟନ କରାଯିବ । ଏହା ଦ୍ୱାରା ଏମାନଙ୍କୁ କ୍ୟାଡରରେ ପଦୋନ୍ନତିର ସୁଯୋଗ ସୃଷ୍ଟି ହେବ ।

Leave a Reply